ଶିବମୋଗ୍ଗା: ବୁଲାକୁକୁର ସହିତ ଧକ୍କା ଏଡ଼ାଇବାକୁ ଚେଷ୍ଟା କରି ମୃତ୍ୟୁବରଣ କରିଥିବା ଜଣେ ଯୁବ ବାଇକ୍‌ ଆରୋହୀଙ୍କ ଘରକୁ ଯାଇ ସେ ବୁଲାକୁକୁର ସମବେଦନା ଜଣାଇଛି ବୋଲି ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Advertisment

ରିପୋର୍ଟରେ ଉଲ୍ଲେଖ ଅଛି, ଘଟଣାଟି ନଭେମ୍ବର ୧୬ ତାରିଖ ଦିନ କର୍ଣ୍ଣାଟକ ରାଜ୍ୟର  ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ଭଦ୍ରାବତୀ ତାଲୁକର ଦାବଣଗେରେଠାରେ ଘଟିଥିଲା। ସେଦିନ ଦାବଣଗେରେ ଅନ୍ତର୍ଗତ ହୋନ୍ନାଲ୍ଲି ଅଞ୍ଚଳର କ୍ୟାସନାକେରେବାସୀ ୨୧ ବର୍ଷିୟ ତିପ୍ପେଶ ପାଖ ବସ୍‌ଷ୍ଟାଣ୍ଡ୍‌ରେ ଭଉଣୀକୁ ଛାଡ଼ି ଫେରୁଥିଲେ। ବାଟରେ ଉକ୍ତ ବୁଲାକୁକୁର ଉପରେ ବାଇକ୍‌ ଧକ୍କା ଖାଇବାକୁ ଯାଉଥିବା ବେଳେ ତିପ୍ପେଶ ଧକ୍କା ଏଡ଼ାଇବାକୁ ଚେଷ୍ଟା କରୁଥିବା ବ‌େଳେ ବାଇକ୍‌ ରାସ୍ତାରୁ ଖସିଯାଇ ଓଲଟି ପଡ଼ିଲା। ଏଥିରେ ତିପ୍ପେଶଙ୍କ ମୁଣ୍ଡରେ ଭୀଷଣ ଆଘାତ ଲାଗିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଲା।

publive-image Representational Image Courtesy of NDTV

ସେଠାରୁ ତିପ୍ପେଶଙ୍କ ଶବ ଯେଉଁ ଗାଡ଼ିରେ ତାଙ୍କ ଘରକୁ ନିଆଗଲା ସେ ଗାଡ଼ିକୁ ଅନୁସରଣ କରି ଉକ୍ତ ବୁଲା କୁକୁର ଦୀର୍ଘ ୮ କିଲୋମିଟର୍‌ ଚାଲି ଚାଲି ଗଲା। ଶବ ସତ୍କାର ବେଳେ ବି ସେ କୁକୁର ତାଙ୍କ ଘର ଆଖପାଖରେ ବୁଲିଲା। ଶବ ସତ୍କାର ପରେ ଘରକୁ ପଶିବାକୁ ଚେଷ୍ଟା କଲା, କିନ୍ତୁ ସେଠାରେ ଥିବା ଅନ୍ୟ କୁକୁରମାନେ ଏ ଅଚିହ୍ନା କୁକୁରକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ।  କିନ୍ତୁ, ୩ ଦିନ ପରେ ସେ ବୁଲା କୁକୁର ତିପ୍ପେଶଙ୍କ ଘରେ ପଶି ତାଙ୍କ ମାଆ ଯଶୋଦାମ୍ମାଙ୍କ ପାଖକୁ ଗଲା। ତାଙ୍କ ହାତ ଉପରେ ଏମିତି ମୁଣ୍ଡ ରଖିଲା, ଜଣାଗଲା ସତେ ଅବା ସେ ତାଙ୍କ ପୁଅର ମୃତ୍ୟୁ ପାଇଁ ସମବେଦନା ଜଣାଉଛି।

ତିପ୍ପେଶଙ୍କ ଭଉଣୀ ଚନ୍ଦନା କହିଛନ୍ତି ଯେ, ସେମାନେ ସେ କୁକୁର ଉପରେ ରାଗି ନାହାନ୍ତି। କାରଣ, ଏହା ଥିଲା ଗୋଟାଏ ଦୁର୍ଘଟଣା। ଦୁର୍ଭାଗ୍ୟକୁ ସେ ତାଙ୍କ ଭାଇକୁ ହରାଇଲେ।

ଏବେ ସେ ବୁଲାକୁକୁର ତିପ୍ପେଶଙ୍କ ଘରେ ରହୁଛି।