ଟୋକିଓ: ‘ଭାରତ-ଜାପାନ-ଆମେରିକା-ଅଷ୍ଟ୍ରେଲିଆ’କୁ ନେଇ ଗଠିତ ଚତୁରାଷ୍ଟ୍ରୀୟ ମଞ୍ଚ ‘କ୍ବାଡ୍’ର ଶିଖର ସମ୍ମିଳନୀ ଆଜି ଟୋକିଓରେ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା। ଏଥିରେ ରୁଷ୍-ୟୁକ୍ରେନ୍ ଯୁଦ୍ଧଠାରୁ ନେଇ ଚୀନ୍ର ଦାଦାଗିରି ପର୍ଯ୍ୟନ୍ତ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବାସହ ନୂଆ ରଣନୀତିରେ କାମ କରିବାକୁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଛି। ସମସ୍ତ ଦେଶ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ସ୍ଥାପନ ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କ୍ବାଡ୍ ନିର୍ଣ୍ଣୟ ମୁତାବକ ପାରସ୍ପରିକ ସହଯୋଗ ଆହୁରି ବ୍ୟାପକ ହେବ ଏବଂ ଏକ ମୁକ୍ତ ଓ ସ୍ବାଧୀନ ‘ଭାରତ ପ୍ରଶାନ୍ତ କ୍ଷେତ୍ର’ କୁ ପ୍ରୋତ୍ସାହିତ କରିବାକୁ ଅହରହ ପ୍ରୟାସ ଚାଲିବ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ସମାଲୋଚନା କରିଥିଲେ। ୟୁକ୍ରେନ୍ର ସଂସ୍କୃତିକୁ ବିଲୋପ କରିଦେବା ପାଇଁ ପ୍ରୟାସ ହେଉଥିବାରୁ ଏଥିରେ ଅଙ୍କୁଶ ଲାଗିବା ଜରୁରୀ ବୋଲି ସେ କହିଥିଲେ। ଅଷ୍ଟ୍ରେଲିଆର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ ଥୋନି ଅଲ୍ବାନିଜ ଅଙ୍ଗାର ନର୍ଗମନ ହ୍ରାସ ଦିଗରେ ପଦକ୍ଷେପ ଉପରେ ଗୁରୁତ୍ବାରୋପ କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା କହିଥିଲେ ଯେ ଚୀନ୍ର ଦାଦାଗିରି ରୋକିବାକୁ କ୍ବାଡ୍ ସମୁଚିତ ପଦକ୍ଷେପ ନେବ ଏବଂ ଏ ବାବଦ ମିଳିତ ରଣନୀତି ତ୍ବରିତ ଓ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ ହେବ। ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଡରାଇବା ପାଇଁ ଚୀନ୍ର ପ୍ରୟାସକୁ ପଣ୍ଡ କରାଯିବ ବୋଲି ସେ କହିଥିଲେ।
ବୈଠକରେ ୟୁକ୍ରେନ୍ ଆକ୍ରମଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ସମସ୍ତ ଦେଶ ନିଜ ନିଜ ଦୃଷ୍ଟିକୋଣରୁ ଏ ବାବଦ ଚର୍ଚ୍ଚା କରିଥିଲେ ଏବଂ ଭାରତର ଆଭିମୁଖ୍ୟକୁ ମଧ୍ୟ ଅନ୍ୟ ୩ ରାଷ୍ଟ୍ରର ସମର୍ଥନ ମିଳିଥିଲା। ଏହି ସଙ୍କଟର ସମାଧାନ ପାଇଁ କଥାବାର୍ତ୍ତା ଓ କୂଟନୀତିର ରାସ୍ତା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବ ଦେଇଥିଲେ ଏବଂ ଏହାକୁ ସମସ୍ତେ ସ୍ବାଗତ କରିଥିଲେ। ଭାରତ-ପ୍ରଶାନ୍ତ ଅର୍ଥନୈତିକ ଫ୍ରେମ୍ୱର୍କ (ଆଇପିଇଏଫ୍) ଅଧୀନରେ ଚାରି ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଆହୁରି ବ୍ୟାପକ ହେବ ଏବଂ ଏହା ଅଭିବୃଦ୍ଧି ଲକ୍ଷ୍ୟ ହାସଲରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଇଛି । କୋଭିଡ୍ ମୁକାବିଲା ନେଇ ପରସ୍ପର ସହଯୋଗ ଜାରି ରଖିବାକୁ କ୍ବାଡ୍ ନେତାମାନେ ସହମତି ପ୍ରକାଶ କରିଥିଲେ। ଏହା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ସାଇବର ନିରାପତ୍ତା ନେଇ ପାରସ୍ପରିକ ସହଯୋଗ ବଢ଼ାଇବାକୁ ମଧ୍ୟ କ୍ବାଡ୍ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। କ୍ବାଡ୍ ସଦସ୍ୟ ରାଷ୍ଟ୍ର ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସୁରକ୍ଷା ଭିତ୍ତିଭୂମି ସୁଦୃଢ଼ ନିମନ୍ତ ୫୦ ବିଲିୟନ ଡଲାର ଆବଣ୍ଟନ କରିବା ପାଇଁ ସଂକଳ୍ପ ନେଇଛନ୍ତି। ବୈଠକ ପରେ ଜାରି ମିଳିତ ବିବୃତିରେ କୁହାଯାଇଛି ଯେ ପରିବର୍ତ୍ତିତ ବିଶ୍ବ ଦୃଶ୍ୟପଟରେ କ୍ବାଡ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ସାମୁଦ୍ରିକ ସୁରକ୍ଷା, କୋଭିଡ୍ ସହଯୋଗ, ଜଳବାୟୁ ସୁରକ୍ଷା ମୁକ୍ତ ଓ ସୁରକ୍ଷିତ ଭାରତ-ପ୍ରଶାନ୍ତ କ୍ଷେତ୍ର ପାଇଁ ନୂତନ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ୨୦୨୩ରେ କ୍ବାଡ୍ର ପରବର୍ତ୍ତୀ ଶିଖର ସମ୍ମିଳନୀ ଅଷ୍ଟ୍ରେଲିଆରେ ହେବ ବୋଲି ଆଜି ଘୋଷଣା ହୋଇଛି।
କ୍ବାଡ୍ ନେତାଙ୍କ ସହ ମୋଦୀଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ କ୍ବାଡ୍ ସମ୍ମିଳନୀ ଅବସରରେ କ୍ବାଡ୍ ନେତାମାନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତାରେ ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ବିନିଯୋଗ, ପ୍ରଯୁକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଛି। ମୋଦୀ-ବାଇଡେନ୍ କଥାବାର୍ତ୍ତା ପରେ ଭାରତ ଏବଂ ଆମେରିକା ଆଜି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତ ଘୋଷଣା କରିଛନ୍ତି। ଉଭୟ ନେତା ଆଞ୍ଚଳିକ ଓ ବୈଶ୍ବିକ ପ୍ରସଙ୍ଗରେ ଏକାଠି କାମ କରିବାକୁ ସହମତି ପ୍ରକାଶ କରିଛନ୍ତି। ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରୋନା ମୁକାବିଲାକୁ ପ୍ରଶଂସା କରିଛନ୍ତି। କଥାବର୍ତ୍ତା ସମୟରେ ବାଇଡେନ୍ ମୋଦୀଙ୍କୁ କହିଛନ୍ତି, ଭାରତ-ଆମେରିକା ସମ୍ପର୍କକୁ ଆହୁରି ସୁଦୃଢ଼ କରିବାପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଆଲ୍ବାନିଜ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ସହ ମଧ୍ୟ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି। ପାରସ୍ପରିକ ବୁଝାମଣା ଏବଂ ଆର୍ଥିକ ଓ ସାମରିକ ସହଯୋଗ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକ ପରେ ଆଲ୍ବାନିଜ୍ ଏକ ଟ୍ବିଟ୍ କରି କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ କିଶିଡା, ନରେନ୍ଦ୍ର ମୋଦୀ ଏବଂ ବାଇଡେନ୍ଙ୍କୁ ଭେଟି ମୁଁ ଖୁବ୍ ଆନନ୍ଦିତ। ଭାରତ-ପ୍ରଶାନ୍ତ କ୍ଷେତ୍ରକୁ ମୁକ୍ତ ଓ ଅବାଧ ରଖିବା ଆମର ପ୍ରାଥମିକତା ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ମୋଦୀ, ବାଇଡେନ୍
ଟୋକିଓ : ଅଷ୍ଟ୍ରେଲିଆର ନୂ୍ଆ ପ୍ରଧାନମନ୍ତ୍ରୀ ଏନ୍ଥୋନି ଆଲବାନିଜ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ୨୪ ଘଣ୍ଟା ନପୂରୁଣୁ ଆଜି କ୍ବାଡ୍ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସମ୍ମିଳନୀରେ ଆଜି ନୂଆ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଲବାନିଜ୍ଙ୍କୁ ନିର୍ବାଚନ ବିଜୟ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ କ୍ବାଡ୍କୁ ନେଇ ତାଙ୍କର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ମୋଦୀ କହିଥିଲେ, ଶପଥ ନେବାର ୨୪ ଘଣ୍ଟାପରେ କ୍ବାଡ୍ରେ ଆପଣଙ୍କ ଉପସ୍ଥିତିରୁ ଏହା ଜଣାପଡ଼ି ଯାଉଛି ଯେ କ୍ବାଡ୍ ବନ୍ଧୁତା ଏବଂ ଏଥିପ୍ରତି ଆପଣଙ୍କ ପ୍ରତିବଦ୍ଧତା କେତେ ସୁଦୃଢ଼ । ବାଇଡେନ୍ ମଧ୍ୟ ଆଲବାନିଜ୍ଙ୍କୁ ସ୍ବାଗତ କରିବା ସହ ପରିହାସରେ କହିଥିଲେ ଆପଣ ଶପଥ ନେବାପରେ ତୁରନ୍ତ ବିମାନ ଯାତ୍ରା କରି ଏଠାରେ ପହଞ୍ଚିଛନ୍ତି, ତେଣୁ ଆପଣ ଏଠାରେ ଘୁମେଇ ପଡ଼ିଲେ ବି ତାହାକୁ ସ୍ବାଭାବିକ ଭାବେ ଗ୍ରହଣ କରାଯିବ। କ୍ବାଡ୍ର ଆର୍ଥିକ ସହଯୋଗ ଓ ରଣନୀତିକ ଭାଗିଦାରିତାକୁ ବ୍ୟାପକ କରିବାରେ ଅଷ୍ଟ୍ରେଲିଆର ଭୂମିକାକୁ ଆଲବାନିଜ୍ ଆଗେଇ ନେବେ ବୋଲି ବାଇଡେନ୍ ଆଶାବ୍ୟକ୍ତ କରିଥିଲେ।