ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ୍‌କୋର୍ଟ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବସ୍‌ଷ୍ଟାଣ୍ଡ, ହସ୍ପିଟାଲ, ରେଳ ଷ୍ଟେସନ୍‌ ଓ କ୍ରୀଡ଼ା କମ୍ପ୍ଲେକ୍ସଗୁଡ଼ିକ ନିକଟରୁ ବୁଲା କୁକୁରମାନଙ୍କୁ ସମ୍ପୂର୍ଣ୍ଣ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଓ ଏନ୍‌ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହିସବୁ ସ୍ଥାନରୁ ଟିକାକରଣ ଓ ବନ୍ଧ୍ୟାକରଣ ପାଇଁ ଅଣାଯାଇଥିବା ପଶୁମାନଙ୍କୁ ଆଶ୍ରୟସ୍ଥଳରେ ରଖାଯିବା ଉଚିତ। ସେମାନଙ୍କୁ ଟିକାକରଣ ପରେ ପୁନର୍ବାର ସେହିସବୁ ସ୍ଥାନକୁ ଫେରାଇ ଦେଲେ ଅନୁଷ୍ଠାନଗୁଡ଼ିକୁ ବୁଲା କୁକୁରଙ୍କ ଦୌରାତ୍ମ୍ୟରୁ ମୁକ୍ତ କରିବାର ଉଦ୍ଦେଶ୍ୟ ବିଫଳ ହେବ।

Advertisment

ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସେମାନଙ୍କ ଅଧୀନରେ ଥିବା ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡ଼ା କମ୍ପ୍ଲେକ୍ସଗୁଡ଼ିକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍‌)ମାନଙ୍କୁ ସମସ୍ତ ବିଦ୍ୟାଳୟ, କଲେଜ, ଡାକ୍ତରଖାନା, କ୍ରୀଡ଼ାଙ୍ଗନ ଓ ସରକାରୀ ଅନୁଷ୍ଠାନରେ ବୁଲା କୁକୁର ନ ପଶିବା ପାଇଁ ଠିକ୍ ଭାବେ ବାଡ଼ ଦିଆଯାଇଛି କି ନା ଦେଖିବାକୁ କହିଛନ୍ତି। ଏହିସବୁ ପରିସରରେ କୌଣସି ବୁଲା କୁକୁର ନ ଥିବା ନିଶ୍ଚିତ କରିବାକୁ ନିୟମିତ ଯାଞ୍ଚ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ବସ୍‌ଷ୍ଟାଣ୍ଡ ସମେତ ଏହିପରି ସ୍ଥାନରେ ମିଳୁଥିବା କୌଣସି ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ; ଯେଉଁଠାରୁ ସେମାନଙ୍କୁ ଧରାଯାଇଥିଲା ସେହି ସ୍ଥାନକୁ ଫେରାଇ ଦିଆଯିବ ନାହିଁ ବୋଲି ଏଥିରେ କୁହାଯାଇଛି। ବୁଲା କୁକୁରମାନେ ବିଦେଶୀ ନାଗରିକଙ୍କ ମଧ୍ୟ ଆକ୍ରମଣ କରୁଛନ୍ତି ଏବଂ ଏଭଳି ସ୍ଥିତି ଦେଶର ଛବିକୁ କ୍ଷତି ପହଞ୍ଚାଉଛି ବୋଲି ଖଣ୍ଡପୀଠ ମନ୍ତବ୍ୟ ଦେଇଛନ୍ତି। ଜାନୁଆରି ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ‌।

ରାଜସ୍ଥାନ ହାଇକୋର୍ଟ ଗତ ଅଗଷ୍ଟ ମାସରେ ରାସ୍ତା ଓ ରାଜପଥରୁ ବୁଲା ଗାଈଗୋରୁ ଓ ଅନ୍ୟାନ୍ୟ ପଶୁଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମ୍‌କୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ଅଗଷ୍ଟ ନିର୍ଦ୍ଦେଶକୁ ଦୋହରାଇବା ସହ ପୌର କର୍ତ୍ତୃପକ୍ଷ ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ)କୁ ରାଜପଥ ଓ ଏକ୍ସପ୍ରେସ୍ ୱେରୁ ସମସ୍ତ ଗୋରୁଙ୍କୁ ହଟାଇବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାରେ ବୁଲା ଗାଈଗୋରୁ ଓ ଅନ୍ୟାନ୍ୟ ପଶୁ ଥିବା ଅଞ୍ଚଳକୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ହଟାଇବା ପାଇଁ ପଦକ୍ଷେପ ନେବା ଲାଗି ମିଳିତ ସର୍ଭେ କରିବାକୁ ସଡ଼କ ପରିବହନ ବିଭାଗ, ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଓ ଏନ୍‌ଏଚ୍‌ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମ୍‌କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ରାସ୍ତାରୁ ବାହାର କରାଯାଇଥିବା ବୁଲା ପଶୁଙ୍କ ପାଇଁ ଗୋଶାଳା ଓ ଆଶ୍ରୟସ୍ଥଳ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।