ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ବ୍ୟାପକ କ୍ଷୟକ୍ଷତି, ବହୁ ଅଟ୍ଟାଳିକା, ପୋଲ ଧ୍ବସ୍ତ; ସୁନାମୀ ଚେତାବନୀ ଜାରି

ତାଇପେଇ: ତାଇୱାନର ଦକ୍ଷିଣ ପୂର୍ବ ଭାଗରେ ରବିବାର ଦିନ ୭.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ମୃତାହତଙ୍କ ସଂପର୍କରେ କୌଣସି ରିପୋର୍ଟ ଜାରି ହୋଇନାହିଁ।

ରବିବାର ସକାଳେ ପ୍ରଥମେ ୬.୮ ଏବଂ ଏହାର କିଛି ସମୟ ପରେ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ତାଇପେଇ ନିକଟସ୍ଥ ୟୁଲିରେ ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପର କେନ୍ଦ୍ର ଚିସାଙ୍ଗ୍‌ ଅଂଚଳରେ ସର୍ବାଧିକ କ୍ଷୟକ୍ଷତି ଘଟିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନେକ ସ୍ଥାନରେ ସଡ଼କ ଦବି ଯିବା ସହ ଟ୍ରେନ୍‌ ଲାଇନ୍‌ ମଧ୍ୟ ଧସିଯାଇଛି। ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଅନେକ ଆହତ ହୋଇଛନ୍ତି। ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସରକାରଙ୍କ ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଛି।

ଭଗ୍ନସ୍ତୂପ ତଳେ ଦବି ରହିଥିବା ଲୋକଙ୍କୁ ଯୁଦ୍ଧସ୍ତରରେ ଉଦ୍ଧାର କରାଯାଉଛି। ଏକ ଟ୍ରେନ୍‌ ବ୍ରିଜ୍‌ ଉପରେ ଯାଉଥିବା ବେଳେ ଭୂମିକମ୍ପ ପ୍ରଭାବରେ ତଳକୁ ଖସି ପଡ଼ିଛି। ଭୂକମ୍ପ ଝଟ୍‌କାରେ ରବିବାର ଦିନ ସମଗ୍ର ତାଇୱାନ ଥରି ଉଠିଥିଲା ଏବଂ ଲୋକେ ଭୟରେ ଘର ଛାଡ଼ି ରାସ୍ତାକୁ ଦୌଡ଼ିଥିଲେ। ତାଇୱାନ ସେଣ୍ଟ୍ରାଲ ନ୍ୟୁଜ୍‌ ଏଜେନ୍ସି ରିପୋର୍ଟ ମୁତାବକ ଏହି ଭୂକମ୍ପର ଗଭୀରତା ମାତ୍ର ୭ କିମି ରହିଥିବାରୁ ଅଧିକ ପ୍ରଭାବ ଦେଖାଇଥିଲା। ତାଇୱାନ ଭୂକମ୍ପ ପରେ ଜାପାନରେ ମଧ୍ୟ ସୁନାମୀ ଚେତାବନୀ ଦିଆଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାହାକୁ ପ୍ରତ୍ୟାହାର କରିନିଆଯାଇଛି। ୧୯୯୯ରେ ତାଇୱାନରେ ୭.୩ ତୀବ୍ରତାର ଭୂମିକମ୍ପ ହୋଇ ୨ ହଜାର ଲୋକ ପ୍ରାଣ ହରାଇଥିଲେ।

ସମ୍ବନ୍ଧିତ ଖବର