ସବୁ ରାଜ୍ୟରେ କଟକଣା ବଢ଼ିଲା, ମୁକାବିଲା ପାଇଁ ଯୁଦ୍ଧସ୍ତରରେ ପ୍ରସ୍ତୁତି

ଦିଲ୍ଲୀ, ମହାରାଷ୍ଟ୍ର, ବିହାରରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌, ଜନତା କର୍ଫ୍ୟୁର ଅବଧି ବିଭିନ୍ନ ରାଜ୍ୟରେ ବଢ଼ିଲା

ନୂଆଦିଲ୍ଲୀ: ଭାରତରେ କରୋନା ପ୍ରକୋପ ଦ୍ରୁତି ଗତିରେ ବଢ଼ି ଚାଲିଛି। ଆଜି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୦ରେ ପହଞ୍ଚିଥିବା ବେଳେ ମୁକାବିଲା ପାଇଁ ସବୁ ରାଜ୍ୟରେ ଯୁଦ୍ଧସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଜି ବିହାରରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହା ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। କରୋନା ବିରୋଧୀ ଲଢ଼େଇରେ ଦେଶ ସଂପୂର୍ଣ୍ଣ ଏକଜୁଟ୍‌ ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ କଠୋର କଟକଣା କାର୍ଯ୍ୟକାରୀ କରିଛନ୍ତି।

ଦିଲ୍ଲୀ, ବିହାର ଏବଂ ମହାରାଷ୍ଟ୍ର ସରକାର କରୋନା ଭାଇରସ୍‌କୁ ରୋକିବା ପାଇଁ ଆଜିଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ସହିତ ବିଭିନ୍ନ ସହରରେ ସିଆର୍‌ପିସିର ଧାରା ୧୪୪ ଜାରି ହୋଇଛି। ଏହାଦ୍ବାରା ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଦିଲ୍ଲୀର ସମସ୍ତ ୭ଟି ଜିଲ୍ଲାରେ ଆଜିଠାରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ମହାରାଷ୍ଟ୍ରରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଆହ୍ବାନ ଦେବା ସହ ସରକାରଙ୍କ ଦ୍ବାରା ଜାରି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ କହିଛନ୍ତି। ପଶ୍ଚିମବଂଗରେ କରୋନା ଭାଇରସ୍‌ର ୪ର୍ଥ ଆକ୍ରାନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି । ପଂଜାବରେ ଆଜି ୭ଟି ନୂଆ ମାମଲା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଗୁଜରାଟରେ ୪ଟି ନୂଆ ମାମଲା ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି। ବିହାରରେ ଆଜି କରୋନା ଭାଇରସ୍‌ର ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସଂକ୍ରମଣକୁ ରୋକିବା ପାଇଁ ଦେଶର ୭୫ଟି ପ୍ରଭାବିତ ଜିଲ୍ଲାରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସେଠାରେ କେବଳ ଜରୁରୀ ସେବା ହିଁ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଦେଶର ଇତିହାସରେ ପ୍ରଥମ ଥର ପାଇଁ ରେଳବାଇ ଅନେକ ଦିନ ପାଇଁ ଟ୍ରେନ୍‌ ସେବା ବନ୍ଦ କରିଛି। ୩୧ ମାର୍ଚ୍ଚ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତ ଟ୍ରେନ୍‌ ରଦ୍ଦ କରାଯାଇଥିବା ଆଜି ଘୋଷଣା ହୋଇଛି। ଏହି ସମୟରେ କେବଳ ମାଲ୍‌ଗାଡ଼ି ହିଁ ଚାଲିବ। ଗୋଆ ସରକାର କରୋନା ମୁକାବିଲା ପାଇଁ କଟକଣା ପଦକ୍ଷେପକୁ ବ୍ୟାପକ କରିଛନ୍ତି। ରାଜ୍ୟରେ ତିନି ଦିନ ପାଇଁ ଜନତା କର୍ଫ୍ୟୁର ଅବଧିକୁ ବଢ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର