ନେତାଜୀଙ୍କ ସହ ଘନିଷ୍ଠତା ଯୋଗୁଁ ଭାରତରେ ଅଜଣା ହୋଇ ରହିଗଲେ ଏହି ବ୍ୟକ୍ତି, ନେହେରୁଙ୍କ ଆକ୍ରୋଶର ଶିକାର ହୋଇଥିଲେ କି?

ନୂଆଦିଲ୍ଲୀ: ନେତାଜୀଙ୍କ ସହ ଘନିଷ୍ଠତା ଜଣେ ବ୍ୟକ୍ତିଙ୍କୁ ନିଜ ଦେଶରେ ସତରେ କ’ଣ ଅଜଣା କରିଦେଲା, ଅବହେଳିତ କରିଦେଲା ? ଅଗାଧ ପାଣ୍ଡିତ୍ୟ ହାସଲ କରିଥିବା ଜଣେ ଭାରତୀୟ  ନିଜ ଦେଶ ପାଇଁ ଅଜଣା/ଅଚିହ୍ନା ହୋଇ ରହିଗଲେ। ଏ ବାବଦରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି | ଆଜି ଆମେ ଆପଣଙ୍କୁ ଏମିତି ଜଣେ କୂଟନୀତିଜ୍ଞ, ବିଶ୍ବବିଦ୍ୟାଳୟର ପ୍ରଫେସର, ଭାଷାବିତ୍ ଓ ବୈଦେଶିକ ସଚିବଙ୍କ ବାବଦରେ କହିବୁ ଯିଏ କି ପଣ୍ଡିତ ନେହେରୁଙ୍କ ଆକ୍ରୋଶର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୁଏ, ଆଉ ଏ ଅଭିଯୋଗ ଆଣିଛନ୍ତି ତାଙ୍କର ଝିଅ।

ଡ. ହିରଣ୍ମୟ ଘୋଷାଲ, ପଶ୍ଚିମବଙ୍ଗର ଏକ ଜଣାଶୁଣା ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ରାଏବାହାଦୂର କାଳୀ ଘୋଷାଲ କଲିକତା ପୁଲିସରେ ଜଣେ ଉଚ୍ଚ ପଦାଧିକାରୀ ଥିଲେ। ଡ.ହିରଣ୍ମୟ ଘୋଷାଲ ଏକାଧାରରେ ଜଣେ ଲେଖକ, ସାମ୍ବାଦିକ, କୂଟନୀତିଜ୍ଞ, ପ୍ରଫେସର ତଥା ପୋଲାଣ୍ଡରେ ପାଦ ଦେଇଥିବା ପ୍ରଥମ ଭାରତୀୟ। ଡ. ହିରଣ୍ମୟ ଘୋଷାଲ ୨୬ଟି ଭାଷା କହିପାରୁଥିଲେ ଓ ବଙ୍ଗଳାରେ ନଅଟି ପୁସ୍ତକ ଏବଂ ଇଂରାଜୀରେ ଦୁଇଟି ପୁସ୍ତକ ରଚନା କରିଥିଲେ। ପୋଲାଣ୍ଡରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଥମ ଅନୁଭୂତି ଉପରେ ଏକ ପୁସ୍ତକ ଲେଖିଥିବା ଡ. ହିରଣ୍ମୟ ଘୋଷାଲ ମଧ୍ୟ ଏକମାତ୍ର ଭାରତୀୟ ଥିଲେ।

ଏପରି ଏକ ବ୍ୟକ୍ତିତ୍ୱ, ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ହେବା ସତ୍ତ୍ୱେ ଘୋଷାଲ କେବଳ ନିଜ ରାଜ୍ୟ ପଶ୍ଚିମବଙ୍ଗରେ ନୁହେଁ ବରଂ ତାଙ୍କ  ଦେଶ ଭାରତରେ ମଧ୍ୟ ଏକ ଅଜ୍ଞାତ ନାମ ହୋଇ ରହିଛନ୍ତି | ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ପୋଲାଣ୍ଡ ହିଁ ତାଙ୍କୁ ୱାର୍ସ ବିଶ୍ୱବିଦ୍ୟାଳୟର ଇଣ୍ଡୋଲୋଜି ବିଭାଗର ପ୍ରଫେସର ଭାବରେ ଏକ ସମ୍ମାନଜନକ ଚାକିରି ଦେଇ ନଥିଲା ବରଂ ତାଙ୍କ ଛାତ୍ରବୃତ୍ତିକୁ ମଧ୍ୟ ସ୍ୱୀକୃତି ଦେଇଥିଲା । ତେବେ ଡ. ହିରଣ୍ମୟଙ୍କ ଝିଅ ମୀରା ଏସ୍ ଘୋଷାଲ କୁହନ୍ତି,  ୧୯୪୭ରେ ମୋ ବାପା ମସ୍କୋରେ ଥିବା ଭାରତୀୟ ଦୂତାବାସରେ ପ୍ରଥମ ସଂସ୍କୃତି ସଚିବ ଥିଲେ ବି ଭାରତ ସରକାର ତାଙ୍କୁ ଅଚାନକ ଚାକିରିରୁ ବାହାର କରିଦେଇଥିଲେ। । ମୁଁ  ଏପର୍ଯ୍ୟନ୍ତ ଜାଣିପାରୁନାହିଁ ଯେ ତାଙ୍କ ଭଳି ଜଣେ ବିଦ୍ୱାନଙ୍କୁ କାହିଁକି ବାହାର କରିଦିଆଯାଇଥିଲା ? ତାଙ୍କର ଅପରାଧ କ’ଣ ଥିଲା, ଏହା ଜାଣିବାକୁ ଚାହେଁ ବୋଲି ମୀରା କୁହନ୍ତି | କୁହାଯାଏ ଯେ, ଯେତେବେଳେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ୍ ନେହେରୁଂକ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତ ଭାରତର ରାଷ୍ଟ୍ରଦୂତ ହୋଇ ମସ୍କୋ ଯାଇଥିଲେ ସେ ଘୋଷାଲଙ୍କ କାର୍ଯ୍ୟକୁ ପସନ୍ଦ କରି ନଥିଲେ | ଘୋଷାଲଙ୍କ ବାବଦରେ ସେ ଏକ ଚିଠି ମାଧ୍ୟମରେ ସବୁ କିଛି ଜଣାଇଥିଲେ |

ପୋଲାଣ୍ଡରେ ଡ. ହିରଣ୍ମୟ ଘୋଷାଲଙ୍କ ସମାଧି

ଘୋଷାଲଙ୍କ ଯୋଗୁଁ ତାଙ୍କର ମୁଣ୍ଡବିନ୍ଧା ବଢିଯାଉଛି ବୋଲି ମଧ୍ୟ ଲେଖିଥିଲେ | ଏହାପରେ ଶ୍ରୀମତୀ ପଣ୍ଡିତଙ୍କ ବଦଳରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ରୁଷକୁ ରାଷ୍ଟ୍ରଦୂତ ହୋଇଗଲେ। ଏହି ସମୟରେ ନେହେରୁ ସରକାରଙ୍କ ପକ୍ଷରୁ ଘୋଷାଲଙ୍କୁ ଏକ ଚିଠି ଲେଖାଯାଇଥିଲା | ଭାରତ ସରକାରଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଏହି ପଦବୀରେ ଆଉ ରଖାଯାଇପାରିବନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା | ୧୯୫୧ ମସିହାରେ ତାଙ୍କୁ କାର୍ଯ୍ୟରୁ ବାହାର କରାଯିବା ସହିତ ଭାରତୀୟ ବିଦେଶ ସେବାରୁ ମଧ୍ୟ ବହିଷ୍କାର କରାଯାଇଥିଲା।

ଏହା ପରେ ଅପମାନ ହୋଇଥିବାର ଅନୁଭବ କରି ଡ. ଘୋଷାଲ୍ ପୋଲାଣ୍ଡ ଫେରିଯାଇଥିଲେ | ତେବେ ଝିଅ ମୀରା ଏସ୍ ଘୋଷାଲଙ୍କ କହିବା କଥା ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ତାଙ୍କ ବାପାଙ୍କର ଘନିଷ୍ଠତା ଥିଲା | ୧୯୩୩-୩୪ ମସିହାରେ ନେତାଜୀ ସୁଭାଷ ଚନ୍ଦ୍ର ପୋଲାଣ୍ଡ ଯାଇ ତାଙ୍କୁ ଭେଟିଥିଲେ ଓ ଉଭୟଙ୍କ ମଧ୍ୟରେ ଚିଠି ଦିଆନିଆ ମଧ୍ୟ ଚାଲିଥିଲା | ନେତାଜୀ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଘୋଷାଲଙ୍କୁ ସାମିଲ କରିଥିଲେ। ତାଙ୍କ ସଂଗ୍ରାମ ଲାଗି ବୈଦେଶିକ ସମର୍ଥନ ଯୋଗାଡ଼ ଲାଗି ନେତାଜୀ ଘୋଷାଲଙ୍କ ସହାୟତା ନେଉଥିଲେ ବୋଲି କୁହାଯାଏ। ଆଉ ନେତାଜୀଙ୍କ ସହ ଘନିଷ୍ଠତା ଯୋଗୁଁ ତାଙ୍କୁ ଏଭଳି ପଦବୀରୁ ଅପମାନଜନକ ଭାବେ ବିଦା କରାଯାଇଥିଲା ବୋଲି ମୀରା ସନ୍ଦେହ କରିଛନ୍ତି |

ତେବେ ପୋଲାଣ୍ଡର ୱାରସ୍ ବିଶ୍ୱବିଦ୍ୟାଳୟର ଏକ ହଲ ତାଙ୍କ ନାମରେ ନାମିତ ହୋଇଥିବାବେଳେ ତାଙ୍କୁ ନେଇ ଏକ ଚଳଚିତ୍ର ମଧ୍ୟ ସେଠାରେ ନିର୍ମାଣ କରାଯାଇଛି | ପୋଲାଣ୍ଡରେ ତାଙ୍କୁ ସମ୍ମାନ ଦିଆଯାଉଥିବାବେଳେ ଭାରତରେ କିନ୍ତୁ ଅଣଦେଖା କରାଯାଇଥିଲା ବୋଲି ମୀରା କହିଛନ୍ତି |

ସମ୍ବନ୍ଧିତ ଖବର