ଟ୍ରାଫିକ୍‌ ଜାମ୍‌ ହେବାରୁ ନିଜ ଗାଡ଼ିରୁ ଓହ୍ଲାଇ ଦିଲ୍ଲୀ ମେଟ୍ରୋରେ ବସି ବିମାନବନ୍ଦରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଟ୍ରାଫିକ ଜାମ୍‌ର ଧନୀଦରିଦ୍ର ବିଚାର ନାହିଁ। ମଙ୍ଗଳବାର ଦିଲ୍ଲୀ ଟ୍ରାଫିକ୍‌ ଜାମ୍‌ର ଫସିଥିଲେ କେନ୍ଦ୍ରମନ୍ତ୍ରୀ ହର୍‌ଦୀପ୍‌ ସିଂ ପୁରୀ । ସେ ତାଙ୍କ ଗାଡ଼ିରେ ବିମାନ ବନ୍ଦର ଯାଉଥିବା ବେଳେ ଧଉଲା କୁଆଁ ନିକଟରେ ଅଟକି ଯାଇଥିଲା ଗାଡ଼ି। ସେ ଯାତ୍ରା ବାତିଲ୍‌ କରିବାକୁ ଚାହୁଁ ନ ଥିଲେ। ବିମାନର ଉଡ଼ାଣର ସମୟ ପାଖେଇ ଆସୁଥିବାରୁ କେନ୍ଦ୍ରମନ୍ତ୍ରୀ ଅନ୍ୟ କିଛି ବାଟ ନ ପାଇ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନବନ୍ଦରରେ ପହଞ୍ଚିବା ପରେ ହର୍‌ଦୀପ୍‌ ସିଂ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ପୂରା ଘଟଣା ବିଷୟରେ ଲେଖି ଟ୍ଵିଟ୍‌ କରିଥିଲେ ।

ଏହି ଟ୍ଵିଟ୍‌ରେ ସେ ମେଟ୍ରୋରେ ବସିଥିବା ସମୟର ଏକ ଫଟୋ ମଧ୍ୟ ଛାଡ଼ିଥିବାର ଦେଖିବାକୁ ମିଳିଛି । ଏହା ସହ ମେଟ୍ରୋକୁ ବିଶ୍ୱସ୍ତରୀୟ ସମ୍ପତି ବୋଲି ଲେଖିଥିବାର ମଧ୍ୟ ଦେଖାଯାଇଛି । ମେଟ୍ରୋ ଭିତରର ପରିବେଶକୁ ନେଇ ସେ ପ୍ରଶଂସା କରିଥିବା ବେଳେ ଏଭଳି ବ୍ୟବସ୍ଥା କରି ସେ ଖୁସି ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଟ୍ଵିଟ୍‌ ପରେ ଟ୍ଵିଟର ବ୍ୟବହାରକାରୀମାନେ ନିଜର ମତ ରଖିଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଟ୍ରାଫିକ୍‌ ଜାମ୍‌ରୁ ଦିଲ୍ଲୀ ମେଟ୍ରୋ କିପରି ବଞ୍ଚାଉଛି ତାହା ହର୍‌ଦୀପ୍‌ ସିଂଙ୍କ ଏହି ପୋଷ୍ଟରୁ ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର