ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା, ସୀମାପାର ଆତଙ୍କବାଦ ପ୍ରସଙ୍ଗକୁ ସାମିଲ କରାଗଲା

ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଭାରତର ଆହ୍ବାନ

ବିସ୍କେକ୍: ଭାରତର ଆତଙ୍କବାଦ ବିରୋଧୀ ଅଭିଯାନକୁ ବଡ଼ ସଫଳତା ମିଳିଛି। ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମ୍ମିଳନୀରେ ଆଜି ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଜାରି କରାଯାଇଥିବା ଘୋଷଣାପତ୍ରରେ ଆତଙ୍କବାଦ ପ୍ରସଙ୍ଗକୁ ସ୍ଥାନିତ କରାଯାଇଛି ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କୁ କଡ଼ା ବାର୍ତ୍ତା ଦିଆଯାଇଛି । ଭାରତ ପକ୍ଷରୁ ବାରମ୍ବାର ଉଠାଯାଇଥିବା ‘ସୀମାପାର ଆତଙ୍କବାଦ’କୁ ଏହି ଘୋଷଣାପତ୍ରରେ ସ୍ଥାନ ଦିଆଯାଇଥିବାରୁ ଏହା ପାକିସ୍ତାନ ପାଇଁ ସିଧାସଳଖ ଚେତାବନୀ ସଦୃଶ ହୋଇଛି। ଆଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବୟାନରେ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଥିବା ଦେଶମାନଙ୍କୁ ଦାୟୀ କରାଯିବା ଏବଂ ସେମାନଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆତଙ୍କବାଦୀଙ୍କୁ ସହାୟତା, ଆଶ୍ରୟ, ଅର୍ଥ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ରାଷ୍ଟ୍ର ବିରୋଧରେ ଏକଜୁଟ୍‌ ହୋଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ପରୋକ୍ଷ ଭାବେ ପାକିସ୍ତାନକୁ ଟାର୍ଗେଟ୍‌ କରି ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ଏହାର ମୁଖା ଖୋଲି ଦେଇଥିଲେ। ଆତଙ୍କବାଦର ମୂଳ ପୋଛ ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ର ମିଳିତ ପ୍ରୟାସ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ସଦସ୍ୟ ରାଷ୍ଟ୍ରମାନେ ପୂର୍ଣ୍ଣ ସମର୍ଥନ କରିଥିଲେ।

ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି ଯେ ସମସ୍ତ ସଦସ୍ୟ ରାଷ୍ଟ୍ର ଆତଙ୍କବାଦ ବିରୋଧରେ ଏକସ୍ବରରେ ବୟାନ ରଖିଛନ୍ତି ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରମାନଙ୍କୁ ଏଥିରୁ କଡ଼ା ବାର୍ତ୍ତା ମିଳିଛି। ଏସ୍‌ସିଓ ରାଷ୍ଟ୍ରମାନଙ୍କ ମଧ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କେତେକ ବିଶେଷ ଯୋଜନା ସଂପର୍କରେ ମଧ୍ୟ ଆଲୋକପାତ କରିଥିଲେ। ଭାରତର ୧୦ଟି ଶ୍ରେଷ୍ଠ ପୁସ୍ତକର ଅନୁବାଦ ମଧ୍ୟ ଏସ୍‌ସିଓ ରାଷ୍ଟ୍ରମାନଙ୍କ ଭାଷାରେ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏସ୍‌ସିଓ ବୈଠକ ଅବସରରେ ଇରାନ୍‌ ରାଷ୍ଟ୍ରପତି ହସନ ରୋହାନିଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସମୟ ଅଭାବ ଯୋଗୁଁ ଏହା ହୋଇପାରି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର