ସୁରଟ: ଘର ବାହାରେ ଖେଳୁଥିବା ବେଳେ ନାବାଳିକାର ଗାଲକୁ କାମୁଡି ଛିଡ଼ାଇ ଦେଲା କୁକୁର। ଗୁଜୁରାଟର ସୁରଟରେ ଥିବା ହନ୍ସପୁରା ସୋସାଇଟିରେ ଘଟିଛି ଏଭଳି ଘଟଣା। ଆଉ ଏକ କୁକୁର କାମୁଡ଼ିବା ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ଝିଅ ନିଜ ଘର ବାହାରେ ଖେଳୁଥିବା ସମୟରେ ହଠାତ୍ କୁକୁର ଆସି ତାଙ୍କ ଗାଲକୁ କାମୁଡି ଦେଇଥିଲା। ଏହି ଆକ୍ରମଣ ପରେ ପୀଡ଼ିତା ଗୁରୁତର ଆହତ ହୋଇଥିବା ବେଳେ ଏବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ସୋସାଇଟିରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି।
ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଝିଅଟି ତାଙ୍କ ଘର ବାହାରେ ଖେଳୁଛି। ଏହାର କିଛି ସମୟ ପରେ କୁକୁରଟି ଆସି ତାଙ୍କୁ ପଛ ପଟରୁ ତାଙ୍କୁ ଆକ୍ରମଣ କରୁଛି। କୁକୁରର ଆକ୍ରମଣ ହେତୁ ଝିଅଟି ତଳେ ପଡିଯାଇ କାନ୍ଦିବା ଆରମ୍ଭ କରୁଛି। ଝିଅର କାନ୍ଦ ଶୁଣିବା ପରେ ତାଙ୍କ ମା’ ବାହାରକୁ ଆସୁଛନ୍ତି। ମା’ ଏବଂ ଝିଅ ଉଭୟ ଘର ଭିତରକୁ ଯିବା ସମୟରେ କୁକୁରଟି ପୁଣି ଆସି ମହିଳାଙ୍କୁ ପଛରୁ ଆକ୍ରମଣ କରୁଛି। ଏହା ପରେ ମହିଳାଜଣକ ତାଙ୍କୁ ଘଉଡାଇ ଦେଉଛନ୍ତି।
ଘଟଣା ପରେ ନାବାଳିକାକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି। ଝିଅର ଗାଲକୁ କାମୁଡି ମାଂସ ଟାଣି ନେଇଥିବାରୁ ତାଙ୍କ ମୁହଁରେ ଅନେକ ଷ୍ଟିଚ୍ ପଡ଼ିବ ବୋଲି ଡାକ୍ତର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/t-27.jpg)