ଦିଲ୍ଲୀ ସୀମାରେ ପୁଲିସର କଠୋର ପଦକ୍ଷେପ : ଚାଷୀଙ୍କୁ ରୋକିବାକୁ କଣ୍ଟାବାଡ଼

ଆମକୁ ଆତଙ୍କବାଦୀ ପରି ବ୍ୟବହାର କରିବା ଦୁର୍ଭାଗ୍ୟଜନକ: ଚାଷୀନେତା

ନୂଆଦିଲ୍ଲୀ : ଆନ୍ଦୋଳନରତ ଚାଷୀମାନଙ୍କ ହିଂସାତ୍ମକ କାର୍ଯ୍ୟରୁ ଦିଲ୍ଲୀକୁ ସୁରକ୍ଷିତ ରଖିବା ଲାଗି ପୁଲିସ ଆଜି କେତେକ କଠୋର ପଦକ୍ଷେପ ଗ୍ରହଣ କରିଛି। ଦିଲ୍ଲୀ ସୀମାର ସିଙ୍ଘୁ, ଟିକ୍ରି ଓ ଗାଜିପୁର ଆଦି ଆନ୍ଦୋଳନ ସ୍ଥଳ ଅଂଚଳରେ ପୁଲିସ ଶକ୍ତ ପଥର ପାଚେରି ଗଢ଼ିବା ସହ ଜେସିବିରେ ରାସ୍ତା ଖୋଳି ସେଠାରେ ସିମେଣ୍ଟ ଦେଇ କଣ୍ଟା ବାଡ଼ ବିଛାଇଛି। ଗତ ୨୬ ତାରିଖରେ ଆନ୍ଦୋଳନକାରୀଙ୍କ ଦ୍ବାରା ଅଚାନକ ହିଂସା ଓ ଉପଦ୍ରବକୁ ଦୃଷ୍ଟିରେ ରଖି ସେଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ପୁଲିସ ଯାବତୀୟ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି।

ତେବେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଚାଷୀନେତାମାନେ ତୀବ୍ର ବିରୋଧ କରିଛନ୍ତି। ସେମାନଙ୍କୁ ସରକାର କ’ଣ ଆତଙ୍କବାଦୀ ମନେ କରି ଏପରି ଇଣ୍ଟରନେଟ୍‌ ସେବାରୁ ବଞ୍ଚିତ କରାଇବା ସହ ରାସ୍ତାରେ ପାଚେରି ଉଠାଇ ଚଳାଚଳକୁ ବନ୍ଦ କରିଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ କୌଣସି ଦମନ ନୀତିରେ ଚାଷୀ ଦବିଯିବେ ନାହିଁ। ସରକାର ଚାଷୀମାନଙ୍କ ଦାବି ପ୍ରତି କୌଣସି ସମ୍ବେଦନା ଦେଖାଇବା ପରିବର୍ତ୍ତେ କଠୋର ନୀତି ଗ୍ରହଣ କରୁଥିବାରୁ ଆମେ ଦୃଢ଼ତାର ସହ ଏହାର ମୁକାବିଲା କରିବୁ ବୋଲି ଟିକାୟତ କହିଛନ୍ତି। ପୁଲିସର ଏଭଳି ବହୁସ୍ତରୀୟ ରାସ୍ତା ଅବରୋଧ ବ୍ୟବସ୍ଥାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ବହୁ ବିରୋଧୀ ଦଳ ନେତା କଟୁ ସମାଲୋଚନା କରିଛନ୍ତି। ସରକାର ଏଭଳି ବାଡ଼ ନିର୍ମାଣ ନକରି ପୋଲ କି ବନ୍ଧ ନିର୍ମାଣ କରନ୍ତୁ ବୋଲି ରାହୁଲ ପରାମର୍ଶ କରିଛନ୍ତି। ଦିଲ୍ଲୀ ପୁଲିସ କମିସନର ଏସ୍‌ ଏନ୍‌ ଶ୍ରୀବାସ୍ତବ କହିଛନ୍ତି ଯେ ଗୁଇନ୍ଦା ସୂଚନା ଆଧାରରେ ଦିଲ୍ଲୀ ପ୍ରବେଶ ପଥରେ ସୁରକ୍ଷା ବ୍ୟବସ୍ଥାକୁ ଏପରି ସୁଦୃଢ଼ କରାଯାଇଛି। ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାସ୍ତାରେ ପୁଲିସ ବାରିକେଡ୍‌ ଭାଙ୍ଗି ଆନ୍ଦୋଳନକାରୀ ଟ୍ରାକ୍ଟର ଚାଳକମାନେ ଯେଭଳି ଆତଙ୍କରାଜ ଓ ପୁଲିସ ଉପରେ ଆକ୍ରମଣ କଲେ ସେଭଳି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ ଏଭଳି ଯୋଜନା କରାଯାଇଛି ବୋଲି କମିସନର କହିଛନ୍ତି।

ସମ୍ବନ୍ଧିତ ଖବର