ଭଲ ପଢିଥିବା ଯୋଗୁଁ ସରକାର ଦେଇଥିଲେ ଲାପଟପ, ସେଥିରେ ନିଲାମ କରିଦେଲା ମହିଳାଙ୍କ ଇଜ୍ଜତ

ନୂଆଦିଲ୍ଲୀ: ‘ବୁଲ୍ଲିବାଈ ଆପ୍‌’ର ସ୍ରଷ୍ଟା ୨୧ ବର୍ଷୀୟ ନୀରଜ ବିଷ୍ଣୋଇଙ୍କୁ ଦିଲ୍ଲୀ ପୁଲିସ ଆସାମରୁ ଗିରଫ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ସମୁଦାୟ ୪ଜଣଙ୍କୁ ଗିରଫ କରାଗଲାଣି। ନୀରଜ ‘ଆପ୍‌’ ତିଆରି କରିଥିବା ଲାପଟପକୁ ମଧ୍ୟ ପୁଲିସ ତାଙ୍କ ଘରୁ ଜବତ କରିଛି। ତେବେ ନୀରଜଙ୍କ ବାବଦରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି | ଗତକାଲି ରାତିରେ ଆସାମର ଜୋରହାଟ ଜିଲ୍ଲାରୁ ନୀରଜ ବିଷ୍ଣୋଇଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା। ନୀରଜ ବିଷ୍ଣୋଇ ଜୋରହାଟ ସହରର ଦିଗମ୍ବର ଛକରେ ରହୁଥିଲା |

ସେ ଭୋପାଳର ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ବି.ଟେକ୍ କମ୍ପ୍ୟୁଟର ସାଇନ୍ସର ଦ୍ୱିତୀୟ ବର୍ଷ ଛାତ୍ର ହୋଇଥିବାବେଳେ ତାଙ୍କ ବାପା ବହୁ ବର୍ଷ ପୂର୍ବେ ରାଜସ୍ଥାନରୁ ଆସାମକୁ ଆସିଥିଲେ। ନୀରଜ ୨୦୨୦ରେ ଭୋପାଳରେ ଆଡମିଶନ ନେଇଥିଲା ଓ ତା’ପରେ ଲକଡାଉନ ହେବାରୁ ସେ ଘରେ ଥିଲା । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୀରଜଙ୍କ ପିତା ଦଶରଥ ବିଷ୍ଣୋଇ କହିଛନ୍ତି ଯେ ସେ ସବୁବେଳେ ତାଙ୍କ ଲାପଟପରେ ସମୟ ବିତାଉଥିଲା ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲେ। ତେବେ ଲାପଟପରେ ସେ କଣ କରୁଥିଲେ ସେ ବାବଦରେ ସେ ଜାଣନ୍ତି ନାହିଁ |

ଏଥିସହିତ ତାଙ୍କ ପିତା କହିଛନ୍ତି ଯେ କିଛି ରାଜନୈତିକ ଦଳର ଲୋକମାନେ ମଧ୍ୟ ତାଙ୍କୁ ଭେଟିବାକୁ ଆସୁଥିଲେ। ଦଶରଥ ବିଷ୍ଣୋଇ କହିଛନ୍ତି ଯେ, ‘ମୋ ପୁଅ ସେଣ୍ଟ ମେରୀ ସ୍କୁଲରୁ ୮୬ ପ୍ରତିଶତ ମାର୍କରେ ଦଶମ ଶ୍ରେଣୀ ପାସ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କଠାରୁ ଏହି ଲାପଟପ୍ ମିଳିଥିଲା। ଆମର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲା ଏବଂ ଆମେ ଆମ ପୁଅ ପାଇଁ କମ୍ପ୍ୟୁଟର କିଣି ପାରିନଥିଲୁ | ସୂଚନାଯୋଗ୍ୟ, ଭର୍ଚୁଆଲ୍‌ ନିଲାମ ପାଇଁ ବିନା ସମ୍ମତି କେତେକ ସଂଖ୍ୟାଲଘୁ ମହିଳାଙ୍କ ଫଟୋ ଏହି ‘ଆପ୍‌’ରେ ଅପ୍‌ଲୋଡ୍‌ କରାଯାଇଥିଲା। ଏଥିଯୋଗୁଁ ବ୍ୟାପକ ଜନଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର