ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଗୋଳ ଯୋଗୁ ତୃତୀୟ ଦିନର ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି। ବିରୋଧୀ ସାଂସଦମାନେ ଆଦାନୀ ଗ୍ରୁପ୍ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏକ ସ୍ଥଗିତାଦେଶ ନୋଟିସ ଦେଇଥିଲେ ଏବଂ ବିରୋଧୀ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଥିଲେ। ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଉଭୟ ଗୃହରେ ବିରୋଧୀ ସାଂସଦମାନେ ସ୍ଲୋଗାନ ଦେବା ସହ ହଙ୍ଗାମା କରିବା କାରଣରୁ ଲୋକସଭାର ପ୍ରକ୍ରିୟାକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଏବଂ ରାଜ୍ୟସଭାର ପ୍ରକ୍ରିୟାକୁ ପୂର୍ବାହ୍ନ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିଥିଲା।
ଲୋକସଭା ଓ ରାଜ୍ୟସଭାରେ ପ୍ରକ୍ରିୟା ଆରମ୍ଭ ହେବା ପରେ ମଧ୍ୟ ବିରୋଧୀଙ୍କ ହଙ୍ଗାମା ଏବଂ ହଟ୍ଟଭୋଳ ବନ୍ଦ ହୋଇ ନ ଥିଲା। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡ଼ିଥିଲା। ରାଜ୍ୟସଭାରେ କୌଣସି ପ୍ରକାରର କାର୍ଯ୍ୟ କରାଯାଇପାରି ନ ଥିଲା। ଏଥି ସହିତ, ଲୋକସଭାରେ ବିରୋଧୀଙ୍କ ହଙ୍ଗାମା କାରଣରୁ, ପ୍ରଶ୍ନକାଳ ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଅରୁଣ ଗୋଭିଲ ସୋସିଆଲ ମିଡିଆ ତଥା ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସଙ୍ଗ ଉଠାଇଥିଲେ ଯାହା ପୁଣିଥରେ ଗୃହରେ ଉତ୍ତେଜନା ସୃଷ୍ଟି କରିଥିଲା।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୃହରେ ଅରୁଣ ଗୋବିଲଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଆଜିର ଯୁଗରେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମରେ ସମ୍ପାଦକୀୟ ଯାଞ୍ଚର କୌଣସି ପ୍ରଣାଳୀ ନାହିଁ ଏବଂ ଏହାକୁ ଆହୁରି କଡାକଡି କରାଯିବା ଆବଶ୍ୟକ। ଅଶ୍ୱିନୀ ବୈଷ୍ଣବ ଏହା ମଧ୍ୟ କହିଛନ୍ତି ଯେ, ଆମ ଦେଶର ସଂସ୍କୃତି ଏବଂ ଏହି ପ୍ଲାଟଫର୍ମରେ ଆସୁଥିବା ବିଷୟବସ୍ତୁର ଦେଶର ସଂସ୍କୃତି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ତେଣୁ ସଂସଦର ସ୍ଥାୟୀ କମିଟି ଏହି ପ୍ରସଙ୍ଗ ଉପରେ ଦୃଷ୍ଟି ଦେବା ଏବଂ କଡା ଆଇନ ପ୍ରଣୟନ କରିବାକୁ ସେ ନିବେଦନ କରିଛନ୍ତି।
ଏହାପୂର୍ବରୁ ଅରୁଣ ଗୋଭିଲ କହିଥିଲେ ଯେ ସୋସିଆଲ ମିଡିଆରେ ପ୍ରଦର୍ଶିତ ହେଉଥିବା ବିଷୟବସ୍ତୁ ଆମର ନୈତିକ ମୂଲ୍ୟବୋଧ ଏବଂ ସଂସ୍କାରକୁ ଗଭୀର ଭାବେ ଆଘାତ ଦେଉଛି। ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ବିଷୟବସ୍ତୁ ଅଶ୍ଳୀଳ ଏବଂ ପରିବାର ସହିତ ବସିଥିବା ସମୟରେ ଦେଖାଯାଇପାରିବ ନାହିଁ । ଅଶ୍ଳୀଳ ବିଷୟବସ୍ତୁକୁ ରୋକିବା ପାଇଁ ବିଦ୍ୟମାନ ପଦକ୍ଷେପ କ’ଣ ଏବଂ ଏହି ଆଇନଗୁଡ଼ିକୁ କଠୋର କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ।
ଅଧିକ ପଢ଼ନ୍ତୁ: ଗାଜାରେ ଲେଜର ଯୁଦ୍ଧ!: ସୁରକ୍ଷା ପାଇଁ ଇସ୍ରାଏଲ 'ଆଇରନ୍ ବିମ୍' ସିଷ୍ଟମ କିଣିବ
ହଙ୍ଗାମା କାରଣରୁ ଲୋକସଭାରେ ପ୍ରଶ୍ନକାଳ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡ଼ିଥିଲା। ଗୃହ କାର୍ଯ୍ୟ ସାଧାରଣ ଭାବେ କାର୍ଯ୍ୟକାରୀ କରିବାକୁ ବାଚସ୍ପତି ଓମ ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ ଅପିଲ୍ କରିଥିଲେ, କିନ୍ତୁ ଏହାର କୌଣସି ପ୍ରଭାବ ପଡି ନ ଥିଲା। ତା’ପରେ ବାଚସ୍ପତି ଗୃହର ପ୍ରକ୍ରିୟାକୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଯେତେବେଳେ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଦିଲୀପ ସାଇକିଆ ବାଚସ୍ପତିଙ୍କ ଆସନରେ ଥିଲେ। ବିରୋଧୀ ସଦସ୍ୟମାନେ ପୁନର୍ବାର ହଙ୍ଗାମା ସୃଷ୍ଟି କରିଥିଲେ।
ଆଦାନୀ ଗ୍ରୁପ୍ ସହ ଜଡିତ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଗୃହର ପ୍ରକ୍ରିୟା କିଛି ସମୟ ପାଇଁ ଚାଲିଥିଲା। ଏହି ସମୟ ମଧ୍ୟରେ, ତାଲିକାଭୁକ୍ତ ବ୍ୟବସାୟ ଏବଂ ନିୟମ ୩୭୭ ଅନୁଯାୟୀ ଗ୍ରହଣ କରାଯାଇଥିବା ବିଷୟଗୁଡ଼ିକ ଲିଖିତ ଆକାରରେ ଉପସ୍ଥାପନ କରାଯାଇଥିଲା ଏବଂ ଏହା ପରେ ଗୃହର ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା।
ଅଧିକ ପଢ଼ନ୍ତୁ: ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ପ୍ରତି ବିଶ୍ୱାସଘାତ: ସୁପ୍ରିମକୋର୍ଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
