ନିଆଁ ଆଁରେ ଜଳିଗଲେ ଗାଁର ୮ ସାଙ୍ଗ, ଜବାରଙ୍କ ପାଖରେ ନାହିଁ ଫୋନର ଉତ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ଜବାରଙ୍କର ଫୋନ ଲଗାତାର ବାଜୁଥିଲା | ଗାଁରୁ ଆସୁଥିଲା ବାରମ୍ବାର ଫୋନ, କିନ୍ତୁ ଉଠାଇବାକୁ ସାହସ ପାଉ ନଥିଲା | କାରଣ ଫୋନ ଉଠେଇଲେ କ’ଣ ପଚରାଯିବ ତାହାର ଅନୁମାନ ସେ ଲଗାଇସାରିଥିଲେ | ପାଖରେ ନଥିଲା କ’ଣ ଦେବେ ପ୍ରତିଉତ୍ତର | ଶେଷରେ ଫୋନ ଉଠାଇଥିଲେ କିନ୍ତୁ ଲୁହ ଓ କୋହରେ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା | ଦିଲ୍ଲୀର ଅନାଜ ମଣ୍ଡିରେ ହୋଇଥିବା ଅଗ୍ନିକାଣ୍ଡରେ ଏଭଳି ଜଣେ ବ୍ୟକ୍ତିଙ୍କୁ ନିଆଁର ଆଘାତ ଲାଗି ନଥିଲା ସତ କିନ୍ତୁ ହୃଦୟ ଦୁଃଖରେ କ୍ଷତବିକ୍ଷତ ହୋଇଯାଇଥିଲା |

ବିହାର ସମସ୍ତିପୁରର ଜବାର | ସେ ଦିଲ୍ଲୀର ଅନାଜ ମଣ୍ଡିରେ କାର୍ଯ୍ୟ କରନ୍ତି | ରୋଜଗାରର ଏକ ସୁନେଲି ସ୍ବପ୍ନ ନେଇ ଗାଁରୁ ଆସିଥିଲେ | ଆଶା ଥିଲା ନିରାଶ କରିବ ନାହିଁ ଦିଲ୍ଲୀ | ଆଦରି ନେବ ଏହି ସହର ଓ ଢେର ରୋଜଗାର ଦେବ | ଜବାରଙ୍କ ଭଳି ତାଙ୍କ ଗାଁର ୪୦ ଜଣ ଲୋକ ମଧ୍ୟ ଏଠାକୁ କାମ କରିବାକୁ ଆସିଥିଲେ | କିଛିଦିନ ତଳେ ୨୫ ଜଣ ଗାଁକୁ ଫେରିଯାଇଥିବାବେଳେ ରହିଯାଇଥିଲେ ୧୫ ଜଣ | ଦୁର୍ଭାଗ୍ୟବଶତଃ ଭୋରରେ ଯେତେବେଳେ ନିଆଁ ଲାଗିଯାଇଥିଲା ୧୫ ଜଣ ନିଆଁର କବଳରେ ଆସିଯାଇଥିଲେ | ଏମାନଙ୍କ ମଧ୍ୟରୁ ୮ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇପଡିଥିଲେ | ଏବେ ବି ୩ ଜଣ ନିଖୋଜ ଅଛନ୍ତି |

Photo-News18

କିନ୍ତୁ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଜବାର | ଟିଭି ପରଦାରେ ଯେତେବେଳେ ପରିବାର ଓ ସମ୍ପର୍କୀୟ ଏହି ଦୁର୍ଘଟଣାକୁ ଦେଖିଥିଲେ ନିଜ ଲୋକଙ୍କୁ ଫୋନ ଲଗାଇଥିଲେ | ହେଲେ ଫୋନ ଲାଗି ନଥିଲା | ଶେଷରେ ଗାଁ ପିଲା ଜବାରଙ୍କୁ ଫୋନ ଲଗାଇଥିଲେ ସମସ୍ତିପୁରର ଗ୍ରାମବାସୀ | ଜବାରଙ୍କ ଫୋନ ରିଙ୍ଗ ହୋଇଥିଲା ସତ କିନ୍ତୁ ଫୋନ ଉଠାଇବାର ସାହସ କରିପାରିନଥିଲେ | କେମିତି ବା ସାହସ କରିବେ, କେମିତି ବା କହିବେ ନିଜ ସାଙ୍ଗଙ୍କ ଦାରୁଣ ସ୍ଥିତି | ଶେଷରେ ଫୋନ ଉଠାଇଥିଲେ ଓ ଭୋ ଭୋ ହୋଇ ବଖାଣିଦେଇଥିଲେ ଅଗ୍ନିକାଣ୍ଡର ସମ୍ପୂର୍ଣ୍ଣ କାହାଣୀ | ଏପଟେ ନିଜ ସାଙ୍ଗମାନଙ୍କ ମୃତଦେହ ସାମ୍ନାରେ ଜବାର ବସିଥିଲେ, ସେପଟେ ସମସ୍ତିପୁର ଲୁହରେ ଓଦା ହୋଇଯାଇଥିଲା |

ସମ୍ବନ୍ଧିତ ଖବର