ସ୍ୱତନ୍ତ୍ର ସୋସିଆଲ ମିଡିଆ ନିୟମ ପ୍ରଣୟନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶରେ ‘ସୋସିଆଲ ମିଡିଆ’ ବା ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ଏକ ସନ୍ତୁଳନ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ସୋସିଆଲ ମିଡିଆ ନିୟମ ପ୍ରଣୟନ କରିବା ପାଇଁ ସୁପ୍ରିମ୍‌ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱତନ୍ତ୍ର ସୋସିଆଲ ମିଡିଆ ନିୟମ ପ୍ରଣୟନ କରିବାରେ ସରକାର କେତେଦୂର ଅଗ୍ରସର ହେଲେ ସେ ସଂପର୍କରେ ଆସନ୍ତା ତିନି ସପ୍ତାହ ମଧ୍ୟରେ ଏକ ସତ୍ୟପାଠ ଜରିଆରେ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇବା ପାଇଁ ମଧ୍ୟ ଜାରି ନିର୍ଦ୍ଦେଶନାମାରେ କହିଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକ ମାମଲାର ବିଚାର କରିବା ଅବସରରେ ସୋସିଆଲ ମିଡିଆ କ୍ଷେତ୍ରରେ ଏକ ସନ୍ତୁଳନ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ସୋସିଆଲ ମିଡିଆ ନିୟମ ପ୍ରଣୟନ କରିବା ପାଇଁ କହିଛନ୍ତି। ଏହି ସ୍ୱତନ୍ତ୍ର ନିୟମ ପ୍ରଣୟନ ବେଳେ ବ୍ୟକ୍ତିର ଗୋପନୀୟତା ଓ ଦେଶର ଅଖଣ୍ଡତାକୁ ଗୁରୁତ୍ୱ ଦେବାକୁ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ମିଥ୍ୟା ଖବର (ଫେକ୍‌ ନ୍ୟୁଜ୍‌) ଓ ବ୍ୟକ୍ତଗତ ଚରିତ୍ର ସଂହାର ଉପରେ କିପରି ରୋକ୍‌ ଲଗାଯାଇ ପାରିବ ସେଥିପାଇଁ ମଧ୍ୟ ଏହି ନୂତନ ଆଇନ୍‌ରେ ପ୍ରାବଧାନ ରଖିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‌ କୋର୍ଟ।

ସମ୍ବନ୍ଧିତ ଖବର