ଇଂରାଜୀ ଅନର୍ସରେ ପରୀକ୍ଷା ଦେଲେ, ମନୋବିଜ୍ଞାନର ସାର୍ଟିଫିକେଟ୍‌ ମିଳିଲା ! କେମିତି ଏମିତି ହେଲା ?

ପାଟନା: ବିହାରରେ ମହମ୍ମଦ୍‌ ତାବ୍‌ରେଜ୍‌ ନାମକ ଜଣେ ଛାତ୍ର ଇଂରାଜୀ ଅନର୍ସ ପାଇଁ ପରୀକ୍ଷା ଦେଇଥିବା ବେଳେ ତାଙ୍କୁ ମନୋବିଜ୍ଞାନର ସାର୍ଟିଫିକେଟ୍‌ ମିଳିଛି । ମୁଜାଫରପୁରରେ ଥିବା ଭୀମ୍‌ ରାଓ ଆମ୍ବେଦ୍‌କର ବିହାର ୟୁନିଭର୍‌ସିଟି ଅନ୍ତର୍ଗତ ରାମ ଲଖନ୍‌ ସିଂ ଯାଦବ୍‌ କଲେଜରେ ମହମ୍ମଦ୍‌ ତାବ୍‌ରେଜ୍‌ କଳାରେ ସ୍ନାତକ କରିବା ସହ ଇଂରାଜୀ ଅନର୍ସ ରଖି ପାଠ ପଢ଼ୁଥିଲେ । ବି.ଏ ପାର୍ଟ-୧ର ପରୀକ୍ଷା ଠିକ୍‌ ଭାବରେ ସରିଥିବା ବେଳେ ଫଳାଫଳ ପାଇଁ ମହମ୍ମଦ୍‌ ଖୁସିର ସହ ଅପେକ୍ଷା କରିଥିଲେ । କିନ୍ତୁ ମାର୍କସିଟ୍‌ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଇଂରାଜୀରେ ପରୀକ୍ଷା ଦେଇଥିଲେ ମଧ୍ୟ ତାଙ୍କୁ ମନୋବିଜ୍ଞାନର ସାର୍ଟିଫିକେଟ୍‌ ଦିଆଯାଇଥିଲା । ଯେଉଁ ପାଠ ସେ କେବେ ବି ପଢ଼ି ନାହାନ୍ତି ସେଥିପାଇଁ ତାଙ୍କୁ କିପରି ମାର୍କ ମିଳିଲା ବୋଲି ଭାବି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମହମ୍ମଦ୍‌ଙ୍କ କହିବା ଅନୁଯାୟୀ,‘ମୁଁ ଇଂରାଜୀ ପେପର ପାଇଁ ପରୀକ୍ଷା ଦେଇଥିଲି ଯାହାର କି ସହାୟକ ବିଷୟ ଥିଲା ଭୂଗୋଳ ଏବଂ ଇତିହାସ । କିନ୍ତୁ ମାର୍କସିଟ୍‌ରେ ମୁଁ ମନୋବିଜ୍ଞାନରେ ଅନର୍ସ ରଖି ଉତ୍ତୀର୍ଣ୍ଣ ହୋଇଛି ବୋଲି ଦର୍ଶାଯାଇଛି, ଯାହା ବିଷୟରେ ମୁଁ କେବେ ବି ପଢ଼ି ନାହିଁ । ଏହା ସହିତ ମନୋବିଜ୍ଞାନର ପ୍ରାକ୍ଟିକାଲରେ ମଧ୍ୟ ମୋତେ ସବୁଠୁ ଅଧିକ ମାର୍କ ମିଳିଛି।’

Firstpost

ଭାତଓ୍ଵାଲିଆ ଗ୍ରାମରେ ରହୁଥିବା ତାବ୍‌ରେଜ୍‌ ଏ ନେଇ କଲେଜ୍‌ର ପରୀକ୍ଷା ଶାଖାରେ ଅଭିଯୋଗ କରିଥିବା ବେଳେ ଏହି ଭୁଲ ବିଶ୍ୱବିଦ୍ୟାଳୟ ଦ୍ୱାରା ହୋଇଥିବାରୁ ତାଙ୍କୁ ୧୨୮ କିଲୋମିଟର ଦୂରରେ ଥିବା ଭୀମ୍‌ ରାଓ ଆମ୍ବେଦ୍‌କର ବିହାର ୟୁନିଭର୍‌ସିଟିକୁ ଯିବାକୁ କୁହାଯାଇଥିଲା । କିନ୍ତୁ ଭୀମ୍‌ ରାଓ ଆମ୍ବେଦ୍‌କର ବିହାର ୟୁନିଭର୍‌ସିଟିର କର୍ମକର୍ତ୍ତାମାନେ ତାଙ୍କ ଭୁଲ ନ ମାନିବା ସହ ପରୀକ୍ଷା ଫର୍ମ ଭରିବା ସମୟରେ ତାବ୍‌ରେଜ୍‌ ଭୁଲ କରିଥାଇ ପାରନ୍ତି ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ତରଫରୁ ଏହି ଅଭିଯୋଗ ଆସିବା ପରେ ତାବ୍‌ରେଜ୍‌ ତାଙ୍କ ଆଡ଼୍‍ମିଟ୍‌ କାର୍ଡ଼ ଦେଖାଇ ସେଥିରେ ସେ ଇଂରାଜୀ ଅନର୍ସରେ ପରୀକ୍ଷା ଦେଇଥିବାର ଲେଖା ଅଛି ବୋଲି ଦେଖାଇଥିଲେ । କେବଳ ସେ ନୁହେଁ ଭୀମ୍‌ ରାଓ ଆମ୍ବେଦ୍‌କର ବିହାର ୟୁନିଭର୍‌ସିଟି ଅଧୀନରେ ପଢ଼ୁଥିବା ଆହୁରି ଅନେକ ପିଲାମାନଙ୍କ ମାର୍କସିଟରେ ମଧ୍ୟ ଏଭଳି ଭୁଲ ହୋଇ ସାରିଛି ବୋଲି ତାବ୍‌ରେଜ୍‌ କହିଛନ୍ତି । ରମେଶ ପାଶ୍ୱନ୍‌ ନାମକ ଜଣେ ଛାତ୍ର ପରୀକ୍ଷାରେ ଉପସ୍ଥିତ ଥାଇ ମଧ୍ୟ ତାଙ୍କୁ ଅନୁପସ୍ଥିତ ଦର୍ଶାଯାଇ ଫେଲ କରାଯାଇଥିଲା ।

ଅନ୍ୟ ପକ୍ଷରେ ନିର୍ଭୁଲ ମାର୍କସିଟ୍‌ ବିଶ୍ୱବିଦ୍ୟାଳୟଠାରୁ ଅଣା ଯାଇ ପିଲାମାନଙ୍କୁ ଦେବା ପାଇଁ ଆମେ ଚେଷ୍ଟା କରିବୁ ବୋଲି କଲେଜର ପ୍ରିନ୍ସପାଲ ଇମ୍‌ତିଆଜ୍‌ ଶାମ୍ସ କହିଛନ୍ତି । କିଛି ବର୍ଷ ଧରି ଏଭଳି ଭୁଲ ହୋଇ ଆସୁଥିବାରୁ ରାଜ୍ୟ ଶିକ୍ଷା କ୍ଷେତ୍ରରେ ବହୁତ ଶିଘ୍ର ପରିବର୍ତ୍ତନ ଅଣାଯିବ ବୋଲି ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି ।

ସମ୍ବନ୍ଧିତ ଖବର