ବେଜିଙ୍ଗ୍: ଉତ୍ତରପଶ୍ଚିମ ଓ ଦକ୍ଷିଣପଶ୍ଚିମ ଚୀନ୍‌ରେ କ୍ରମାନ୍ବୟରେ କେତୋଟି ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହେବା କାରଣରୁ ଅନ୍ୟୂନ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଆଜି ପ୍ରତ୍ୟୁଷରେ ସ୍ଥାନୀୟ ସରକାରୀ ଅଧିକାରୀ ଓ ଭୂମିକମ୍ପବିତ୍‌ମାନେ କହିଛନ୍ତି।

Advertisment

ଏହି ଭୂମିକମ୍ପରେ ଚୀନ୍‌ର ଉତ୍ତରପଶ୍ଚିମ ଅଞ୍ଚଳର ତିବ୍ବତୀୟ ପ୍ଲେଟ୍ୟୁ ଅନ୍ତର୍ଗତ କ୍ବିନ୍‌ଘାଇ ପ୍ରଦେଶ ଏବଂ ଦକ୍ଷିଣପଶ୍ଚିମ ଅଞ୍ଚଳର ୟୁନାନ୍ ପ୍ରଦେଶ ପ୍ରଭାବିତ ହୋଇଛି। କମ୍ପନର ଉତ୍ପତ୍ତିସ୍ଥଳ ଅଗଭୀର ଥିବାରୁ ଏହା ବିଶେଷ କ୍ଷତିକାରକ ହୋଇଛି।

ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିବା ଅନୁସାରେ, ଜନପ୍ରିୟ ପର୍ଯ୍ୟଟନସ୍ଥଳୀ ଦାଲି ସହର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତି ୯.୪୮ରେ ପ୍ରଥମେ ସଂଘଠିତ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୧। ଏହା ପରେ ପରେ ସେଠାରେ ଅନ୍ୟୂନ ଆଉ ଦୁଇଟି ଭୂକମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପନ କାରଣରୁ ଏହି ପାହାଡ଼ିଆ ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨୨ଜଣ ଆହତ ହୋଇଛନ୍ତି।

publive-image Image Courtesy of Yahoo News Singapore

ଏହାର କିଛି ଘଣ୍ଟା ପରେ ୧୨୦୦ କିଲୋମିଟରରୁ ଅଧିକ ଦୂରରେ ଚୀନ୍‌ର ସ୍ବଳ୍ପ ଜନସଂଖ୍ୟାବିଶିଷ୍ଟ କ୍ବିନ୍‌ଘାଇ ପ୍ରଦେଶରେ ୭.୩ ତୀବ୍ରତାସମ୍ପନ୍ନ ଆଉ ଏକ ଭୂମିକମ୍ପ ସଂଘଠିତ ହୋଇଥିଲା। ଏହା ପରେ ମଧ୍ୟ ସେଠାରେ ଆଉ ଥରେ କମ୍ପନ ଅନୁଭୂତ ହୋଇଥିଲା।

ଭୂମିକମ୍ପ ଯୋଗୁଁ ‌ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ହଠାତ୍‌ କୌଣସି ସୂଚନା ମିଳିପାରି ନାହିଁ। ସ୍ବଳ୍ପସଂଖ୍ୟକ ଘର ଭାଙ୍ଗିଥିବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ଅନୁମାନ କରୁଛନ୍ତି।

ଉଭୟ ସ୍ଥାନକୁ ଜରୁରୀକାଳୀନ କର୍ମଚାରୀ ଏବଂ ବିପର୍ଯ୍ୟୟ ରିଲିଫ୍ ଟିମ୍‌ଙ୍କୁ ପଠାଯାଇଛି।