ମହାଦେବଙ୍କୁ ଚଢାଯାଉଥିବା କ୍ଷୀରଙ୍କୁ ଭୋକିଲାଙ୍କୁ ଦେବାକୁ ଛାତ୍ରମାନେ ନିର୍ମାଣ କଲେ ଏହି ଯନ୍ତ୍ର

ମିରଠ: ଶିବ ମନ୍ଦିରକୁ ଆପଣ କେବେ ଯାଇଥିଲେ ନିଶ୍ଚିତ ଦେଖିଥିବେ ଯେ ଶିବଲିଙ୍ଗ ଉପରେ ଶ୍ରଦ୍ଧାଳୁ କ୍ଷୀର ପ୍ରସାଦ ଭାବରେ ଚଢ଼ାଇଥାନ୍ତି | ପ୍ରତ୍ୟେକ ସପ୍ତାହର ସୋମବାର ହେଉ କିମ୍ବା ମହାଶିବରାତ୍ରିରେ ମହାଦେବଙ୍କ ଲିଙ୍ଗ ଉପରେ ଲିଟର ଲିଟର କ୍ଷୀର ଢଳାଯାଇଥାଏ | ତେବେ ଏଥିମଧ୍ୟରୁ ଅଧିକ ମାତ୍ରାରେ କ୍ଷୀର ନଷ୍ଟ ହୋଇଯାଇଥାଏ | ଯଦି ଆପଣ ଢାଳୁଥିବା କ୍ଷୀର ଲିଙ୍ଗରେ ଚଢ଼ାଯିବା ପରେ ଭୋକିଲାଙ୍କୁ ଦିଆଯାଇପାରନ୍ତା, ତେବେ କେମିତି ହୁଅନ୍ତା | କିଛି ଏମିତି ବାଟ ଏବେ ଆପଣାଇଛନ୍ତି ୫ ଜଣ ଛାତ୍ର | ଉତ୍ତରପ୍ରଦେଶ ମିରଠର ୫ ଜଣ ଛାତ୍ର ଏବେ ଏମିତି ଏକ ଯନ୍ତ୍ର ନିର୍ମାଣ କରିଛନ୍ତି, ଯାହାକି ଆପଣ ଚଢ଼ାଉଥିବା କ୍ଷୀରକୁ ସଂଗ୍ରହ କରି ରଖିପାରିବ | ଆବଶ୍ୟକ ପଡିଲେ ଏହି କ୍ଷୀରକୁ ଆବଶ୍ୟକତା ଥିବା ବ୍ୟକ୍ତିଙ୍କୁ ଦିଆଯାଇପାରିବ |

ମିରଠରେ ରହୁଥିବା କରଣ ଗୋୟଲ ନିଜର ୪ ଜଣ ସାଙ୍ଗମାନଙ୍କ ସହ ମିଶି ଏହି ଯନ୍ତ୍ରକୁ ଗତକାଲି ଶିବରାତ୍ରି ଅବସରରେ ପ୍ରଥମ ଥର ପାଇଁ ବ୍ୟବହାର କରିଥିଲେ | କରଣ ନିଜର ଯନ୍ତ୍ରକୁ ମିରଠର ବିଲେଶ୍ଵର ନାଥ ମନ୍ଦିରରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରିଥିଲେ | ଆଉ ଏହି ଯନ୍ତ୍ର ମାଧ୍ୟମରେ କରଣ ଓ ତାଙ୍କ ସାଙ୍ଗମାନେ ପ୍ରାୟ ୧୦୦ ଲିଟର କ୍ଷୀର ନଷ୍ଟ ହେବାରୁ ବଂଚାଇଥିବାବେଳେ ଏହାକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ | କରଣ କହିଛନ୍ତି ଯେ, ଶ୍ରଦ୍ଧାଳୁମାନେ ଶିବଲିଙ୍ଗ ଉପରେ ଥିବା କଳସରେ କ୍ଷୀର ଢ଼ାଳିଥାନ୍ତି | ଆଉ ଏହି କଳସରେ ଛିଦ୍ରଟିଏ କରାଯାଇଛି | ଛିଦ୍ର ଥିବା କଳସ ତଳେ ଆଉ ଏକ କଳସ ରଖାଯାଇଛି |

ଏହି ପ୍ରଣାଳୀରେ ୭ ଲିଟର କ୍ଷୀର ମଧ୍ୟରୁ ୧ ଲିଟର କ୍ଷୀର ଶିବଲିଙ୍ଗ ଉପରେ ପଡୁଥିବାବେଳେ ବାକି ୬ ଲିଟର କ୍ଷୀର ପାଇପ ମାଧ୍ୟମରେ ଆଉ ଏକ ପାତ୍ରରେ ସଂଗୃହିତ ହୋଇଯାଏ | ଏଭଳି ଏକ ଯନ୍ତ୍ର ନିର୍ମାଣ ପାଇଁ କରଣ ଓ ତାଙ୍କ ସାଙ୍ଗମାନେ ୨୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି | ଆଉ ଗତକାଲି ୧୦୦ ଲିଟର କ୍ଷୀର ବଞ୍ଚାଇଥିଲେ | ଶେଷରେ ୧୦୦ ଲିଟର କ୍ଷୀରକୁ ‘ସତ୍ୟକାମ ମାନବ ସେବା ସମିତି'(ଅନାଥ ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନ)କୁ ପଠାଇଥିଲେ |

ସମ୍ବନ୍ଧିତ ଖବର