‘ଅନ୍ତର୍ଜାତୀୟ ଆତଙ୍କବାଦୀ’ ମାସୁଦ ଅଝାର ଭାରତର ବହୁ କ୍ଷତି କରିଛି; ୨୦ ବର୍ଷ ଧରି ଘୋଡ଼ାଇ ରଖିଥିଲା ପାକିସ୍ତାନ   

ନୂଆଦିଲ୍ଲୀ : ଆଜି ଭାରତ ହାସଲ କରିଛି ଏକ ବଡ଼ କୂଟନୈତିକ ବିଜୟ। ଭାରତରେ ବହୁ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଅଝାରକୁ ଜାତିସଂଘ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି। ଜମ୍ମୁ-କଶ୍ମୀରର ପୁଲୱାମାରେ  ଜୈସ-ଇ-ମହମ୍ମଦର ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହେବା ପରେ ଭାରତ ତାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ଲାଗି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ କରି ଆସୁଥିଲା। ମାତ୍ର ଏଥିଲାଗି ଜାତିସଂଘ ସୁରକ୍ଷା ପରିଷଦରେ ବାରମ୍ବାର ଚୀନର ଭେଟୋ ହେତୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ ହୋଇପାରୁ ନ ଥିଲା।

ଫେବ୍ରୁଆରି ୧୪ରେ ଜମ୍ମୁକଶ୍ମୀରର ପୁଲୱାମାଠାରେ ସିଆରପିଏଫ୍ ବାହିନୀ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଗତ ତିନି ଦଶକ ମଧ୍ୟରେ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ଥିଲା । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଜୈଶ୍-ଇ-ମହମ୍ମଦ(ଜେଏମ୍) ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା। ଜେଏମର ମାଷ୍ଟର ମାଇଣ୍ଡ ମାସୁଦ୍ ଅଝାର ଏହାର ସୂତ୍ରଧର ବୋଲି ପ୍ରମାଣ ମିଳିଥିଲା । ଏହାପରେ ଫେବ୍ରୁଆରି ୨୪ରେ ଭାରତୀୟ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକ କରି ଜେଏମର ସବୁଠାରୁ ବଡ଼ ପ୍ରଶିକ୍ଷଣ ଶିବିରକୁ ଉଡାଇ ଦେଇଥିଲା। ଏହାପରେ ଭାରତ ପକ୍ଷରୁ ଜୈଶ୍-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଅଝାର ପାକିସ୍ତାନରେ ଲୁଚିଛି ଓ ତାକୁ ଧରିବା ଲାଗି ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ ପକାଇଥିଲା ଭାରତ।

Image Courtesy of Zee News

ଏକଦା ଭାରତୀୟ ଜେଲରେ ବନ୍ଦୀ ଥିଲା ଅଝାର । କିନ୍ତୁ ଡିସେମ୍ବର ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ବିମାନ ଅପହରଣ ପରେ ଯାତ୍ରୀମାନଙ୍କୁ ମୁକ୍ତ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ‘ବାଧ୍ୟବାଧକତା’ରେ ପଡ଼ି ତାକୁ ମୁକ୍ତ କରିଥିଲେ ।୧୯୯୯ ମସିହାରେ ହୋଇଥିବା ବିମାନ ଅପହରଣ ଘଟଣା ପରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାରକୁ ମୁକ୍ତ କରିବା ଭାରତ ପାଇଁ ଦିନକୁ ଦିନ ମହଙ୍ଗା ପଡ଼ିବାରେ ଲାଗିଥଲା । ବିମାନଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖି ଭାରତୀୟ ଜେଲରୁ ଖଲାସ୍ ହୋଇଥିବା ମାସୁଦ ଆଝାର, ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିର୍ଣ୍ଣାୟକ ମୋଡ଼ରେ ପହଂଚାଇବାରେ ସଫଳ ହୋଇଥଲା । ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନ ଉପରେ ଆକ୍ରମଣ, ଉରୀ ଆତଙ୍କବାଦୀ ଆକ୍ରମଣ, ପଠନାକୋଟ୍ ଆକ୍ରମଣ ପରେ ପୁଲୱାମାରେ ସବଠୁ ବଡ ଆତଙ୍କବାଦୀ ଆକ୍ରମଣ କରିଛି ମାସୁଦ ଆଝାରଙ୍କ ସଂଗଠନ- ଜୈଶ୍-ଇ-ମହମ୍ମଦ ।

ପାକିସ୍ତାନର ୧୨ତମ ବଡ ସହର ବହାବଲପୁର ହେଉଛି ଅଝାରର ଗଡ଼ । ଏହି ସହରରେ ଥିବା ଏକ ବିଶାଳ ଧଳା ମସଜିଦ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରେ । ଏହି ମସଜିଦର ନାମ ଜାମିୟା ସୁଭାନ ଆଲ୍ଲା । ଏହି ମସଜିଦରେ ରହିଛି  ଜୈଶର ମୁଖ୍ୟାଳୟ ଏବଂ ମୌଲାନା ମାସୁଦ ଆଝାରର କାର୍ଯ୍ୟାଳୟ । ବହାବଲପୁରରେ ପାକିସ୍ତାନ ଆର୍ମିର ୩୧ଟି ମୁଖ୍ୟାଳୟ ରହିଛି । ଏହି ଅଞ୍ଚଳ ଖୁବ୍ ସମ୍ବେଦନଶୀଳ । ଭାରତର ମୋଷ୍ଟ ୱାଂଟେଡ କୁଖ୍ୟାତ ଅପରାଧୀ ପାକିସ୍ତାନର ଛତ୍ରଛାୟା ତଳେ ରହି ନିଜ ଆତଙ୍କର କାୟା ବିସ୍ତାର କରୁଥିବା ସମସ୍ତଙ୍କୁ ଜଣା।

ଗତ ସପ୍ତାହରେ ଚୀନ୍‌ ଗସ୍ତରେ ଥିବା ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ ରବିବାର ଦିନ ଚୀନ୍‌ କର୍ତ୍ତୃପକ୍ଷଙ୍କୁ ଜୈସ୍‌ ମୁ୍‌ଖିଆ ମାସୁଦ୍‌ ଆଝାର ବିରୋଧରେ ‘ସମସ୍ତ ପ୍ରକାରର ତଥ୍ୟ ପ୍ରମାଣ’ ହସ୍ତାନ୍ତର କରିବା ପରେ ଏଥରକ ଆଉ ମାସୁଦ ଆଝାରକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ‘ଅନ୍ତର୍ଜାତୀୟ ଆତଙ୍କବାଦୀ’ ରୂପେ ଘୋଷଣା ପାଇଁ ଆଗତ ପ୍ରସ୍ତାବକୁ ଚୀନ୍‌ ଆଉ ବିରୋଧ କରିବ ନାହିଁ, କିମ୍ବା କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ପ୍ରତିଶ୍ରୁତି ଦେଇଥିଲା।

ସମ୍ବନ୍ଧିତ ଖବର