ଏସ୍‌ପି-ବିଏସ୍‌ପି ମେଣ୍ଟ ଅତୁଟ!

ଲକ୍ଷ୍ନୌ: ରାଜ୍ୟସଭା ନିର୍ବାଚନରେ ବିଜେପି ଆକ୍ରୋଶର ଶିକାର ହୋଇ ଆସନ ହରାଇଥିବା ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି) ସହ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ଏସ୍‌ପି)ର ସଦ୍ୟଗଠିତ ମେଣ୍ଟ ଭାଙ୍ଗବନି। ଗତ ଲୋକସଭା ଉପନିର୍ବାଚନ ବେଳେ ହାତ ଧରାଧରି ହୋଇ ବିଜେପି ଠାରୁ ଦୁଇ ଦୁଇଟି ଆସନ ଛଡ଼ାଇ ଆଣିଥିବା ଏହି ଦୁଇ ବିରୋଧୀ ନେତା ଅଖିଳେଶ ଓ ମାୟାବତୀଙ୍କ ମେଣ୍ଟ ୨୦୧୯ ନିର୍ବାଚନ ଯାଏଁ ଅତୁଟ ରହିବ ବୋଲି ଦୁଇ ଦଳର ମୁଖ୍ୟ ସ୍ପଷ୍ଟ କରିଛନ୍ତି। ଲୋକସଭା ଉପନିର୍ବାଚନରେ ଏସ୍‌ପିକୁ କରିଥିବା ସହଯୋଗର ପାଉଣା ସ୍ୱରୂପ ବିଏସ୍‌ପି ରାଜ୍ୟସଭା ଆସନଟିଏ ଦଖଲ କରିବ ବୋଲି ରଖିଥିବା ଆଶା ଧୂଳିସାତ୍‌ ହୋଇଯାଇଥିବା ସତ୍ତ୍ୱେ ଦୁଇ ଦଳ ଏଥିପାଇଁ କେହି କାହାରିକୁ ଦାୟୀ କରିନାହାନ୍ତି। ବରଂ ସେମାନଙ୍କ ସମ୍ପର୍କକୁ ଭାଙ୍ଗିବା ପାଇଁ କୂଟନୀତି ପ୍ରୟୋଗ କରିଥିବା ବିଜେପିର ଷଡ଼ଯନ୍ତ୍ର ନିଷ୍ଫଳ ହେବ ବୋଲି ଦୁଇ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗତକାଲି ନିଜ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଯାଇ ବିଜେପି ସପକ୍ଷରେ ଭୋଟ ଦେଇଥିବା ବିଏସ୍‌ପି ବିଧାୟକ ଅନୀଲ ସିଂହଙ୍କୁ ମାୟାବତୀ ନିଲମ୍ବନ କରିଛନ୍ତି। ସେହିପରି ବିଏସ୍‌ପି ରାଜ୍ୟସଭା ଆଶାୟୀଙ୍କ ପରାଜୟ କାରଣରୁ ଅଖିଳେଶଙ୍କ ଏସ୍‌ପି ମଧ୍ୟ ଏହାର ପ୍ରାର୍ଥୀ ଜୟା ବଚ୍ଚନଙ୍କ ବିଜୟ ଉତ୍ସବ ପାଳନ ବାତିଲ କରିଦେଇଛି। ରାଜ୍ୟସଭା ନିର୍ବାଚନରେ ଏସ୍‌ପିର ଗୋଟିଏ ଭୋଟ ବିଜେପି ସପକ୍ଷରେ ଯାଇଥିଲେ ହେଁ ଏଥିପାଇଁ ଅଖିଳେଶଙ୍କୁ ନୁହେଁ ବରଂ ବିଜେପିର କୂଟନୀତିକୁ ମାୟାବତୀ ଦାୟୀ କରିଛନ୍ତି। ଅପରପକ୍ଷେ, ଆଜି ଏହି ପ୍ରସଙ୍ଗରେ ମତ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସ୍‌ପିକୁ ତୀବ୍ର ସମାଲୋଚନା କରିଛନ୍ତି। ଅଖିଳେଶ ରାଜ୍ୟସଭା ନିର୍ବାଚନରେ ମାୟାବତୀଙ୍କ ସହ ବିଶ୍ୱାସଘାତକତା କରିଥିବା ସେ କହିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ବିଏସ୍‌ପି ଖଣ୍ଡନ କରିଛି। ଅଖିଳେଶ ନୁହେଁ ବରଂ ବିଜେପି ଶାସନକଳର ଦୁରୁପଯୋଗ କରି ଆସନଟିକୁ ହାତେଇ ନେଇଛି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଲୋକସଭା ଉପନିର୍ବାଚନ ପୂର୍ବରୁ ଏସ୍‌ପି ଏବଂ ବିଏସ୍‌ପି ମଧ୍ୟରେ ହୋଇଥିବା ମେଣ୍ଟର ସର୍ତ୍ତ ମୁତାବକ, ମାୟାବତୀ ଉପନିର୍ବାଚନରେ ନିଜ ପ୍ରାର୍ଥଙ୍କୁ ଛିଡ଼ା ନକରାଇ ସମାଜବାଦୀ ପାର୍ଟିକୁ ସମର୍ଥନ କରିଥିଲେ। ଏହାର ବଦଳରେ ରାଜ୍ୟସଭା ନିର୍ବାଚନରେ ମାୟାବତୀଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ସମାଜବାଦୀ ପାର୍ଟି ସମର୍ଥନ କରିବାର ଥିଲା। କିନ୍ତୁ ସମାଜବାଦୀ ପାର୍ଟିର କିଛି ବିଧାୟକ ମାୟାବତୀଙ୍କ ଦଳକୁ ସମର୍ଥନ କରିବାକୁ ମନା କରିଦେବା ପରେ ବିଏସ୍‌ପି ପ୍ରାର୍ଥୀ ବି.ଆର୍‌.ଆମ୍ବେଦକରଙ୍କ ପରାଜୟ ନିଶ୍ଚିତ ହୋଇଥିଲା। ଏହି ଘଟଣା ପରେ ନୂଆକରି ବନ୍ଧୁ ସାଜିଥିବା ଦୁଇ ବିରୋଧୀ ଦଳ ଏସ୍‌ପି ଓ ବିଏସ୍‌ପି ମଧ୍ୟରେ ଫାଟ ହେବା ନେଇ ଆଶଙ୍କା ଉପୁଜିଥିଲା। ତେବେ ଦୁଇ ଦଳର ମୁଖ୍ୟଙ୍କ ଏଭଳି ଦୃଢ଼ୋକ୍ତି ପରେ ଏ ସମ୍ପର୍କ କେତେଦିନ ଅତୁଟ ରହିବ ତାହା ସମୟ ହିଁ କହିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର