ନୂଆଦିଲ୍ଲୀ: ଆକାଶରେ ଉଇଁଲା ଷ୍ଟ୍ରବେରୀ ରଙ୍ଗର ଜହ୍ନ । ଘଣ୍ଟା କଣ୍ଟାରେ ଠିକ୍ ୭ଟା ବାଜିବା ପରେ ସଞ୍ଜ ନଇଁବା ସହ ନୀଳ ଆକାଶରେ ଉଇଁଛି ‘ଷ୍ଟ୍ରବେରୀ ମୁନ୍’ । ବିଶ୍ବର ବିଭିନ୍ନ ଦେଶରେ ଏହି ‘ଷ୍ଟ୍ରବେରୀ ମୁନ୍’ ଦୃଶ୍ୟମାନ ହୋଇଛି । ବ୍ରିଟେନ୍, ଗ୍ରୀସ୍ ଆଦି ଦେଶରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖାଦେଇଛି ।

Advertisment

ବୈଜ୍ଞାନିକମାନଙ୍କ କହିବା ଅନୁସାରେ , ଆଜି ଚନ୍ଦ୍ରଙ୍କ ଆଲୋକରେ ଏକ ସୁନେଲୀ ଉଷ୍ମ ଆଭା ଦେଖିବାକୁ ମିଳିବ । ଭାରତରେ ଦକ୍ଷିଣ-ପୂର୍ବ ଦିଗରେ ଷ୍ଟ୍ରବେରୀ ଚନ୍ଦ୍ର ଦେଖାଯିବ । ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ଭଳି ସହରରେ ଏହି ଦୃଶ୍ୟ ଦୃଶ୍ୟମାନ ହେବ । ୧୮ ବର୍ଷରେ ଥରେ ଏହି ଦୃଶ୍ୟ ଦେଖା ଯାଇଥିବା ବେଳେ ପୁନଶ୍ଚ ୨୦୪୩ରେ ଦୃଶ୍ୟମାନ ହେବ । 

ତେବେ ଜହ୍ନକୁ ନେଇ ମଣିଷ ମନରେ କେତେ କଳ୍ପନା ଜଳ୍ପନା । ଜହ୍ନକୁ ନେଇ କେତେ କଥା କେତେ କବିତା କେତେ ସ୍ମୃତି ପୁଣି କେତେ ବ୍ୟଥା । ଜହ୍ନ ତ ସବୁବେଳେ ସୁନ୍ଦର , ସେ ପୁଣି ପୂର୍ଣ୍ଣମୀର ଜହ୍ନ ଆହୁରି ସୁନ୍ଦର । ଆଜି ଜହ୍ନ ଏକ ଭିନ୍ନ ରଙ୍ଗରେ ଝଲସୁଛି ।  ଜହ୍ନର ଜୋଛନାରେ ଚମକୁଛି ଆକାଶ । ଆଉ ଜହ୍ନ ଦିଶୁଛି ଗୋଲାପୀ ଗୋଲାପୀ । 

ଆଜି ଆକାଶରେ ସବୁଠୁ ରହସ୍ୟମୟୀ ଏବଂ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଲାଣି । ପୂର୍ଣ୍ଣିମା ରାତିରେ ଷ୍ଟ୍ରବେରୀ ଚନ୍ଦ୍ର ଦୃଶ୍ୟମାନ ହୋଇଛି । ଏଥରର ଷ୍ଟ୍ରବେରୀ ମୁନ୍ କେବଳ ଏହାର ନାମ କିମ୍ବା ରଙ୍ଗ ପାଇଁ ନୁହେଁ, ବରଂ ଏହାର 'ମାଇକ୍ରୋ ମୁନ୍' ଏବଂ 'ମେଜର ଲୁନାର ଷ୍ଟାଣ୍ଡଷ୍ଟିଲ୍' ପାଇଁ ମଧ୍ୟ ବହୁତ ସ୍ୱତନ୍ତ୍ର । ଯଦିଓ ଏହାର ରଙ୍ଗ ଷ୍ଟ୍ରବେରୀ ପରି ନୁହେଁ, କିନ୍ତୁ ଏହାର ନାମ ଆମେରିକୀୟ ଆଦିବାସୀ ପରମ୍ପରା ସହିତ ଜଡ଼ିତ । 

ସେଠାରେ ଜୁନ୍ ମାସରେ ଏହି ପୂର୍ଣ୍ଣିମା ପରେ ଷ୍ଟ୍ରବେରୀ ଅମଳ ଆରମ୍ଭ ହେଉଥିଲା । ସେଥିପାଇଁ ଏହି ଦିନ ଆସୁଥିବା ଜହ୍ନର ରଙ୍ଗ ଦେଖି ତାହାର ନାମକରଣ କରାଯାଇଛି ।  ଏହି ବର୍ଷ ଚନ୍ଦ୍ର ପୃଥିବୀଠୁ ସବୁଠାରୁ ଦୂରରେ ରହିବ , ଯାହା ଯୋଗୁଁ ଏହା ସାଧାରଣ ଅପେକ୍ଷା ଛୋଟ ଏବଂ ନିମ୍ନ ଦେଖାଯିବ ।