କୋଲକାତା: ପଶ୍ଚିମବଙ୍ଗରେ ୨୦୧୦ ମସିହାରୁ ପ୍ରଦାନ କରାଯାଇଥିବା ସମସ୍ତ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ପ୍ରମାଣପତ୍ରକୁ ବୁଧବାର କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ତପବ୍ରତ ଚକ୍ରବର୍ତ୍ତୀ ଓ ରାଜଶେଖର ମନ୍ଥାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓବିସି ସାର୍ଟିଫିକେଟ୍ ପ୍ରଦାନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି। ପଶ୍ଚିମବଙ୍ଗ ପଛୁଆ ବର୍ଗ ଆୟୋଗ ଦ୍ୱାରା ୧୯୯୩ର ‘ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମ’ ଆଧାରରେ ଓବିସିମାନଙ୍କର ଏକ ନୂତନ ତାଲିକା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୦ ପରେ ପ୍ରସ୍ତୁତ ହୋଇଥିବା ଓବିସି ତାଲିକାକୁ ହାଇକୋର୍ଟ ଖଣ୍ଡପୀଠ ବେଆଇନ ବୋଲି କହିଛନ୍ତି। ପଶ୍ଚିମବଙ୍ଗ ପଛୁଆ ବର୍ଗ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବ୍ୟତୀତ) ସେବା ଓ ପଦବୀ ସଂରକ୍ଷଣ ଆଇନ, ୨୦୧୨ ଧାରା ୨ଏଚ୍, ୫, ୬ ଏବଂ ଧାରା ୧୬ ଏବଂ ଅନୁସୂଚୀ ୧ ଓ ୩କୁ ହାଇକୋର୍ଟ ଅସାମ୍ବିଧାନିକ ଘୋଷଣା କରିଛନ୍ତି।
୨୦୧୧ରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଥିଲା ଯେ ୨୦୧୦ ପରେ ଦିଆଯାଇଥିବା ସମସ୍ତ ଓବିସି ସାର୍ଟିଫିକେଟ୍ ୧୯୯୩ର ‘ପଶ୍ଚିମବଙ୍ଗ ପଛୁଆ ବର୍ଗ ଆୟୋଗ ଆଇନ’କୁ ଉଲ୍ଲଂଘନ କରି କାର୍ଯ୍ୟକାରୀ ହୋଇଛି। କୋର୍ଟ ଆବେଦନର ଶୁଣାଣି କରି ସମସ୍ତ ପ୍ରମାଣପତ୍ର ରଦ୍ଦ କରିଥିବା ବେଳେ ୨୦୧୦ ପୂର୍ବରୁ ଯେଉଁମାନଙ୍କର ଓବିସି ସାର୍ଟିଫିକେଟ୍ ରହିଛି ସେମାନଙ୍କ କ୍ଷେତ୍ରରେ ଏହି ଆଦେଶ ଲାଗୁହେବ ନାହିଁ କହିଛନ୍ତି। ତେବେ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଏହି ଆଦେଶ ପୂର୍ବରୁ ଚାକିରିରେ ଥିବା କିମ୍ବା ସଂରକ୍ଷଣ ଦ୍ୱାରା ଉପକୃତ ହୋଇଥିବା କିମ୍ବା ରାଜ୍ୟର କୌଣସି ଚୟନ ପ୍ରକ୍ରିୟାରେ ସଫଳ ହୋଇଥିବା ବର୍ଗର ନାଗରିକଙ୍କ ସେବାକୁ ପ୍ରଭାବିତ କରିବ ନାହିଁ।
ଅଦାଲତ କହିଛନ୍ତି ଯେ ୨୦୧୦ ପୂର୍ବରୁ ୬୬ଟି ଶ୍ରେଣୀର ଓବିସି ବର୍ଗୀକରଣ ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟନିର୍ବାହୀ ଆଦେଶ ସମ୍ପର୍କରେ କୌଣସି ହସ୍ତକ୍ଷେପ କରାଯାଇ ନାହିଁ। ଆବେଦନରେ ଏହାକୁ ଚ୍ୟାଲେଞ୍ଜ କରାଯାଇ ନଥିବାରୁ କୋର୍ଟ ଏ ବାବଦରେ ହସ୍ତକ୍ଷେପ କରିନାହାନ୍ତି।
ଅନ୍ୟପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିବେ ନାହିଁ ବୋଲି କହିବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି ଯେଭଳି ଚାହୁଛି, ସେଭଳି ନିର୍ଦ୍ଦେଶ ଆସିଥିବାରୁ ଆମେ ଏହାକୁ ଗ୍ରହଣ କରିବୁ ନାହିଁ ବୋଲି ମମତା କହିଛନ୍ତି। ଓବିସି ସଂରକ୍ଷଣ ଜାରି ରହିବ ଏବଂ ଏଥିରେ କୌଣସି ସାଲିସ କରିବୁ ନାହିଁ ବୋଲି ସେ କହିନ୍ତି। ଓବିସି ସଂରକ୍ଷଣ ଲାଗୁ କରିବା ପୂର୍ବରୁ ସର୍ଭେ କରାଯାଇଥିଲା। ପୂର୍ବରୁ ବି ମାମଲା ରୁଜୁ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ସେମାନେ ବିଜେପି ଶାସିତ ରାଜ୍ୟର ଓବିସି ପ୍ରକ୍ରିୟା ବିଷୟରେ କାହିଁକି କହୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ହାଇକୋର୍ଟ ରାୟକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିନଥିବା ବେଳେ ସୁପ୍ରିମ୍କୋର୍ଟରେ ଏହାକୁ ଚ୍ୟାଲେଂଜ କରିବା ପାଇଁ ପ୍ରସ୍ତୁତି ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sffsfhshfshf.jpg)