କଲୋରଡୋ/ ନୂଆଦିଲ୍ଲୀ: କରୋନାଭାଇରସ୍ ବା କୋଭିଡ୍-୧୯ର ଦ୍ୱିତୀୟ ଲହର ଭାରତ ସମେତ ସମଗ୍ର ବିଶ୍ୱରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି। ଏ ପରିସ୍ଥିତିରେ କୋଭିଡ୍-୧୯ ସଂକ୍ରମଣକୁ ନେଇ ଏକ ସାଂଘାତିକ ତଥ୍ୟ ସାମନାକୁ ଆସିଛି।
ଏକ ଗବେଷଣାରୁ ‘ନିଶ୍ଚିତ’ ଏବଂ ‘ଦୃଢ଼’ ପ୍ରମାଣ ମିଳିଛି ଯେ କୋଭିଡ୍-୧୯ର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ବିସ୍ତାର କରୁଥିବା ସାର୍ସ-କୋଭ୍-୨ ଭୂତାଣୁ ସାଂଘାତିକ ଭାବେ ବାୟୁ ବାହିତ ଏବଂ ବାୟୁ ଦ୍ୱାରା ହିଁ ବ୍ୟାପୁଛି । ଏକ ନୂତନ ମୂଲ୍ୟାଙ୍କନ ଅନୁଯାୟୀ, ଭୂତାଣୁ ନିଜର କାୟା ବିସ୍ତାର କରି ବାୟୁରେ ମିଶିଯିବା ପରେ ବାୟୁ ମାଧ୍ୟମରେ ହିଁ ସଂକ୍ରମଣକୁ ବିସ୍ତାରିତ କରିଥାଏ। ବ୍ୟାପକ ଗବେଷଣା ପରେ ଜଣାପଡ଼ିଥିବା ଏହି ତଥ୍ୟ ଆଜି ଆମେରିକୀୟ ମେଡିକାଲ୍ ଜର୍ଣ୍ଣାାଲ୍ ଲାନସେଟ୍ରେ ଆଜି ପ୍ରକାଶିତ ହୋଇଛି।
/sambad/media/post_attachments/wp-content/uploads/2021/04/Lancet.jpg)
ପ୍ରକାଶିତ ରିିପୋର୍ଟରେ କୁହାଯାଇଛି ଯେ ମିଳିଥିବା ପ୍ରମାଣ ଅନୁସାରେ ନୂତନ କୋଭିଡ୍-୧୯ ଭୂତାଣୁ ସାର୍ସ-କୋଭ୍-୨ ମୁଖ୍ୟତଃ ବାୟୁ ମାଧ୍ୟମରେ ସଂକ୍ରମିତ ହେଉଛି । ତେଣୁ, ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ସହଜରେ ବ୍ୟାପୁଛି। ଫଳରେ ସାଧାରଣ ଜନସ୍ୱାସ୍ଥ୍ୟ ପଦକ୍ଷେପ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇ ନ ଥାଏ। ବ୍ରିଟେନ, ଆମେରିକା ଏବଂ କାନାଡାର ୬ ଜଣ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏହି ଗବେଷଣା ଅନୁଯାୟୀ ସଂକ୍ରମଣ ବିସ୍ତାର କରୁଥିବା ଏହି ଭୂତାଣୁ ବାୟୁ ଦ୍ବାରା ବ୍ୟାପୁଛି। ପ୍ରମାଣ ଏହାକୁ ସମର୍ଥନ କରୁଛି ଏବଂ ବୃହତ ଡ୍ରପଲେଟ୍ ଟ୍ରାନ୍ସମିସନକୁ ସମର୍ଥନ କରୁଥିବା ପ୍ରମାଣ ପ୍ରାୟ ନାହିଁ। ବହୁ ବ୍ୟକ୍ତିଙ୍କୁ ନେଇ ଏକାଧିକ ପରୀକ୍ଷା ଓ ଗବେଷଣା କରିବା ପରେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଗବେଷକ ଗୋଷ୍ଠୀ।
ତେଣୁ, ଏହା ଜରୁରୀ ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକ ଏହାକୁ ଗୂୁରୁତ୍ୱର ସହ ଗ୍ରହଣ କରନ୍ତୁ, ଯାହା ଫଳରେ ବାୟୁମଣ୍ଡଳରେ ଏହି ଭୂତାଣୁର ପ୍ରସାରଣକୁ ହ୍ରାସ କରାଯାଇ ପାରିବ ବୋଲି କହିଛନ୍ତି ଏହି ଗବେଷକ ଗୋଷ୍ଠୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Lancet1.jpg)