ନଡ଼ା ଜାଳିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ପଦ‌କ୍ଷେପ

ଏନ୍‌ସିଆର୍‌ ପ୍ରଦୂଷଣ

ସ୍ଥିତି ଯାଞ୍ଚ ପାଇଁ କମିଟି ନିଯୁକ୍ତ କଲେ
କେନ୍ଦ୍ର ସରକାରଙ୍କ ଅନୁରୋଧ ଗ୍ରହଣ କଲେନି

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପ୍ରଦୂଷଣ ବଢ଼ୁଥିବା ବେଳେ ସୁପ୍ରିମକୋର୍ଟ ଆଜି ନଡ଼ା ଜାଳିବା ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପଂଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ନଡ଼ା ଜାଳିବାରୁ ନିର୍ଗତ ଧୂଆଁ ପାଇଁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଉକ୍ତ ୩ ରାଜ୍ୟ‌ରେ ନଡ଼ା ଜାଳିବା ପ୍ରକ୍ରିୟାକୁ ଯାଞ୍ଚ କରିବାପାଇଁ କୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମଦନ ବି ଲୋକୁରଙ୍କୁ ନେଇ ଏକ ଜଣିକିଆ କମିଟି ନିଯୁକ୍ତି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀ ଏନ୍‌ସିଆରର ଲୋକମାନେ ଶୁଦ୍ଧ ବାୟୁ ପାଇବା ପ୍ରସଙ୍ଗରେ ଆମେ ଗଭୀର ଚିନ୍ତା ପ୍ରକଟ କରିଛୁ। ତେବେ କୋର୍ଟ ଜଣିକିଆ ସଦସ୍ୟ ବିଶିଷ୍ଟ କମିଟିକୁ ଯାଞ୍ଚ ପାଇଁ ନିଯୁକ୍ତ କରିଥିବାରୁ କେନ୍ଦ୍ର ସରକାର ଏହାର ପୁନର୍ବିଚାର କରିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ କୋର୍ଟ ସରକାରଙ୍କ ଅନୁରୋଧକୁ ଗ୍ରହଣ କରିନାହାନ୍ତି। ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୬ରେ ଅଛି।

ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି, କୋର୍ଟ ନିଯୁକ୍ତ ଇପିସିଏ (ପରିବେଶ ପ୍ରଦୂ‌ଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ) ଏବଂ ହରିୟାଣା, ପଂଜାବ, ଉତ୍ତରପ୍ରଦେଶର ମୁଖ୍ୟ ସଚିବ ଲୋକୁରଙ୍କୁ କ୍ଷେତ ପରିଦର୍ଶନ ସମୟରେ ସହଯୋଗ କରିବେ। କମିଟି ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବେ। ଆଜି କେନ୍ଦ୍ର ସରକାର କୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟିକୁ ବିରୋଧ କରିଥିଲେ। ସଲିସିଟର ଜେନେରାଲ ତୁଷାର ମେହଟା କୋର୍ଟରେ ହାଜର ହୋଇ କହିଛନ୍ତି, ଏହି କାର୍ଯ୍ୟ ପାଇଁ ଇପିସିଏକୁ ଦାୟିତ୍ବ ଦିଆ‌ସରିଛି। ଆମିକସ୍‌ କ୍ୟୁରି ମଧ୍ୟ ନିଯୁକ୍ତ ହୋଇସାରିଛନ୍ତି। ତେଣୁ କୋର୍ଟ କମିଟି ପ୍ରସଙ୍ଗରେ ପୁନର୍ବିଚାର କରନ୍ତୁ। କିନ୍ତୁ କୋର୍ଟ କେନ୍ଦ୍ର ସରକାରଙ୍କ ଅନୁରୋଧକୁ ଗ୍ରହଣ କରିନାହାନ୍ତି।

ସମ୍ବନ୍ଧିତ ଖବର