କାଠମାଣ୍ଡୁ: ନେପାଳରେ ସୁରକ୍ଷା କର୍ମୀ ଓ ରାଜତନ୍ତ୍ର ସମର୍ଥକ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ  ଜାରି ରହିଛି।   ନେପାଳ କର୍ତ୍ତୃପକ୍ଷ ଶନିବାର କାଠମାଣ୍ଡୁର ପୂର୍ବଭାଗରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଆଜି ହଟାଇ ଦେବା ପରେ ପୁଣି ସଂଘର୍ଷ ଦେଖିବାକୁ ମିଳିଛି। କାଠମାଣ୍ଡୁର ଟିନକୁନେ ଅଞ୍ଚଳରେ ରାଜତନ୍ତ୍ର ସମର୍ଥକ ବିକ୍ଷୋଭକାରୀମାନେ ପଥର ଫିଙ୍ଗିବା, ଏକ ରାଜନୈତିକ ଦଳର କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା, ଗାଡ଼ିରେ ନିଆଁ ଲଗାଇବା ଏବଂ ଦୋକାନବଜାର ଲୁଟ୍ କରିବା ପରେ ଶୁକ୍ରବାର କାଠମାଣ୍ଡୁର କିଛି ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁରକ୍ଷାକର୍ମୀ ଓ ରାଜତନ୍ତ୍ର ସମର୍ଥକ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ଟିଭି କ୍ୟାମେରାମ୍ୟାନ୍‌ଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି।  ଆଜି ପୁଣି ସାନି ହିଂସା ଯୋଗୁଁ ସ୍ଥିତି ନିୟନ୍ତ୍ରଣ ପାଇଁ ସେନା ନିୟୋଜିତ କରାଯାଇଛି।  

Advertisment

ଶୁକ୍ରବାର ହିଂସାତ୍ମକ ବିକ୍ଷୋଭ ସମୟରେ ଘର ପୋଡ଼ିବା ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଥିବା ୧୦୫ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କରିଛି। ତେବେ ଗିରଫ ବ୍ୟକ୍ତିଙ୍କୁ ଛାଡ଼ିବା ଦାବିରେ ଲୋକେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକାରୀ ରାଜତନ୍ତ୍ରବାଦୀମାନେ ରାଜତନ୍ତ୍ର ଓ ହିନ୍ଦୁରାଷ୍ଟ୍ର ମାନ୍ୟତାର ପୁନରୁଦ୍ଧାର ଦାବି କରିଛନ୍ତି।  ଆନ୍ଦୋଳନର ଆବାହକ ଦୁର୍ଗା ପ୍ରସାଇ ଏକ ବୁଲେଟ୍-ପ୍ରୁଫ୍ ଗାଡ଼ିରେ ଗତକାଲି ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗି ସଂସଦ ଭବନ ଥିବା ବନେଶ୍ୱର ଅଭିମୁଖେ ଯାତ୍ରା କରିବା ପରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ସାଧାରଣ ସମ୍ପାଦକ ଧବଳ ଶମସେର ରଣା ଓ ଦଳର କେନ୍ଦ୍ରୀୟ ସଦସ୍ୟ ରବୀନ୍ଦ୍ର ମିଶ୍ର ପ୍ରମୁଖ ଅଛନ୍ତି। କାଠମାଣ୍ଡୁ ଜିଲ୍ଲା ପୁଲିସ ରେଂଜ୍‌ର ଆରକ୍ଷୀ ଅଧୀକ୍ଷକ ଅପିଲ ବୋହରା କହିଛନ୍ତି ଯେ ଶୁକ୍ରବାର ହିଂସାତ୍ମକ ବିକ୍ଷୋଭ ପଛରେ ଥିବା ମୁଖ୍ୟ ବ୍ୟକ୍ତି ପ୍ରସାଇ ଫେରାର ଅଛନ୍ତି। ଶୁକ୍ରବାରର ଏହି ଘଟଣାରେ ୫୩ ଜଣ ପୁଲିସ କର୍ମଚାରୀ, ୨୨ ଜଣ ସଶସ୍ତ୍ର ପୁଲିସ ଫୋର୍ସ ଯବାନ ଏବଂ ୩୫ ଜଣ ବିକ୍ଷୋଭକାରୀ ଆହତ ହୋଇଥିଲେ।

ନେପାଳର ରାଜନୈତିକ ଦଳଗୁଡ଼ିକ ଏକ ସଂସଦ ଘୋଷଣାନାମା ଜରିଆରେ ୨୦୦୮ ମସିହାରେ ୨୪୦ ବର୍ଷର ପୁରୁଣା ରାଜତନ୍ତ୍ରକୁ ଉଚ୍ଛେଦ କରି ତତ୍କାଳୀନ ହିନ୍ଦୁରାଷ୍ଟ୍ରକୁ ଏକ ଧର୍ମନିରପେକ୍ଷ, ସଂଘୀୟ, ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ କରିଥିଲେ। ଗଣତନ୍ତ୍ର ଦିବସ (ଫେବ୍ରୁଆରି ୧୯)ରେ ପ୍ରସାରିତ ଏକ ଭିଡିଓ ବାର୍ତ୍ତାରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ର ସମର୍ଥନ ପାଇଁ ନିବେଦନ କରିବା ପରଠାରୁ ରାଜତନ୍ତ୍ରର ପୁନରୁଦ୍ଧାର  ଦାବି ଜୋର ଧରିଛି। ଦେଶର ବିଭିନ୍ନ ସ୍ଥାନରେ ଥିବା ଧାର୍ମିକ ସ୍ଥଳ ପରିଦର୍ଶନ କରି ପୋଖରାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିବା ପୂର୍ବତନ ରାଜାଙ୍କ ସମର୍ଥନରେ ମାର୍ଚ୍ଚ ୯ ତାରିଖରେ ରାଜତନ୍ତ୍ର ସମର୍ଥକମାନେ ଏକ ରାଲି ମଧ୍ୟ କରିଥିଲେ।