ଲୋକଙ୍କ ଟାହିଟାପରା ସତ୍ତ୍ୱେ ଝିଅଙ୍କୁ ଟ୍ରେନିଂ ଦେଇ କମାଣ୍ଡୋ କରାଇଲେ ଏହି ମା’

ରାତିରେ ଝିଅଙ୍କୁ କରାଉଥିଲେ ଫିଟ

ପାଟନା: ନିଜ ଝିଅମାନେ କିଭଳି କଠିନ ପରିଶ୍ରମ କରିବେ ଆଉ ନିଜ ଗୋଡ଼ରେ ଠିଆ ହେବେ ସେନେଇ ଲାଗିପଡ଼ିଥିଲେ ଜଣେ ମା’। ଆଉ ଏହି ମହିଳାଙ୍କ ଚେଷ୍ଟାକୁ ନେଇ ଟାହିଟାପରା କରୁଥିଲେ ସ୍ଥାନୀୟ ଲୋକ। ତଥାପି ଲୋକଙ୍କ ଟାହିଟାପରାକୁ ସହ୍ୟ କରି ଚେଷ୍ଟା ଛାଡ଼ିନଥିଲେ ମା‘। ଆଉ ଏବେ ଦୁଇ ଝିଅ କମାଣ୍ଡୋ ହେବା ପରେ ଟାହିଟାପରା କରୁଥିବା ଲୋକଙ୍କ ମୁହଁ ବନ୍ଦ ହୋଇଯାଇଛି। ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବାବଦରେ କହିବୁ ଯାହାଙ୍କ ବାବଦରେ ଜାଣିଲେ ଆପଣଙ୍କର ଫିଲ୍ମ ‘ଦଙ୍ଗଲ’ର ଅମୀର ଖାନଙ୍କ ଚରିତ୍ର ବାବଦରେ ମନେପଡିବ। ସେହି ଚଳଚ୍ଚିତ୍ରରେ ଜଣେ ପିତା ନିଜ ଝିଅମାନଙ୍କ ପାଇଁ ବହୁତ ସଂଘର୍ଷ କରିଥିଲେ। ଠିକ୍ ସେହିଭଳି ଏହି କାହାଣୀରେ ଜଣେ ମା’ କେବଳ ଦୁଇ ଝିଅଙ୍କ ପାଇଁ ଲଢ଼ିନାହାଁନ୍ତି ବରଂ ସମାଜର ଟାହିଟାପରା ଶୁଣିବା ପରେ ମଧ୍ୟ ହାର ମାନିନଥିଲେ।

ଏହି ମାମଲା ବିହାରର ସିୱାନର ମହାରାଜଗଞ୍ଜ ସବଡିଭିଜନର ଜିଗରହାୱାନ ଗାଁର ହୋଇଥିବାବେଳେ ଏହି ମହିଳାଙ୍କ ନାମ ହେଉଛି ସୋନମତି ଦେବୀ। ଏବେ ତାଙ୍କର ଦୁଇ ଝିଅ ସଫଳ ହୋଇଛନ୍ତି। ବଡ ଝିଅ ପୁଣିତା ରାଜଗିରୀରେ କମାଣ୍ଡୋ ଟ୍ରେନର ହୋଇଥିବାବେଳେ ସାନ ଝିଅ ପୂଜା କୁମାରୀ ବୋଧଗୟାଠାରେ ବିହାର ସ୍ପେଶାଲ ଆର୍ମଡ ପୁଲିସରେ କମାଣ୍ଡୋ ଭାବରେ କାର୍ଯ୍ୟ କରୁଛନ୍ତି। ସୋନମତି ଦେବୀଙ୍କ କହିବା ମୁତାବକ ଯେତେବେଳେ ତାଙ୍କର ଦୁଇ ଝିଅଙ୍କ ସହ ସେ ଦୌଡିବାକୁ ଯାଉଥିଲେ, ସେତେବେଳେ ଲୋକମାନେ ଟାହିଟାପରା କରୁଥିଲେ। ଏହାପରେ ସୋନମତି ଦେବୀ ସ୍ଥିର କରିଥିଲେ ଯେ ରାତି ଗୋଟାଏରୁ ଦୌଡିବାକୁ ଯିବେ। ରାତି ଗୋଟାଏରୁ ସୋନମତି ଦୁଇ ଝିଅଙ୍କ ସହ ତିନିରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଦୌଡ଼ୁଥିଲେ।

ପ୍ରାୟ ଦୁଇ ବର୍ଷର ପରିଶ୍ରମ ପରେ ଉଭୟ ଝିଅ ସଫଳତା ପାଇଲେ | ପୁଣିତା ଏବଂ ପୂଜା କହିଛନ୍ତି ଯେ ଯଦି ଆମ ମା ଆମ ପାଇଁ ଏତେ ପରିଶ୍ରମ କରିନଥାନ୍ତେ, ତେବେ ଆମେ ଏହି ସ୍ଥାନରେ ପହଞ୍ଚିପାରିନଥାନ୍ତୁ । ଭଗବାନ ସମସ୍ତଙ୍କୁ ଏପରି ମା ଦେବା ଉଚିତ୍। ସୋନମତି ଦେବୀଙ୍କ ଯୋଗୁଁ ଆଜି ତାଙ୍କର ଦୁଇ ଝିଅ ବିହାର ସ୍ପେଶାଲ ଆର୍ମଡ ପୁଲିସରେ କମାଣ୍ଡୋ ହୋଇପାରିଛନ୍ତି। ଏହା କରି ସେମାନେ ପ୍ରମାଣ କରିଛନ୍ତି ଯେ ଯଦି ଜଣେ ମା ଚାହାଁନ୍ତି, ସେ ପିଲା ପାଇଁ କିଛି ବି କରିପାରିବେ |

ସମ୍ବନ୍ଧିତ ଖବର