ଜନ୍ମ ନେବାର କିଛି ସମୟ ପରେ ଘରୋଇ ହସ୍ପିଟାଲର ଅସ୍ତ୍ରୋପଚାର ଗୃହ ମଧ୍ୟରେ ପଶି ନବଜାତକୁ ଝୁଣି ଖାଇଗଲା ରାସ୍ତା କଡ଼ର ବୁଲା କୁକୁର

ଆଗ୍ରା: ଉତ୍ତରପ୍ରଦେଶର ଫାରୁକାବାଦରେ ଗତ କାଲି ଘଟିଯାଇଛି ଏକ ଅଭାବନୀୟ ଘଟଣା। ଫାରୁକାବାଦର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଜରିଆରେ ଜଣେ ମହିଳା ଏକ ଶିଶୁପୁତ୍ରକୁ ଜନ୍ମ ଦେବାର କିଛି ସମୟ ମଧ୍ୟରେ ରାସ୍ତାକଡ଼ର ଗୋଟିଏ ବୁଲା କୁକୁର ଅସ୍ତ୍ରୋପଚାର ଗୃହ ମଧ୍ୟକୁ ପ୍ରବେଶ କରି ସଂପୃକ୍ତ ନବଜାତକକୁ ଝୁଣି ଖାଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ କେନ୍ଦ୍ରକରି ଖୁବ୍‌ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁଲିସ୍‌ ପ୍ରାଥମିକ ତଦନ୍ତ କାଳରେ ଏହି ଘରୋଇ ହସ୍ପିଟାଲଟି ବିନା ଲାଇସେନ୍ସରେ ବହୁ ବର୍ଷ ଧରି ଚାଲି ଆସୁଥବା ଜାଣିବାକୁ ପାଇଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ ଫାରୁକାବାଦ ଅଞ୍ଚଳରେ ବାସ କରୁଥିବା ରବି କୁମାରଙ୍କ ପତ୍ନୀ କାଞ୍ଚନଙ୍କର ପ୍ରସବ ବେଦନା ହେବାପରେ ସେ ତାଙ୍କୁ ସଙ୍ଗରେ ଧରି ଆକାଶ ଗଙ୍ଗା ହସ୍ପିଟାଲକୁ ଯାଇଥିଲେ। ସେଠାରେ ଡାକ୍ତରମାନେ କାଞ୍ଚନଙ୍କର ପରୀକ୍ଷା ନିରୀକ୍ଷା କଲାପରେ ଅସ୍ତ୍ରୋପଚାର ଜରିଆରେ ତାଙ୍କର ପ୍ରସବ କରାଯିବାର ଆବଶ୍ୟକତା ରହିଥିବା ରବି କୁମାରଙ୍କୁ କହିଥିଲେ। ରବି ଏଥିରେ ରାଜି ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ କାଞ୍ଚନଙ୍କୁ ନେଇ ଅସ୍ତ୍ରୋପଚାର ଗୃହ ମଧ୍ୟକୁ ଯାଇଥିଲେ। କିଛି, ସମୟ ପରେ ଜଣେ ନର୍ସ ଆସି ରବିଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ କାଞ୍ଚନ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି ଅଳ୍ପ ସମୟ ପରେ ସେମାନଙ୍କୁ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯିବ।

Times Now

ଏହି ଘଟଣାର କିଛି ସମୟ ପରେ ଅସ୍ତ୍ରୋପଚାର ଗୃହ ନିକଟରୁ ଚିତ୍କାର ଶୁଭିଲା, କୁକୁର! କୁକୁର! ଏ ଘଟଣାରେ ସମସ୍ତେ ଦୌଡ଼ି ଯାଇ ଅସ୍ତ୍ରୋପଚାର ଗୃହ ନିକଟରେ ପହଞ୍ଚିବା ପରେ ଦେଖିବାକୁ ପାଇଲେ ଯେ କାଞ୍ଚନ ଚେତାଶୂନ୍ୟ ଅବସ୍ଥାରେ ଅସ୍ତ୍ରୋପଚାର ଟେବୁଲ ଉପରେ ଶୋଇଛନ୍ତି ଆଉ ତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନବଜାତକର ମୃତ ପିଣ୍ଡଟି ତଳେ ଗଡ଼ୁଛି ଏବଂ ମୁହଁ ସାରା ରକ୍ତ ଲାଗିଥିବା ରାସ୍ତାକଡ଼ର ଗୋଟିଏ ବୁଲା କୁକୁର ଅସ୍ତ୍ରୋପଚାର ଗୃହ ମଧ୍ୟରୁ ଦୌଡ଼ି ବାହାରି ଯାଉଛି। ଏ ଘଟଣା ଦେଖିବା ପରେ ଆଉ ଘଟଣା ବାବଦରେ ବୁଝାଇ କହିବାକୁ ଆବଶ୍ୟକତା ନଥିଲା। ନିଜ ନବଜାତକର ଏ ଅବସ୍ଥା ଦେଖି ପାଗଳ ପ୍ରାୟ ଅବସ୍ଥାରେ ରବି କୁମାର ପାଟିତୁଣ୍ଡ କରିବାକୁ ଆରମ୍ଭ କଲେ। ତେବେ, ହସ୍ପିଟାଲର କର୍ମଚାରୀମାନେ ତାଙ୍କୁ ବୁଝାସୁଝା କରିବା ସହ ଘଟଣା ସଂପର୍କରେ କାହାକୁ କିଛି ନକହିଲେ ତାଙ୍କୁ ଅର୍ଥ ମଧ୍ୟ ଦିଆଯିବ ବୋଲି କହିଥିଲେ। କିନ୍ତୁ, କାହାରି କୌଣସି କଥା ନଶୁଣି ରବିକୁମାର ଫାରୁକାବାଦ ଥାନାରେ ଅଭିଯୋଗ କରିବା ପରେ ଏବେ ପୁଲିସ୍‌ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

Times Now
ସମ୍ବନ୍ଧିତ ଖବର