ଦିଲ୍ଲୀ ସ୍କୁଲ୍‌ରେ ଛାତ୍ରଙ୍କୁ ପିଟିପିଟି ହତ୍ୟା

ଶୌଚାଳୟରୁ ଶବ ଉଦ୍ଧାର, ୩ ନାବାଳକ ଛାତ୍ର ଅଟକ

ନୂଆଦିଲ୍ଲୀ : ଗୁରୁଗ୍ରାମ ର‍୍ୟାନ୍‌ ସ୍କୁଲ୍‌ରେ ଛାତ୍ର ହତ୍ୟା ମାମଲା ଲୋକଙ୍କ ମନରୁ ନ ଲିଭୁଣୁ ଆଜି ଦିଲ୍ଲୀର ଏକ ବିଦ୍ୟାଳୟରେ ଆଉ ଏକ ଅଭାବନୀୟ କାଣ୍ଡ ଘଟିଛି। ଉତ୍ତରପୂର୍ବ ଦିଲ୍ଲୀର କରାଓ୍ଵଲ ନଗର ସ୍ଥିତ ସଦତପୁର ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ର ଶୌଚାଳୟରୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜୀବନ ଜ୍ୟୋତି ସିନିୟର ସେକେଣ୍ଡାରୀ ସ୍କୁଲ୍‌ରେ ପଢ଼ୁଥିବା ନବମ ଶ୍ରେଣୀ ଛାତ୍ର ତୁଷାର କୁମାରଙ୍କୁ ତାଙ୍କ ଶ୍ରେଣୀର ଅନ୍ୟ ତିନି ଜଣ ଛାତ୍ର ପିଟିପିଟି ହତ୍ୟା କରିଥିବା କୁହାଯାଉଛି। ସ୍କୁଲ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ପୁଲିସ ଏହି ତିନି ଜଶ ଛାତ୍ରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ କୌଣସି କାରଣରୁ ତୁଷାରଙ୍କ ସହ ତାଙ୍କ ଶ୍ରେଣୀର ଏହି ୩ ଜଣ ଛାତ୍ରଙ୍କ ଗଣ୍ଡଗୋଳ ହୋଇଥିଲା। ସେମାନେ ପରସ୍ପର ମଧ୍ୟରେ ପ୍ରବଳ ମାଡ଼ପିଟ ହୋଇଥିଲେ। ଉକ୍ତ ୩ ଜଣ ଛାତ୍ର ତୁଷାରଙ୍କ ମୁହଁ ଏବଂ ପାଟିକୁ ଖୁବ୍‌ଜୋରରେ ମୁଥ ମାରିବାରୁ ସେ ତଳେ ପଡ଼ିଯାଇ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ସ୍କୁଲ୍‌ କର୍ତ୍ତୃପକ୍ଷ କହୁଛନ୍ତି ଯେ ତୁଷାର ଅସୁସ୍ଥ ଥିବା ହେତୁ ତାଙ୍କର ମୃତ୍ୟୁ ଘଟିଛି। କିନ୍ତୁ ତୁଷାରଙ୍କୁ ପ୍ରବଳ ମାଡ଼ ମାରି ହତ୍ୟା କରାଯାଇଛି ବୋଲି ତୁଷାରଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତ ୩ ଜଣ ଛାତ୍ରଙ୍କୁ ଅଟକ ରଖିଥିବା ବେଳେ ଏନେଇ ହତ୍ୟା ମାମଲା ରୁଜୁ କରିଛି। ଛାତ୍ରଙ୍କ ମୃତଦେହ ମିଳିବା ପରେ ସ୍କୁଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶହ ଶହ ଅଭିଭାବକ ସ୍କୁଲ୍‌ରେ ରୁଣ୍ଡ ହୋଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ତୁଷାରଙ୍କ ଶ୍ରେଣୀର ଅନ୍ୟ ଛାତ୍ରମାନଙ୍କୁ ପୁଲିସ ପଚରାଉଚୁରା ଜାରି ରଖିଛି। ଶ୍ରେଣୀଗୃହରେ ଉକ୍ତ ୩ ଜଣ ଛାତ୍ରଙ୍କ ସହ ତୁଷାରଙ୍କ ଝଗଡ଼ା ପ୍ରାୟ ୧୫ ମିନିଟ୍‌ ଧରି ଚାଲିଥିଲେ ମଧ୍ୟ କୌଣସି ଶିକ୍ଷକ କର୍ମଚାରୀ ସେମାନଙ୍କୁ ଏଥିରୁ ବାରଣ କରିବାକୁ ଆସିନଥିବା ବିସ୍ମୟ ସୃଷ୍ଟି କରିଛି। ପରେ ତୁଷାର ଟଏଲେଟ୍‌ ଯିବାପରେ ମଧ୍ୟ ଉକ୍ତ ୩ ଜଣ ଛାତ୍ର ତାଙ୍କୁ ପିଛା କରି ଯାଇଥିଲେ। ଏହାର କିଛି ସମୟ ପରେ ଟଏଲେଟରୁ ତୁଷାରଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେଠାରୁ ତାଙ୍କୁ ତୁରନ୍ତ ଜିଟିବି ହସ୍ପିଟାଲ୍‌କୁ ପଠାଇ ଦିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଉତ୍ତରପୂର୍ବ ଦିଲ୍ଲୀର ଡିସିପି ଏକେ ସିଙ୍ଗ୍‌ଲା କହିଛନ୍ତି। ତୁଷାରଙ୍କ ପରିବାରର କରାଓ୍ଵଲ ନଗର ଅଂଚଳର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହିଁ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କୁହାଯାଉଛି।

ତୁଷାରଙ୍କୁ ହତ୍ୟା କରାଯାଇଛି ଏବଂ ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ହିଁ ଦାୟୀ ବୋଲି ଅଭିଯୋଗ କରି ପରିବାର ସଦସ୍ୟଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ କରାଓ୍ଵଲ ନଗର ଛକରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। କରାଓ୍ଵଲ ନଗର ବିଧାୟକ କପିଳ ମିଶ୍ରଙ୍କ କହିବା ଅନୁଯାୟୀ ସେ ପୁଲିସ ଏବଂ ମେଡିକାଲ ଅଧିକାରୀଙ୍କ ସହ ରହି ଉକ୍ତ ଘଟଣାର ତଦାରଖ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ମାସରେ ହରିୟାଣାର ଗୁରୁଗ୍ରାମ୍‌ ସ୍ଥିତ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଥିଲା। ସ୍କୁଲ୍‌ର ଜଣେ ଏକାଦଶ ଶ୍ରେଣୀର ଛାତ୍ର ହିଁ ପ୍ରଦ୍ୟୁମ୍ନର ହତ୍ୟାକାରୀ ବୋଲି ସିବିଆଇ ତଦନ୍ତରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର