ଜମାତ୍‌-ଇ-ଇସ୍‌ଲାମି ସହ ପାକ୍‌ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ଭିତିରି ସଂପର୍କ ରହିଛି: ସୂତ୍ର

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ସଂଗଠନ ଜମାତ୍‌-ଇ-ଇସ୍‌ଲାମି ଜମ୍ମୁ-କଶ୍ମୀରର ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସହ ଭିତିରି ସଂପର୍କ ରହିଛି ବୋଲି ନିକଟରେ ସରକାରୀ ଅଧିକାରିକ ସୂତ୍ରରୁ ଜାଣିବାକୁ ମିଳିଛି। ଏହାଛଡ଼ା କଶ୍ମୀରରେ ଜିହାଦ୍‌(ଇସ୍‌ଲାମ ଧର୍ମର ଶତ୍ରୁଙ୍କ ବିରୋଧରେ ଲଢ଼ିବା)କୁ ପ୍ରୋତ୍ସାହନ ଦେବା ସହ ଜମାତ୍‌-ଇ-ଇସ୍‌ଲାମି ନିୟମିତ ଭାବେ ନୂଆଦିଲ୍ଲୀରେ ଥିବା ପାକିସ୍ତାନୀ ହାଇକମିସନ ସହ ଯୋଗାଯୋଗରେ ରହୁଛି ବୋଲି ସୂଚନା ରହିଛି।

ଜଣେ ଅଧିକାରୀଙ୍କ କହିବା ମୁତାବକ, ଜମାତ୍‌-ଇ-ଇସ୍‌ଲାମିର ନେତାମାନେ ବିଭିନ୍ନ ଜେହାଦୀ ସଂଗଠନରେ ସାମିଲ୍ କଶ୍ମୀରୀ ଯୁବକମାନଙ୍କର ଖାଦ୍ୟ, ପ୍ରଶିକ୍ଷଣ ଓ ଅସ୍ତ୍ରଶସ୍ତ୍ର ଆଦିର ବ୍ୟବସ୍ଥା କରିଥାନ୍ତି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ଇସାରାରେ ଏପରି ହୁଏ ବୋଲି ସୂଚନା ରହିଛି।

ଏହି ସଂଗଠନର ମୁଖ୍ୟ ସଦସ୍ୟ ହୁରିୟତ କନ୍‌ଫରେନ୍ସ ନେତା ସୈୟଦ ଅଲ୍ଳୀ ଶାହା ଗିଲାନି ଜିହାଦ୍‌ ନାମରେ ଜମ୍ମୁ-କଶ୍ମୀରର ଲୋକଙ୍କୁ ଭଡ଼କଉଛନ୍ତି ବୋଲି ଖବର ହସ୍ତଗତ ହୋଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜମାତ୍‌-ଇ-ଇସ୍‌ଲାମିର ନେଟଓ୍ଵର୍କ କଶ୍ମୀର ଅଞ୍ଚଳରେ ଖୁବ୍‌ ସକ୍ରିୟ। ସ୍କୁଲ୍‌ରେ ଛାତ୍ରଛାତ୍ରୀମାନଙ୍କୁ ଏହି ସଂଗଠନ ଭାରତ ବିରୋଧୀ କାର୍ଯ୍ୟ ପାଇଁ ପ୍ରେରିତ କରିଥାଏ। କଶ୍ମୀରର ଯୁବକମାନଙ୍କୁ ଏହି ସଂଗଠନ ଜିହାଦ୍‌ ନାମରେ ଆତଙ୍କବାଦୀ କାର୍ଯ୍ୟରେ ବି ନିୟୋଜିତ କରାଯାଏ। ତେବେ,ଏ ସଂପର୍କରେ ଅଧିକାରୀଙ୍କ କହିବା କଥା ହେଲା କି ପାକିସ୍ତାନ ହାଇ କମିସନ କିମ୍ବା ଆଇଏସ୍‌ଆଇର ଜମାତ୍‌-ଇ-ଇସ୍‌ଲାମି ସହ ସଂପର୍କ ଥିବା ସେପରି କୌଣସି ବରାଟ ଆଶ୍ଚର୍ଯ୍ୟଜନକ କଥା ନୁହେଁ।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜମାତ୍‌-ଇ-ଇସ୍‌ଲାମିକୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ହିଜବୁଲ୍‌-ମୁଜାହିଦ୍ଦିନ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନରୁ ଆର୍ଥିକ ସହାୟତା ମିଳିଥାଏ।

ଜାଣିରଖନ୍ତୁ ଯେ ବେନିୟମ କାର୍ଯ୍ୟକଳାପ ଓ ଆତଙ୍କବାଦୀ ଗତିବିଧି ଲକ୍ଷ୍ୟ କରି କେନ୍ଦ୍ର ସରକାର କଶ୍ମୀର କଠୋରପନ୍ଥୀ ପୃଥକ ବାଦୀ ସଂଗଠନ ଜମାତ୍‌-ଇ-ଇସ୍‌ଲାମି ଉପରେ ପ୍ରତିବନ୍ଧ ଲଗାଇ ଦେଇଥିଲେ। ମାର୍ଚ ୭ ତାରିଖରେ ଜମାତ୍‌-ଇ-ଇସ୍‌ଲାମିର ମୁଖ୍ୟାଳୟକୁ ପୁଲିସ୍‌ ସିଲ୍‌ କରି ଦେଇଥିଲା। ମୁଖ୍ୟାଳୟରୁ କିଛି ଦସ୍ତାବିଜ୍‌ ଓ କମ୍ପ୍ୟୁଟର୍‌ ବି ଜବତ ହୋଇଛି।

ପୁଲିସ୍‌ ଏହି ସଂଗଠନ ସହ ଯୋଡ଼ି ହୋଇଥିବା ୬୦୦ ଲୋକଙ୍କୁ ଅଟକ ରଖିବା ସହ ପାଖାପାଖି ୮୦ଟି ସଂସ୍ଥା, ଅଫିସ୍‌ ଓ ୭୫ ବ୍ୟାଙ୍କ୍‌କୁ ସିଲ୍‌ କରି ସାରିଲାଣି।

ସମ୍ବନ୍ଧିତ ଖବର