ତିରୁବନନ୍ତପୁରମ: କେରଳର ତିରୁବନନ୍ତପୁରମରେ ଏକ ଘରୋଇ ବିଦ୍ୟାଳୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବାସ୍ତବରେ, ଏଠାରେ ଥିବା ଏକ ଘରୋଇ ବିଦ୍ୟାଳୟର ଜଣେ ସ୍କୁଲ ଛାତ୍ରୀ ମାସିକ ଶୁଳ୍କ ଜମା ନକରିବାରୁ ତାଙ୍କୁ ଚଟାଣରେ ବସି ପରୀକ୍ଷା ଦେବାକୁ ପ୍ରଧାନଶିକ୍ଷକ ବାଧ୍ୟ କରିଥିଲେ | ଏହି ଘଟଣାକୁ ନେଇ ପୀଡିତଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ତିରୁବନନ୍ତପୁରମ୍ର ଭେଲାଏମ୍ବାଲାମରେ ଥିବା ବିଦ୍ୟାଳୟରେ ତାଙ୍କ ଝିଅ ୭ମ ଶ୍ରେଣୀରେ ପଢ଼ନ୍ତି | ତେବେ ଆର୍ଥିକ ସମସ୍ୟା କାରଣରୁ ଛାତ୍ରୀଙ୍କ ପରିବାର ସଦସ୍ୟ ଚଳିତ ମାସ ସ୍କୁଲ ଫି ଦେଇପାରିନଥିଲେ |
ଗତକାଲି ପରୀକ୍ଷା ଥିବାବେଳେ ଛାତ୍ରୀଜଣକ ଯେତେବେଳେ ବେଞ୍ଚରେ ବସି ପରୀକ୍ଷା ଦେଉଥିଲେ, ସେତେବେଳେ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ବେଞ୍ଚରେ ନୁହେଁ ତଳେ ବସି ପରୀକ୍ଷା ଦେବାକୁ ବାଧ୍ୟ କରିଥିଲେ | ଏହାପରେ ଛାତ୍ରୀଙ୍କ ଅନ୍ୟ ସହପାଠୀମାନେ ବେଞ୍ଚରେ ବସି ପରୀକ୍ଷା ଦେଇଥିବାବେଳେ ସେ ତଳେ ବସି ପରୀକ୍ଷା ଦେଇଥିଲେ | ଛାତ୍ରୀଜଣକ କହିଛନ୍ତି ପ୍ରଧାନଶିକ୍ଷକଙ୍କୁ ମୁଁ ବାରମ୍ବାର ଅନୁରୋଧ କରିଥିଲି ଯେ ସ୍କୁଲ ଫି ବାବଦରେ ମୋ ବାପାଙ୍କ ସହ ଥରେ କଥା ହୋଇଯାଆନ୍ତୁ |
କିନ୍ତୁ ସେ ମୋ କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ ମୋତେ ଚଟାଣରେ ବସିବାକୁ କହିଥିଲେ। ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପରୀକ୍ଷା ପରେ ତାଙ୍କୁ ବିଦ୍ୟାଳୟକୁ ଡକାଯାଇଥିବାବେଳେ ସ୍କୁଲର ପ୍ରଧାନଶିକ୍ଷକ ତାଙ୍କୁ ମଧ୍ୟ ଅପମାନିତ କରିଥିଲେ | ଅନ୍ୟପଟେ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣାକୁ ସ୍ୱୀକାର ମଧ୍ୟ କରିଛନ୍ତି | ଛାତ୍ରୀଙ୍କୁ ହଇରାଣ କରିଥିବା ପ୍ରିନ୍ସିପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।