ପାକିସ୍ତାନରେ ଚୀନ୍‌ ପ୍ରକଳ୍ପକୁ ନେଇ ବିରୋଧ, ବିକ୍ଷୋଭ, ଆତ୍ମଘାତୀ ଆକ୍ରମଣ ଜାରି

ନୂଆଦିଲ୍ଲୀ: ପାକିସ୍ତାନରେ ଚୀନ୍‌ର ଆର୍ଥିକ କରିଡର ତଥା ରୋଡ୍‌ ପ୍ରକଳ୍ପ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପାକିସ୍ତାନର ସବୁ ଋତୁର ବନ୍ଧୁ ଚୀନ୍‌କୁ ବିରୋଧ କରି ବାଲୁଚିସ୍ତାନ ପ୍ରଦେଶରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଗତକାଲି ବାଲୁଚିସ୍ତାନରେ ଚୀନ୍‌ର ଏକ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା ଏବଂ କେତେକ ଚୀନ୍‌ ନାଗରିକ ଆହତ ହୋଇଥିଲେ। ଚୀନ୍‌ ନାଗରିକଙ୍କୁ ଟାର୍ଗେଟ୍‌ କରି ଚଳିତ ମାସରେ ଏହା ଦ୍ବିତୀୟ ଆକ୍ରମଣ ଘଟଣା। ବାଲୁଚିସ୍ତାନ ଲିବରେସନ୍‌ ଆର୍ମି ଉକ୍ତ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଗତକାଲିର ଆକ୍ରମଣକୁ ଚୀନ୍‌ ଦୂତାବାସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ଆହତଙ୍କୁ ସଠିକ୍‌ ଚିକିତ୍ସା କରିବାପାଇଁ ଚୀନ୍‌ ଦୂତାବାସ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି।

ବେଲ୍ଟ ଆଣ୍ଡ୍‌ ରୋଡ୍‌ ପ୍ରକଳ୍ପକୁ ବିରୋଧ କରି ଲଗାତାର ସ୍ଥାନୀୟ ବାସିନ୍ଦା ବିରୋଧ ପ୍ରଦର୍ଶନ କରୁଛନ୍ତି। ଲୋକେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ଚୀନ୍‌ର ହୋର୍ଡିଂ ସବୁ ଓପାଡ଼ି ଦେଇଛନ୍ତି। ଗ୍ବାଦର ହେଉଛି ବାଲୁଚିସ୍ତାନର ଏକ ଉପକୂଳ ସହର ଏବଂ ଏହା ସିପିଇସି (ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର୍‌)ର ଚୂଡ଼ାନ୍ତ ପଏଣ୍ଟ୍‌। ୬୦ ବିଲିୟନ୍‌ ଡଲାର ବିନିଯୋଗ ହୋଇଥିବା ସିପିଇସି ପ୍ରକଳ୍ପ ଅଧୀନରେ ଏବେ ଗ୍ବାଦର ବନ୍ଦରର ବିକାଶ କାର୍ଯ୍ୟ ଚାଲିଛି। ତେବେ ଗ୍ବାଦର ବସିନ୍ଦାମାନେ ଚୀନ୍‌ର ଟ୍ରଲର ବିରୋଧରେ ଏବଂ ଜଳ, ବିଦ୍ୟୁତ୍‌ ଅଭାବ ବିରୋଧରେ ଲଗାତାର ଆନ୍ଦୋଳନ କରିଆସୁଛନ୍ତି। ଗ୍ବାଦରରେ ବିଭିନ୍ନ ପ୍ରକଳ୍ପ ପାଇଁ ବହୁ ସଂଖ୍ୟାରେ ଚୀନ୍‌ ନାଗରିକ ନ‌ିୟୋଜିତ ହୋଇଛନ୍ତି। ଗତ କିଛି ମାସ ଧରି ବାଲୁଚିସ୍ତାନ ଏବଂ କରାଚିରେ ସିପିଇସି ପ୍ରକଳ୍ପ ପାଇଁ କାର୍ଯ୍ୟ କରୁଥିବା ଚୀନ୍‌ ନାଗରିକଙ୍କୁ ଟାର୍ଗେଟ୍‌ କରି ଆକ୍ରମଣ ବଢ଼ୁଛି। ଚୀନ୍‌ ଏହାକୁ ଅତି ଗମ୍ଭୀରତାର ସହ ନେଇଛି। ପାକିସ୍ତାନରେ ସୁରକ୍ଷା ସ୍ଥିତି ବିଗିଡ଼ିଯାଇଛି ବୋଲି ଚୀନ୍‌ ଦୂତାବାସ ପକ୍ଷରୁ କୁହାଯାଇଛି। ଚୀନ୍‌ ପାକିସ୍ତାନରେ ଏହାର ନାଗରିକଙ୍କୁ ଅଧିକ ସତର୍କ ରହିବାକୁ କହିଛି। ଗତମାସରେ ଖାଇବର୍‌ ପଖତୁଙ୍ଖ୍‌ୱାରେ ଆକ୍ରମଣ ହେବାଦ୍ବାରା ୯ ଚୀନ୍‌ ନାଗରିକଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର