ଭାରତ କଥାରେ ପଡି ବିଶ୍ୱବ୍ୟାଙ୍କ ଆମ ଗୁହାରୀ ଶୁଣୁନାହିଁ : ପାକିସ୍ତାନ

ଇସ୍ଲାମାବାଦ : ନଦୀଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ଏବେ ବିଶ୍ୱବ୍ୟାଙ୍କରେ ପହଞ୍ଚିଛି । ଚୁକ୍ତି ଅନୁସାରେ ଭାରତ ପାଣି ଦେଉନାହିଁ ବୋଲି ପାକିସ୍ତାନ ବିଶ୍ୱବ୍ୟାଙ୍କଆଗରେ ଅଭିଯୋଗ କରିଛି । କିନ୍ତୁ ବିଶ୍ୱବ୍ୟାଙ୍କ ପାକିସ୍ତାନ କଥାକୁ ବିଶ୍ୱାସ କରୁନାହିଁ । ପାକିସ୍ତାନର ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହିଁ । ଏହି ପ୍ରସଙ୍ଗରେ ପାକିସ୍ତାନ ଓ ବିଶ୍ୱ ବ୍ୟାଙ୍କ ମଧ୍ୟରେ ଦୁଇ ଦିନଧରି ଚାଲିଥିବା ଆଲୋଚନାରେ କୌଣସି ସହମତି ହୋଇପାରିନାହିଁ । ଏଥିପାଇଁ ମଧ୍ୟ ପାକିସ୍ତାନ ଭାରତକୁ ଦାୟୀ କରିଛି । ପାକିସ୍ତାନୀ ସରକାରଙ୍କ ଏକ ଉକ୍ତିକୁ ଉଦ୍ଧାର କରି ପାକିସ୍ତାନର ଏକ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ କହିଛିି ଯେ ବିଶ୍ୱ ବ୍ୟାଙ୍କରେ ଭାରତର ଲବି ଭଲଭାବରେ କାମ କରୁଛି । ଆମେରିକାରେ ଥିବା ଭାରତୀୟଙ୍କ ପ୍ରଭାବ ବଢିଚାଲିଥିବାରୁ ବିଶ୍ୱ ବ୍ୟାଙ୍କରେ ମଧ୍ୟ ଭାରତର ଲବି ବଢିଚାଲିଛି । କିନ୍ତୁ ପାକିସ୍ତାନ ଭାରତର ଲବି କମାଇବାକୁ କିଛି କରିପାରୁନାହିଁ । ଏଥିପାଇଁ ଭାରତ ସିନ୍ଧୁ ଜଳବଣ୍ଟନ ଚୁକ୍ତିର ଉଲ୍ଳଙ୍ଘନ କରିଚାଲିଥିବାବେଳେ ଇସ୍ଲାବାବାଦ ତାହାକୁ ଆଖିବୁଜି ଦେଇଛି ।
ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ରହିଛି । କିନ୍ତୁ ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତ ଏହି ଚୁକ୍ତିକୁ ମାନୁନାହିଁ । ଏହି ଚୁକ୍ତିକୁ ନ ମାନି ଭାରତ ନଦୀବନ୍ଧ ନିର୍ମାଣ କରୁଛି ବୋଲି ପାକ କହିଛି ।

ସମ୍ବନ୍ଧିତ ଖବର