ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୋମବାର ଦିନ ସିବିଆଇ ସମନ୍ କରିଥିଲା। ସିସୋଦିଆ ସୋମବାର ଦିନ ଜେରା ପାଇଁ ସିବିଆଇରେ ହାଜର ହୋଇଥିଲେ। ତେବେ ସିସୋଦିଆଙ୍କ ସିବିଆଇ ଜେରାକୁ ଆପ୍ ପକ୍ଷରୁ ସୋମବାର ଦିନ ଜୋରଦାର ବିରୋଧ କରାଯାଇଛି। ଆପ୍ ସିସୋଦିଆଙ୍କୁ ସହିଦ ଭଗତ ସିଂହଙ୍କ ସହ ତୁଳନା କରିଛି। ସିସୋଦିଆଙ୍କୁ ଗୁଜରାଟ ନିର୍ବାଚନରୁ ଅଟକାଇବାପାଇଁ ତାଙ୍କୁ ଭୁଲ୍ ମାମଲାରେ ଫସାଯାଇଛି ବୋଲି ଆପ୍ ନେତାମାନେ ଦାବି କରିଥିଲେ।
ଇତି ମଧ୍ୟରେ ସିସୋଦିଆଙ୍କୁ ଭଗତ ସିଂହଙ୍କ ସହ ତୁଳନା କରାଯାଇଥିବାରୁ କଂଗ୍ରେସ ଏବଂ ବିଜେପି ଏହାର କଡ଼ା ନିନ୍ଦା କରିଛନ୍ତି। ସିସୋଦିଆଙ୍କୁ ଦୁର୍ନୀତି ଗ୍ରସ୍ତ କହି କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖଇରା କେଜ୍ରିୱାଲଙ୍କଠାରୁ କ୍ଷମା ଦାବି କରିଛନ୍ତି। ସହିଦ ଭଗତ ସିଂହଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ନେତାଙ୍କ ସହ ତୁଳନା କରି ଅପମାନ ଦିଆଯାଇଥିବାରୁ ଆମେ ଭାରତୀୟ କେଜ୍ରିୱାଲଙ୍କଠାରୁ ନିଃସର୍ତ୍ତ କ୍ଷମା ଦାବି କରୁଛୁ। ବରିଷ୍ଠ ବିଜେପି ନେତାମାନେ ମଧ୍ୟ ଆପ୍ଠାରୁ ନିଃସର୍ତ୍ତ ଏବଂ ତତ୍କାଳ କ୍ଷମା ଦାବି କରିଛନ୍ତି।