ପେଟିଏମ୍‌ର ପ୍ରତିଷ୍ଠାତା ବିଜୟଙ୍କ କାହାଣୀ: ଶିକ୍ଷକଙ୍କ ପୁଅ ଏବେ କୋଟିପତି

ହିନ୍ଦୀ ମାଧ୍ୟମ ସ୍କୁଲରେ ପଢ଼ିଥିଲେ, ଇଂରାଜି ଜ୍ଞାନ ବଢ଼ାଇବାକୁ ସଂଘର୍ଷ କରିଥିଲେ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଆଲିଗଡ଼ରେ ଜଣେ ଶିକ୍ଷକଙ୍କ ପୁଅ ଭାବେ ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ ଜନ୍ମ ହୋଇଥିଲା। ଚାରି ଜଣ ସନ୍ତାନଙ୍କ ମଧ୍ୟରୁ ସେ ଥିଲେ ତୃତୀୟ। ଆଲିଗଡ଼ ନିକଟସ୍ଥ ଏକ ଛୋଟ ସହର ହରଦୁଆଗଞ୍ଜରେ ଥିବା ଏକ ହିନ୍ଦୀ ମାଧ୍ୟମରେ ସ୍କୁଲରୁ ପାଠପଢ଼ା ଶେଷ କରିବା ପରେ ଦିଲ୍ଲୀ କଲେଜ ଅଫ୍ ଇଞ୍ଜିନିୟରିଂ ବିଟେକ୍ ଡିଗ୍ରି ହାସଲ କରିଥିଲେ। ନିଜ ଇଂରାଜି ଜ୍ଞାନ ବଢ଼ାଇବା ଲାଗି ତାଙ୍କୁ ପରିଶ୍ରମ କରିବାକୁ ପଡ଼ିଥିଲା। ରକ୍ ସଙ୍ଗୀତକୁ ଘୋଷି ତାହାକୁ ମନେ ରଖି ସେ ଇଂରାଜି ଜ୍ଞାନ ବଢ଼ାଇବାକୁ ଉଦ୍ୟମ କରିଥିଲେ। ଉଭୟ ଇଂରାଜି ଓ ହିନ୍ଦୀ ଭାଷାରେ ଉପଲବ୍ଧ ଥିବା ପୁସ୍ତକକୁ ସେ ପଢ଼ୁଥିଲେ ଓ ନିର୍ଦିଷ୍ଟ ଇଂରାଜି ଶବ୍ଦର ହିନ୍ଦୀ ଅନୁବାଦ ଜାଣିବାକୁ ଚେଷ୍ଟା କରୁଥିଲେ। ସେହି ବିଜୟ ଆଜି ଭାରତର ଅନ୍ୟତମ ଶ୍ରେଷ୍ଠ ଧନୀ ଭାବେ ଉଭା ହୋଇଛନ୍ତି।

କଲେଜରେ ପାଠପଢ଼ୁଥିବା ସମୟରେ ସେ indiasite.net ନାମକ ଏକ ୱେବସାଇଟ୍‌ ଖୋଲିଥିଲେ ଓ ଦୁଇ ବର୍ଷ ପରେ ତାହାକୁ ୧ ନିୟୁତ ଡଲାରରେ ବିକି ଦେଇଥିଲେ। ୨୦୦୦‌ ମସିହାରେ ସେ ଓ୍‌ବାନ୍୯୭ କମ୍ୟୁନିକେସନ୍ ନାମକ ସଂସ୍ଥା ସ୍ଥାପନ କରିଥିଲେ ଯାହା ମୋବାଇଲ୍‌ ଭିତ୍ତିକ ଖବର, କ୍ରିକେଟ୍ ସ୍କୋର, ରିଙ୍ଗଟୋନ୍, ଜୋକ୍‌ସ ଏବଂ ପରୀକ୍ଷା ଫଳ ଭଳି ସୂଚନା ପ୍ରଦାନ କରୁଥିଲା। ସେହି ସଂସ୍ଥା ଅଧୀନରେ ବିଜୟ ୨୦୧୦ରେ ପେଟିଏମ୍ ସ୍ଥାପନ କରିଥିଲେ। ଯେତେବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା ସେ ମାସିକ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ। ସେଥିପାଇଁ ତାଙ୍କୁ ଭଲ ବିବାହ ପ୍ରସ୍ତାବ ମିଳୁନଥିଲା। ନିଜ ସଂସ୍ଥା ବନ୍ଦ କରି ଗୋଟିଏ ଭଲ ଚାକିରି ଖୋଜିବାକୁ ତାଙ୍କୁ ତାଙ୍କ ବାପା ୨୦୦୪-୦୫ରେ ପରାମର୍ଶ ଦେଇଥିଲେ। ବିଜୟ କହିଛନ୍ତି ଯେ ପରିବାର ଦୃଷ୍ଟିରେ ମୁଁ ସେହି ସମୟରେ ବିବାହ ପାଇଁ ଏକ ଯୋଗ୍ୟ ପାତ୍ର ନଥିଲି। ଆଜି ୪୩ ବର୍ଷ ବୟସରେ ବିଜୟଙ୍କ ପାଖରେ ୨୪୦ କୋଟି ଡଲାରର ସମ୍ପତ୍ତି ଅଛି। ତାଙ୍କ ସଂସ୍ଥା ପେଟିଏମ୍ ଭାରତର ସବୁଠୁ ବଡ଼ ଆଇପିଓ ଜାରି କରିଛି। ଏତେ ବଡ଼ ଧନୀ ହୋଇଥିଲେ ମଧ୍ୟ ଆଜି ବି ବିଜୟ ରାସ୍ତାକଡ଼ ଦୋକାନରେ ଠିଆ ହୋଇ ଚା’ ପିଇବାକୁ ପସନ୍ଦ କରୁଛନ୍ତି। ପ୍ରାତଃ ଭ୍ରମଣରେ ଯିବା ସମୟରେ ଘର ପାଇଁ ପାଉଁରୁଟି ଓ ଦୁଗ୍ଧ କିଣୁଛନ୍ତି।

ବିଜୟଙ୍କ କଂପାନି ପେଟିଏମ୍‌ ଉପରେ ନିବେଶକ ଭାବେ ପ୍ରଥମ ବିଶ୍ବାସ ପ୍ରକଟ କରିଥିଲେ ଚୀନ୍‌ର ଧନୀ ଜ୍ୟାକ୍ ମା’। ତାଙ୍କ ସଂସ୍ଥା ଆଣ୍ଟ୍‌ ଗ୍ରୁପ୍ ପ୍ରଥମେ ଏହି ସଂସ୍ଥାରେ ନିବେଶ କରିଥିଲା। ଏହା ପରେ ଜାପାନର ସଫ୍ଟବ୍ୟାଙ୍କ୍ ଭଳି ସଂସ୍ଥା ମଧ୍ୟ‌ ପେଟିଏମ୍‌ରେ ନିବେଶ କରିଥିଲେ। ୨୦୧୭ରେ ବିଜୟଙ୍କୁ ଭାରତର ସବୁଠୁ କନିଷ୍ଠ ବିଲିଓନେୟାର ମାନ୍ୟତା ପ୍ରଦାନ କରାଯାଇଥିଲା। ଏକ ସମ୍ବାଦପତ୍ରରେ ସେହି ସମ୍ପର୍କିତ ଖବର ପଢ଼ି ତାଙ୍କ ମା’ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ବିଜୟ ଏଥିରେ ଯାହା ଲେଖା ହୋଇଛି ସତରେ କ’ଣ ତୁ ଏତେ ସମ୍ପତ୍ତିର ମାଲିକ? ବିଜୟ ଏବେ ବିବାହିତ ଓ ତାଙ୍କର ଗୋଟିଏ ପୁଅ ଅଛି। ପେଟିଏମ୍‌କୁ ସେ ସାନ୍ ଫ୍ରାନ୍‌ସିସ୍କୋ, ନ୍ୟୁୟର୍କ, ଲଣ୍ଡନ, ହଂକଂ ଓ ଟୋକିଓ ପର୍ଯ୍ୟନ୍ତ ନେବାକୁ ସଂକଳ୍ପବଦ୍ଧ ଅଛନ୍ତି।

ସମ୍ବନ୍ଧିତ ଖବର