କୋଲକାତା: କୋଲାକାତାର ଏକ ଆଇନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟିଏମ୍ସି ନେତା ଗିରଫ ହେବାପରେ ଏହାକୁ ନେଇ ସରଗରମ ସ୍ଥିତି ଲାଗି ରହିଛି। ଜାତୀୟ ମହିଳା କମିସନ ସଦସ୍ୟ ଅର୍ଚ୍ଚନା ମଜୁମଦାର ଆଜି ଦକ୍ଷିଣ କୋଲକାତା ଆଇନ ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ, ଯେଉଁଠାରେ ୨୪ ବର୍ଷୀୟା ଆଇନ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିଲା। କଲେଜ ପରିଦର୍ଶନ ପରେ ମଜୁମଦାର କହିଛନ୍ତିୂ ପୁଲିସ ବହୁତ କିଛି ଲୁଚାଇବାକୁ ଚେଷ୍ଟା କରୁଛି ଏବଂ ପୁଲିସ କମିସନର ଏ ବାବଦରେ ମହିଳା କମିସନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁନାହାନ୍ତି। ପୀଡ଼ିତାଙ୍କ ପରିବାର ଉପରେ ମଧ୍ୟ ପ୍ରବଳ ଚାପ ରହିଛି। ଏବେ ସେ କେଉଁଠି ଅଛନ୍ତି ତାହା ପୁଲିସ ଜାଣିନାହିଁ। ଏପରିକି ସେମାନେ ମୋତେ ଘଟଣାସ୍ଥଳର ଭିଡିଓ ରେକର୍ଡିଂ କରିବାରୁ ମଧ୍ୟ ଅଟକାଇଥିଲେ ବୋଲି ମଜୁମଦାର କହିଛନ୍ତି। ଆଇନ ଅନୁଯାୟୀ କମିସନ ଭିଡିଓ ତିଆରି କରି ଯାଞ୍ଚ ଓ ତଦନ୍ତ କରିପାରିବେ ବୋଲି ସେ କହିଛନ୍ତି। ଆସନ୍ତାକାଲି ଦିଲ୍ଲୀରେ ଜାତୀୟ ମହିଳା କମିସନ ଅଧ୍ୟକ୍ଷାଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ବୋଲି ମଜୁମଦାର କହିଛନ୍ତି।
ଲ’ କଲେଜ ଗଣଦୁଷ୍କର୍ମ ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ କୋଲକାତାରେ ଆର୍ଜି କର ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ତୃଣମୂଳ କଂଗ୍ରେସର ଛାତ୍ରନେତା ମନୋଜିତ ମିଶ୍ର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଥିଲେ। ମୁଖ୍ୟ ଅଭିଯୁକ୍ତ ଟିଏମ୍ସି ନେତାଙ୍କୁ ନେଇ ଏବେ ଦଳୀୟ ମହଲରେ ତମ୍ବିତୋଫାନ ସୃଷ୍ଟି ହୋଇଥିବା ବେଳେ ଅନେକ ନେତା ଏହି ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ୍ କରୁଛନ୍ତି। ଦୁଷ୍କର୍ମ ପୀଡ଼ିତାଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେବା ପରେ ଟିଏମ୍ସି ବିଧାୟକ ମଦନ ମିତ୍ରଙ୍କୁ ଦଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ପ୍ରଥମ ବର୍ଷର ଛାତ୍ରୀ ଜଣକ ଏକୁଟିଆ ଘଟଣାସ୍ଥଳକୁ କାହିଁକି ଗଲେ ବୋଲି ମିତ୍ର ପ୍ରଶ୍ନ କରିଥିଲେ। ଆଇନ ମହାବିଦ୍ୟାଳୟ ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କୋଲକାତା ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି)ରେ ସଦସ୍ୟ ସଂଖ୍ୟା ୯କୁ ବୃଦ୍ଧି କରିଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏବଂ ସମୟବଦ୍ଧ ତଦନ୍ତ ସୁନିଶ୍ଚିତ କରିବା ପାଇଁ ଏସଆଇଟିରେ ୪ ଜଣ ଅତିରିକ୍ତ ସଦସ୍ୟଙ୍କୁ ସାମିଲ କରାଯାଇଛି ବୋଲି ସୂଚନା ମିଳିଛି।
କଲେଜରୁ ମିଳିଥିବା ସିସିଟିଭି ଫୁଟେଜରେ ପୀଡ଼ିତା ଛାତ୍ରୀଙ୍କୁ ଗାର୍ଡଙ୍କ କୋଠରୀଭିତରକୁ ଯିବାକୁ ବାଧ୍ୟ କରାଯାଉଥିବା ଦେଖିବାକୁ ମିଳିଛି। ଏହି ଫୁଟେଜରେ ୩ ଅଭିଯୁକ୍ତ, ସିକ୍ୟୁରିଟି ଗାର୍ଡ ଓ ପୀଡ଼ିତାଙ୍କ ଗତିବିଧି ସଂପର୍କରେ ସ୍ପଷ୍ଟ ପ୍ରମାଣ ରହିଥିବାରୁ ଅଭିଯୁକ୍ତଙ୍କୁ ଖସିବାକୁ ବାଟ ମିଳିବ ନାହିଁ ବୋଲି କୁହାଯାଉଛି।
ଡାକ୍ତରୀ ପରୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି ଏବଂ ତାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଜଣାପଡ଼ିଛି।
କୋଲାକାତାର ଆଇନ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ‘ବହୁତ କିଛି ଲୁଚାଇବାକୁ ଚେଷ୍ଟା କରାଯାଉଛି’
କୋଲାକାତାର ଏକ ଆଇନ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟିଏମ୍ସି ନେତା ଗିରଫ ହେବାପରେ ଏହାକୁ ନେଇ ସରଗରମ ସ୍ଥିତି ଲାଗି ରହିଛି। ଜାତୀୟ ମହିଳା କମିସନ ସଦସ୍ୟ ଅର୍ଚ୍ଚନା ମଜୁମଦାର ଆଜି ଦକ୍ଷିଣ କୋଲକାତା ଆଇନ...
/sambad/media/media_files/2025/06/30/lxzcvbn-2025-06-30-06-59-43.jpg)