ୱାସିଂଟନ୍: ଗାଜା- ଇସ୍ରାଏଲ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆନ୍ତର୍ଜାତିକ ନ୍ୟାୟ ଅଦାଲତ (ଆଇସିସି) ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିର୍ଦ୍ଦେଶକୁ ଖାତିର ନକରି ଇସ୍ରାଏଲ ନିଜର ଗାଜା ଅଭିଯାନ ଜାରି ରଖିଛି। ଏହି ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଗିରଫ କରିବା ପାଇଁ ଆଇସିସି ସୁପାରିସ କରିଥିବା ବେଳେ ଏହା ବିରୋଧରେ ଆଜି ଆମେରିକା ସଂସଦରେ ଜୋରଦାର ପ୍ରତିବାଦ ହୋଇଛି । ଆଇସିସିର ଇସ୍ରାଏଲ ବିରୋଧୀ ପଦକ୍ଷେପ ବିରୋଧରେ ରିପବ୍ଲିକାନ୍ ଦଳର ବିଲ୍ ବିପୁଳ ସମର୍ଥନରେ ଗୃହୀତ ହୋଇଛି । ଏହି ବିଲ୍ ବଳରେ ଆମେରିକା ଆଇସିସି ଉପରେ କଟକଣା ଲଗାଇବ।
ଆଜି, ଆମେରିକା ସଂସଦରେ ରିପବ୍ଲିକାନ୍ ଦଳର ଟେକ୍ସାସ୍ ସଦସ୍ୟ ସିପ୍ ରୟ ‘ବେଆଇନ କୋର୍ଟ ପ୍ରତିରୋଧ ଆଇନ’ ଚିଠାକୁ ଉପସ୍ଥାପିତ କରିଥିଲେ। ଇସ୍ରାଏଲ ବିରୋଧରେ ଆନ୍ତର୍ଜାତିକ କୋର୍ଟ କୌଣସି ପ୍ରତିକୂଳ ନିର୍ଦ୍ଦେଶ ଦେଇପାରିବ ନାହିଁ ଏବଂ ଯଦି ଦେବେ ତେବେ ଆନ୍ତର୍ଜାତିକ କୋର୍ଟ ଓ ଏହା ସହ କାର୍ଯ୍ୟ କରୁଥିବା କିମ୍ବା ସହାୟତା ଯୋଗାଉଥିବା ସଂସ୍ଥା, ବ୍ୟକ୍ତି ବିଶେଷଙ୍କ ବିରୋଧରେ ବାଧ୍ୟତାମୂଳକ କଟକଣା, ଭିସା ପ୍ରତିବନ୍ଧକ ଜାରି କରାଯିବ ବୋଲି ବିଲ୍ରେ କୁହାଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ବିରୋଧ ସତ୍ବେ ଏହି ବିଲ୍କୁ ଉପସ୍ଥିତ ମୋଟ ୨୪୭ ସଦସ୍ୟଙ୍କ ମଧ୍ୟରୁ ୧୫୫ଟି ଭୋଟ ମିଳିଥିଲା। ଏପରିକି ଶାସକ ଡେମୋକ୍ରାଟିକ୍ ଦଳର ୪୨ଜଣ ସଦସ୍ୟ ଦଳ ବିରୋଧରେ ଯାଇ ବିଲ୍କୁ ସମର୍ଥନ ଦେଇଥିଲେ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟଙ୍କୁ ଗିରଫ କରିବାକୁ ଆନ୍ତର୍ଜାତିକ କୋର୍ଟର ମୁଖ୍ୟ ବିଚାରପତି କରିମ୍ ଖାନ୍ ନିର୍ଦ୍ଦେଶ ଜାରି କରିଥିଲେ। ଉଭୟ ନେତା ଗାଜା ଯୁଦ୍ଧରେ ସ୍ପଷ୍ଟ ଭାବେ ‘ଯୁଦ୍ଧ ଅପରାଧ ଓ ମାନବିକତା ବିରୋଧରେ ଅପରାଧ’ କରିଛନ୍ତି ବୋଲି ଉକ୍ତ ନିର୍ଦ୍ଦେଶରେ କୁହାଯାଇଥିଲା ଏବଂ ଗିରଫ ପାଇଁ ସମନ ଜାରି ହୋଇଥିଲା।