ବେଙ୍ଗାଲୁରୁ: ବିମାନରେ ଯାତ୍ରୀ ନହେବାରୁ ଇଣ୍ଡିଗୋ ଏଠାରୁ ଏହାର ଚେନ୍ନାଇକୁ ଉଡ଼ାଣ ଭରିବାକୁ ଥିବା ବିମାନକୁ ବାତିଲ କରିଦେଇଛି। ଏପରିକି ବିମାନ ଭିତରେ ଥିବା ୬ ଜଣ ଯାତ୍ରୀଙ୍କୁ ଚାଲାକି କରି କମ୍ପାନି ଓହ୍ଲାଇ ଦେଇଛି। ସୂଚନା ଅନୁଯାୟୀ, ଇଣ୍ଡିଗୋର ଏକ ବିମାନ ବେଙ୍ଗାଲୁରୁ ଦେଇ ଅମୃତସରରୁ ଚେନ୍ନାଇକୁ ଯିବାର ଥିଲା। କିନ୍ତୁ ବେଙ୍ଗାଲୁରୁର କେମ୍ପାଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନ୍ୟଯାତ୍ରୀ ଓହ୍ଲାଇ ଯାଇଥିଲେ। ଚେନ୍ନାଇ ଯିବା ପାଇଁ ମାତ୍ର ୬ ଜଣ ଯାତ୍ରୀ ଥିଲେ। ଏହି ସମୟରେ ବିମାନ କମ୍ପାନିର ଗ୍ରାଉଣ୍ଡ୍‌ ଷ୍ଟାଫ୍‌ ଉକ୍ତ ଯାତ୍ରୀମାନଙ୍କୁ ବିକଳ୍ପ ବିମାନରେ ଚେନ୍ନାଇ ଯିବାଲାଗି ତଳକୁ ଓହ୍ଲାଇ ଆସିବାକୁ କହିଥିଲେ। ତାଙ୍କ କଥାମାନି ଯାତ୍ରୀମାନେ ଓହ୍ଲାଇ ଆସିଥିଲେ। କିନ୍ତୁ ତଳକୁ ଆସି ବୁଝିପାରିଥିଲେ ଯେ ବିମାନଟି ଚେନ୍ନାଇ ଉଡ଼ାଣ ଭରିବାକୁ ଅନିଚ୍ଛୁକ ଅଛି। କାରଣ ବିମାନରେ ମାତ୍ର ୬ ଜଣ ଯାତ୍ରୀ ଅଛନ୍ତି।

Advertisment

ତେବେ ସେହି ରାତିରେ ଚେନ୍ନାଇକୁ ବେଙ୍ଗାଲୁରୁରୁ ଆଉ କୌଣସି ବିମାନ ନଥିବାରୁ ୬ ଜଣ ଯାକ ଯାତ୍ରୀଙ୍କୁ ବେଙ୍ଗାଲୁରୁରେ ରବିବାର ରାତି କଟାଇବାକୁ ପଡ଼ିଛି। ସୋମବାର ସକାଳେ ସେମାନେ ଚେନ୍ନାଇ ଯାତ୍ରା କରିଛନ୍ତି। ଏପରିକି କମ୍ପାନି ସେମାନଙ୍କ ରହିବା ସୁବିଧା ମଧ୍ୟ କରି ନଥିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କମ୍ପାନି ପକ୍ଷରୁ କୁହାଯାଇଛି ଯେ ୨ ଜଣ ଯାତ୍ରୀଙ୍କୁ ଦୂର ହୋଟେଲରେ ରଖାଯାଇଥିଲା ଓ ଅନ୍ୟମାନେ ବିମାନ ବନ୍ଦର ଲାଉଞ୍ଜରେ ରହିବାକୁ ସ୍ଥିର କରିଥିଲେ।