ନୂଆଦିଲ୍ଳୀ: ଦିଲ୍ଳୀର ଏକ ଆଇଏଏସ୍‌ କୋଚିଂ ସେଣ୍ଟର୍‌ରେ ପାଣି ପଶି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତାହାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏବେ ଜାଣିବାକୁ ମିଳିଛି ଯେ କୋଚିଂ ସେଣ୍ଟରରେ ବନ୍ୟା ହେତୁ ତିନି ଛାତ୍ରଙ୍କ ମୃତ୍ୟୁ ହେବାର ପ୍ରାୟ ଏକ ମାସ ପୂର୍ବରୁ କୋଚିଂ ସେଣ୍ଟରର ବେସମେଣ୍ଟକୁ ଲାଇବ୍ରେରି ଏବଂ ଅଧ୍ୟୟନ କେନ୍ଦ୍ର ଭାବରେ ବେଆଇନ ଭାବେ ବ୍ୟବହାର କରାଯାଉଥିବା ନେଇ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିକଟରେ ଅଭିଯୋଗ ହୋଇଥିଲା।

Advertisment

ବେଆଇନ ଭାବେ କୋଚିଂ କ୍ଲାସ୍ ଏବଂ ବେସମେଣ୍ଟରେ ଥିବା ଲାଇବ୍ରେରି ବିରୋଧରେ ଛାତ୍ର କିଶୋର ସିଂ କୁଶୱା ପୁରୁଣା କୋଚିଂ ସେଣ୍ଟର ବିରୋଧରେ ଜୁନ୍ ୨୬ ତାରିଖରେ ଅଭିଯୋଗ କରିଥିଲେ। ଜନ ଅଭିଯୋଗ ପୋର୍ଟାଲରେ ଦାଖଲ ହୋଇଥିବା ତାଙ୍କ ଅଭିଯୋଗରେ ସେ କହିଥଇଲେ ଯେ ଏକ ବଡ଼ ଦୁର୍ଘଟଣାର ସମ୍ଭାବନା ରହିଛି। କୁଶୱା କହିଛନ୍ତି ଯେ ଘଟଣା ଘଟିଥିବା ରାଉସ୍‌ ଆଇଏଏସ୍ ଷ୍ଟଡି ସର୍କଲ୍ ତାଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।
ଉଲ୍ଲେଖଯୋଗ୍ୟ, ଶନିବାର ରାତିରେ ପ୍ରବଳ ବର୍ଷା ସମୟରେ ରାଉସ୍‌ ଆଇଏଏସ୍ ଷ୍ଟଡି ସର୍କଲର ତଳ ମହଲାରେ ଥିବା ଏକ ଲାଇବ୍ରେରି ବୁଡ଼ିଯିବା ପରେ ତିନିଜଣ ସିଭିଲ୍‌ ସର୍ଭିସ ଆଶାୟୀଙ୍କ ମୃତ୍ୟୁ ଘଟିଛି। ବେସମେଣ୍ଟରେ ଲାଇବ୍ରେରି ଚଳାଇବାକୁ କୋଚିଂ ସେଣ୍ଟରର ଅନୁମତି ନଥିଲା |

“ଅନୁମତି ନ ଥାଇ ମଧ୍ୟ ସେମାନେ ବେସମେଣ୍ଟରେ ଏନ୍‌ଓସି ବିନା ଏକ ଶ୍ରେଣୀଗୃହ ଚଳାଉଛନ୍ତି। ସେମାନେ ପରୀକ୍ଷା, କ୍ଲାସ୍ ଚଳାଉଛନ୍ତି; ଯାହା ଛାତ୍ର ଏବଂ କର୍ମଚାରୀଙ୍କ ଜୀବନକୁ ପ୍ରଭାବିତ କରୁଛି ବୋଲି ଉଲ୍ଳେଖ କରିବା ସହ ଏକ ବଡ଼ ଦୁର୍ଘଟଣାର ସମ୍ଭାବନା ଅଛି ବୋଲି ଛାତ୍ର ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।

ଯେତେବେଳେ ସେମାନେ କୌଣସି ଉତ୍ତର ଦେଇନଥିଲେ, ସେ ଜୁଲାଇ ୧୬ ଏବଂ ଜୁଲାଇ ୨୨ ରେ ପୁନର୍ବାର ଅଭିଯୋଗ ଦାଖଲ କରିଥିଲେ ଏବଂ ଏହା ଏକ ଜରୁରୀ ପ୍ରସଙ୍ଗ ବୋଲି କହିଥିଲେ। ଏହାସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଥିଲେ। ତେବେ ଏପର୍ଯ୍ୟନ୍ତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।