ଶୌଚାଳୟ ଭିତରେ ବାଘ ଓ କୁକୁର ଫସିବା ପରେ କ’ଣ ହେଲା ଦେଖନ୍ତୁ

ବେଙ୍ଗାଲୁରୁ: ଚିତାବାଘକୁ ସମସ୍ତଙ୍କୁ ଡର। ମଣିଷ ହେଉ କି ପଶୁ, ବାଘର ପାଟି ଶୁଣିଲେ ସମସ୍ତଙ୍କ ଛାତି ଥରି ଉଠେ। ହେଲେ ମନରେ ଡର ଥାଇ ମଧ୍ୟ ଗୋଟିଏ କୁକୁର କିଭଳି ୭ଘଣ୍ଟା କାଳ ଚିତାବାଘ ସହ ଏକ ଶୌଚାଳୟରେ ଫସି ରହିଥିଲା, ସେ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, କୁକୁରକୁ ପିଛା କରୁଥିଲା ବାଘ। ନିଜ ଜୀବନକୁ ବଞ୍ଚାଇବା ପାଇଁ କୁକୁର ଏକ ଶୌଚାଳୟ ଭିତରେ ପଶିଯିବା ପରେ ଶେଷ‌ରେ ବାଘ ମଧ୍ୟ ସେହି ଶୌଚାଳୟ ଭିତରେ ପଶିଥିଲା। ଏହି ସମୟରେ ଜଣେ ଲୋକ ବାଘର ଲାଞ୍ଜ ଦେଖି ଡ଼ରରେ ଶୌଚାଳୟର କବାଟ ବାହାରପଟୁ ବନ୍ଦ କରିଦେଇଥିଲେ। ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବା କୁକୁରଟି ଶେଷ‌ରେ ନିଜ ମୃତ୍ୟୁ ସହ ଗୋଟେ ଘରେ ବନ୍ଦ ହୋଇଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ବାଘଟି କୁକୁରକୁ ଆକ୍ରମଣ କରିବା ପରିବର୍ତ୍ତେ ଚୁପ ହୋଇଯାଇଥିଲା। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ‌ ହୋଇଛି। ଫଟୋରେ ଗୋଟେ କୋଣରେ କୁକୁର ଏବଂ ଅନ୍ୟ ଏକ କୋଣରେ ବାଘ ବସିଥିବା ଦେଖାଯାଇଛି। ତେବେ ଭିତରରେ ଦୁହେଁ ଫସିବା ପରେ ଦୁହେଁ ଶାନ୍ତ ଥିବା ଦେଖିବାକୁ ମିଳିଥିଲା। ସମୟ ବଢ଼ିବା ସହ ଖବର ପାଇ ପାଖ ଗାଁର ଲୋକମାନେ ଶୌଚାଳୟ ବାହାରେ ଭିଡ଼ ଜମାଇବା ଆରମ୍ଭ କରିିଥିଲେ।

ଖବର ଦିଆଯିବା ପରେ ଚିତାବାଘକୁ ନିଶା ଦେଇ ଜଙ୍ଗଲରେ ଛାଡ଼ିବାର ଯୋଜନା କରିଥିଲା ବନ ବିଭାଗ। ହେଲେ ଶେଷରେ ବାଘଟି ଶୌଚାଳୟର ଛାତ ଭାଙ୍ଗି ଖସିପଳାଇଥିଲା। ସେହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର