ସତନା: ମୋବାଇଲ ଚାଲିବାରେ ଅସୁବିଧା ଥିବାର ଦେଖି ବ୍ୟାଟେରି ଚୋବାଇଲେ ଛାତ୍ର, ଆଉ ବିସ୍ଫୋରଣରେ ଉଡ଼ିଗଲା ତାଙ୍କ ଥୋମଣି | ମଧ୍ୟପ୍ରଦେଶର ସତନା ଜିଲ୍ଲାର ନାଗୋଡରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି| ଜଣେ ଛାତ୍ର ଅନଲାଇନରେ ପଢୁଥିବାବେଳେ ମୋବାଇଲ ବନ୍ଦ ହୋଇଯାଇଥିଲା | ବ୍ୟାଟେରିରେ କିଛି ସମସ୍ୟା ଥିବା ଭାବି ସେ ଯେତେବେଳେ ସେ ମୋବାଇଲର ବ୍ୟାଟେରିକୁ ଚୋବାଇଥିଲେ, ସେତେବେଳେ ବିସ୍ଫୋରଣ ହୋଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |
ଆହତ ଛାତ୍ରଙ୍କ ପିତା ଯୋଗେନ୍ଦ୍ର ବେଲଦାରଙ୍କ କହିବା ଅନୁଯାୟୀ, ତାଙ୍କ ପୁଅ ରାମପ୍ରକାଶ ବେଲଦାର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରନ୍ତି। ଅନଲାଇନ୍ କ୍ଲାସ୍ ପାଇଁ ବ୍ୟବହାର କରୁଥିବା ମୋବାଇଲରେ ସମସ୍ୟା ଯୋଗୁଁ ସେ ମୋବାଇଲର ବ୍ୟାଟେରି ବାହାର କରିଥିଲେ | ବ୍ୟାଟେରିକୁ ପାଟିରେ ରଖି ସେ ଦାନ୍ତରେ ଦବାଇବା ପରେ ହଠାତ୍ ଏହା ବିସ୍ଫୋରଣ ହୋଇଥିଲା | ବିସ୍ଫୋରଣରେ ରାମପ୍ରକାଶଙ୍କ ଥୋମଣିରେ ଗୁରୁତର ଆଘାତ ଲାଗିଥିଲା |
ଏହା ପରେ ପରିବାର ସଦସ୍ୟ ତାଙ୍କୁ ତୁରନ୍ତ ଜବଲପୁରକୁ ଆଣି ସେଠାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଥିବାବେଳେ ଏବେ ଅବସ୍ଥା ସ୍ଥିର ଅଛି | ତେବେ ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ି ନଥିଲେ ବି ଆଶଙ୍କା କରାଯାଉଛି ଯେ ବ୍ୟାଟେରିରେ ଫୁଲ ଚାର୍ଜ ଥିବାବେଳେ ଯେହେତୁ ସେ ଏହାକୁ ଚୋବାଇଥିଲେ, ଏହା ବିସ୍ଫୋରଣ ହୋଇଥିଲା |