ଦକ୍ଷିଣ ଫିଲିପ୍ପିନ୍‌ସ୍‌ରେ ଶକ୍ତିଶାଳୀ ଭୂମିକମ୍ପ

ମାନିଲା: ଗୁରୁବାର ରାତିରେ ଏକ ଶକ୍ତିଶାଳୀ ଭୂମିକମ୍ପ ଦକ୍ଷିଣ ଫିଲିପ୍ପିନ୍‌ସ୍‌ର କେତେକ ଅଞ୍ଚଳକୁ ଥରାଇ ଦେଇଛି। କିନ୍ତୁ, ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଏହି ଭୂମିକମ୍ପ ଭୂଗର୍ଭର ଖୁବ୍‌ ଗଭୀରରେ ସଂଘଠିତ ହୋଇଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ କି, ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ।

ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ୭.୦ ବୋଲି ରେକର୍ଡ କରାଯାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିଛି। ସମୁଦ୍ର ଶଯ୍ୟା ଅଭ୍ୟନ୍ତର ଭୂଗର୍ଭର ପ୍ରାୟ ୯୫.୮ କିଲୋମିଟର ତଳେ ଏହି ଭୂମିକମ୍ପ ସଂଘଠିତ ହୋଇଥିଲା। ଦାବାଓ ଅକ୍ସିଡେଣ୍ଟାଲ୍‌ ପ୍ରଦେଶର ପୋଣ୍ଡାଗୁଟିଆନ୍‌ର ଦକ୍ଷିଣପୂର୍ବକୁ ପ୍ରାୟ ୨୧୦ କିଲୋମିଟ ଦୂର ହେଉଛି ଏହାର ଉତ୍ପତ୍ତିସ୍ଥଳ।

Image Courtesy of CNA

ଏହି ଭୂମିକମ୍ପର କମ୍ପନ ଆଖପାଖ ସହର ଓ ଅଞ୍ଚଳମାନଙ୍କରେ ଅନୁଭୂତ ହୋଇଥିବା କଥା ‘ଫିଲିପ୍ପିନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭଲ୍‌କାନୋଲୋଜି ଆଣ୍ଡ୍‌ ସିସ୍‌ମୋଲୋଜି’ କହିଛି। ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିଛି ଯେ, ଏଥିଯୋଗୁଁ କେହି ମୃତାହତ ହୋଇଥିବା ବା ବିଶେଷ କିଛି ନଷ୍ଟ ହୋଇଥିବା ସମ୍ଭାବନା କ୍ଷୀଣ। ଏହାଛଡ଼ା ସୁନାମି ଆସିବାର ଆଶଙ୍କା ମଧ୍ୟ ନାହିଁ। ଭୂଗର୍ଭର ଅତି ଗଭୀରରେ ସୃଷ୍ଟ ଭୂମିକମ୍ପଯୋଗୁଁ ସାଧାରଣତଃ ଭୂଗର୍ଭରେ ସାମାନ୍ୟ କ୍ଷୟକ୍ଷତି ହୋଇଥାଏ।

ପ୍ରଶାନ୍ତ ମହାସାଗର ଚାରିପଟେ ଥିବା ‘ଅଗ୍ନି ବଳୟ’ ବା ‘ଫଲ୍‌ଟ୍‌’ ପାଖେ ପାଖେ ଫିଲିପ୍ପିନ୍‌ସର ଅବସ୍ଥିତି। ତେଣୁ ପୃଥିବୀର ଅଧିକାଂଶ ଭୂମିକମ୍ପ ଏଠାରେ ଅନୁଭୂତ ହୁଏ। ଏହାଛଡ଼ା ପ୍ରତିବର୍ଷ ଫିଲିପ୍ପିନ୍‌ସ୍‌ରେ ବର୍ଷକୁ ପ୍ରାୟ ୨୦ଟି ସାମୁଦ୍ରିକ ବାତ୍ୟା ମଧ୍ୟ ହୋଇଥାଏ।

ସମ୍ବନ୍ଧିତ ଖବର