ସ୍ୱାମୀ ଫେରିବେ ବୋଲି ହଜାରେ ଟଙ୍କା ଧାର କରି ପଠାଇଥିଲେ ପତ୍ନୀ, ରେଳଧାରଣାରେ ଚାଲିଗଲା ଜୀବନ

ଔରଙ୍ଗାବାଦ: “ହେଇଟି ଶୁଣୁଛ, ତୁମେ ଭଲ ଅଛ ତ, ପାଖରେ ଖାଇବାକୁ କିଛି ନାହିଁ, ଯେତିକି ଟଙ୍କା ଥିଲା ସରିଯାଇଛି, କିଛି ଟଙ୍କା ପଠାଇଲେ ଘରକୁ ଫେରିବି” | ମଧ୍ୟପ୍ରଦେଶ ଉମରିଆର ବିରଗେନ୍ଦ୍ର ନିଜ ପତ୍ନୀଙ୍କୁ ଶେଷ ଥର ପାଇଁ ଫୋନରେ କିଛି ଏୟା କହିଥିଲେ | ମହାରଷ୍ଟ୍ରରେ କାମ କରୁଥିବା ନିଜ ସ୍ୱାମୀଙ୍କ ପାଖରୁ ଏଭଳି ଆକୁଳ ନିବେଦନଟିଏ ଶୁଣି ପତ୍ନୀ ପୁଷ୍ପା ଟଙ୍କା ବି ପଠାଇଥିଲେ | ତେବେ ସ୍ୱାମୀ ଘରକୁ ଫେରିନଥିଲେ, ବରଂ ଫେରିଥିଲା ସ୍ୱାମୀଙ୍କ ମୃତଦେହ | ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଔରଙ୍ଗାବାଦ ଠାରେ ଘଟିଥିବା ରେଳ ଦୁର୍ଘଟଣାର ଏଭଳି ଏକ କାହାଣୀ ସାମ୍ନାକୁ ଆସିଛି ଯାହାକି ଜଣେ ପ୍ରବାସୀ ଶ୍ରମିକଙ୍କ ଆବେଗଭରା ଜୀବନକୁ ଚିତ୍ରଣ କରିଛି |

ମିଳିଥିବା ସୂଚନା ମୁତାବକ ଲକଡାଉନ ଯୋଗୁଁ ମହାରାଷ୍ଟ୍ରରେ ଶ୍ରମିକ ଭାବେ କାମ କରୁଥିବା ମଧ୍ୟପ୍ରଦେଶ ଉମରିଆର ବିରଗେନ୍ଦ୍ରଙ୍କ ପାଖରେ ଯେତିକି ଅର୍ଥ ଥିଲା ସବୁ ସରିଯାଇଥିଲା | ଲକଡାଉନ ଯୋଗୁଁ କାମ ଠପ ହୋଇଯାଇଥିବାରୁ ଠିକାଦାର ଦେଇନଥିଲା ଟଙ୍କା | ଦୀର୍ଘ ଦେଢ଼ ମାସ ଧରି କଷ୍ଟେମଷ୍ଟେ ଚଳିବାପରେ ଆଉ ଗଡ଼ିପାରିନଥିଲା ଅଜଣା ସହରରେ ଜୀବନର ଗାଡି | ପତ୍ନୀଙ୍କୁ ଫୋନ କରି କିଛି ଟଙ୍କା ମାଗିଥିଲେ | ଗାଁକୁ ଯିବା ପାଇଁ ବି ଟଙ୍କା ନଥିବା କହିବା ପରେ ପତ୍ନୀ ପୁଷ୍ପା ସ୍ଥାନୀୟ ସ୍ଵୟଂସହାୟକ ଗୋଷ୍ଠୀରୁ ହଜାରେ ଟଙ୍କା ଧାର ଆଣି ସ୍ୱାମୀଙ୍କୁ ନିୟୋଜିତ କରିଥିବା ଠିକାଦାରଙ୍କ ଆକାଉଣ୍ଟକୁ ପଠାଇଥିଲେ |

ଠିକାଦାର ଜଣକ ୫୦୦ ଟଙ୍କା ବିରଗେନ୍ଦ୍ରଙ୍କୁ ଦେଇ ବଳକା ନିଜ ପାଖରେ ରଖିଦେଇଥିଲେ | ୫୦୦ ଟଙ୍କାକୁ ଧରି ଆଉ କିଛି ଶ୍ରମିକଙ୍କ ସହ ନିଜ ଘରକୁ ଫେରୁଥିଲେ | ଔରଙ୍ଗାବାଦ-ଜଲ୍‌ନା ରେଳ ଧାରଣା ଦେଇ ଭୁସାୱାଲ ପର୍ଯ୍ୟନ୍ତ ୩୬ କିଲୋମିଟର ଚାଲିବା ପରେ ଶ୍ରମିକମାନେ ଥକି ଯାଇଥିଲେ, ତେଣୁ ସେମାନେ ରେଳ ଟ୍ରାକ୍ ଉପରେ ବିଶ୍ରାମ ନେଇଥିଲେ | ବିରଗେନ୍ଦ୍ରଙ୍କ ସହ ୧୯ ଜଣ ଶ୍ରମିକ ଏତେ କ୍ଳାନ୍ତ ହୋଇଯାଇଥିଲେ ଯେ ସେମାନେ ଶୋଇପଡିଥିଲେ ଏବଂ ଶୁକ୍ରବାର ସକାଳ ପ୍ରାୟ ୫:୧୫ ସମୟରେ ଏକ ମାଲବାହୀ ଟ୍ରେନ ସେମାନଙ୍କ ଉପରେ ଚଢିଯାଇଥିଲା | ଏଥିରେ ବିରଗେନ୍ଦ୍ରଙ୍କ ଜୀବନ ମଧ୍ୟ ଚାଲିଯାଇଛି | ଆଉ ଗାଁରେ ପହଂଚିଛି ବିରଗେନ୍ଦ୍ରଙ୍କ ମୃତଦେହ | ଗାଁ ପିଲାର ଏଭଳି ଅବସ୍ଥା ଦେଖି ଏବେ ପୁରା ଗାଁ ଲୁହରେ ଭିଜୁଛି |

ସମ୍ବନ୍ଧିତ ଖବର