ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ! ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରେ ଆନ୍ଦୋଳନ

ଅଭିଯୁକ୍ତ ଛାତ୍ରୀ, ତାଙ୍କ ପୁରୁଷ ବନ୍ଧୁ ଗିରଫ, ଛାତ୍ରୀଙ୍କ ଆତ୍ମହତ୍ୟା ଖବରକୁ ନେଇ ଗୁଜବ

ଚଣ୍ଡୀଗଡ଼ : ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ହଷ୍ଟେଲ ଛାତ୍ରୀମାନଙ୍କ ଗାଧୁଆ ବେଳ ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ‌ ହେବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଏହାର ପ୍ରତିବାଦ ଜଣାଇବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗତରାତିରୁ ବିକ୍ଷୋଭ ପ୍ରଦର୍ଶନ ଚଳାଇଛନ୍ତି। ଜଣେ ଛାତ୍ରୀ ତାଙ୍କ ମୋବାଇଲରେ ଏଭଳି ଭିଡିଓ ସୁଟିଂ କରି ତାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ପୁଲିସ ସଂପୃକ୍ତ ଛାତ୍ରୀ ଏବଂ ତ‌ାଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।

ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ଅନ୍ତେବାସୀମାନଙ୍କର ୫୦ରୁ ୬୦ଟି ଭିଡିଓ ରହିଛି। ଅଭିଯୁକ୍ତ ସେସବୁ ଭିଡିଓକୁ ତାଙ୍କ ବନ୍ଧୁଙ୍କ ନିକଟକୁ ପଠାଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି। ଗୋଟିଏ ମହଲାରେ ୨୦ଟି ‌ରୁମ୍‌ ରହିଛି। ପ୍ରତି ରୁମ୍‌ରେ ୪ ଜଣ ଲେଖାଏଁ ଛାତ୍ରୀ ରହୁଛନ୍ତି। ତେଣୁ ଅନ୍ୟ ଛାତ୍ରୀମାନଙ୍କର ଭିଡିଓ ମଧ୍ୟ ଭାଇରାଲ ହୋଇଥିବା ଆଶଙ୍କା କରାଯାଉଛି। ଛାତ୍ରୀମାନଙ୍କ ଅଭିଯୋଗ ଏବଂ ଆନ୍ଦୋଳନ ଉଗ୍ର ହେ‌ବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଅଭିଯୁକ୍ତ ଛାତ୍ରୀଙ୍କୁ କ୍ୟାମ୍ପ୍‌ସରୁ ଗିରଫ କରାଯାଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁକୁ ସିମଲାରୁ ଗିରଫ କରାଯାଇଛି । ବର୍ତ୍ତମାନ ଦୁଇ ଅଭିଯୁକ୍ତ ଗିରଫ ହେବା ସହିତ ସେମାନଙ୍କ ମୋବାଇଲ ଫୋନ୍‌ର ‌ଫରେନସିକ ତଦନ୍ତ ହେବାପରେ ଅଧିକ ଘଟଣା ସାମ୍ନାକୁ
ଆସିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

India Posts English

ତେବେ ଭିଡିଓ ଭାଇରାଲ ହେବା ପରେ କିଛି ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ଆନ୍ଦୋଳନକାରୀମା‌ନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ପୁଲିସ ଖଣ୍ଡନ କରିଛି ଏବଂ ଏଭଳି ଗୁଜବରେ ବିଶ୍ବାସ ନକରିବାକୁ ନିବେଦନ କରିଛି। ସେହିଭଳି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ଭିଡିଓ ଭାଇରାଲ ଖବରକୁ ଅସ୍ବୀକାର କରିଛନ୍ତି। କେବଳ ଜଣେ ଛାତ୍ରୀଙ୍କ ଭିଡିଓ କ୍ଲିପ୍‌ ଲିକ୍ ହୋଇଛି ଏବଂ ସେହି କ୍ଲିପ୍‌ଟି ଅଭିଯୁକ୍ତ ଛାତ୍ରୀଙ୍କର। ଛାତ୍ରୀଜଣକ ସେହି ଭିଡିଓକୁ ତାଙ୍କର ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଛନ୍ତି ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

ପଞ୍ଜାବ ଉଚ୍ଚଶିକ୍ଷା ମନ୍ତ୍ରୀ ଗୁରମିତ ସିଂହ ମିତ୍ ହେୟର ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ କେହି ଆତ୍ମହତ୍ୟା କରିନାହାନ୍ତି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଜଣେ ଛାତ୍ରୀଙ୍କ ବ୍ୟଗ୍ରତାଜନିତ ଅସୁସ୍ଥତା ବଢ଼ିଯିବାରୁ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଥିଲା। ପୁଲିସ ଟିମ୍ ସେହି ଛାତ୍ରୀଙ୍କ ସହ ଯୋଗାଯୋଗରେ ଅଛି ବୋଲି ମୋହାଲିର ବରିଷ୍ଠ ପୁଲିସ ଅଧୀକ୍ଷକ ବିବେକ ସୋନି କହିଛନ୍ତି। ‌ଛାତ୍ରୀଙ୍କ ଏମ୍‌ଏମ୍‌ଏସ୍‌ କ୍ଲିପ୍ ଭାଇରାଲ ହୋଇଥିବା ଅଭିଯୋଗକୁ ପୁଲିସ ଖଣ୍ଡନ କରିଛି। କେବଳ ଅଭିଯୁକ୍ତର ଭିଡିଓ ରହିଛି। ଅନ୍ୟ ଛାତ୍ରୀଙ୍କର ଭିଡିଓ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଏହା ଗୁଜବ ବୋଲି ସେ କହିଛନ୍ତି।

MensXP

ଏହି ଘଟଣା ପରେ ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ୬୦ ଆପତ୍ତିଜନକ ଏମ୍‌ଏମ୍‌ଏସ୍‌ ପ୍ରସାର ହୋଇଥିବା ଖବର ମିଛ ଏବଂ ଭିତ୍ତିହୀନ। ବିଶ୍ବବିଦ୍ୟାଳୟ ପକ୍ଷରୁ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଅଭିଯୋଗ ଆଣିଥିବା ଛାତ୍ରୀଙ୍କ ବ୍ୟତୀତ ଅନ୍ୟ କାହାରି ଆପତ୍ତିଜନକ ଭିଡିଓ ସୁଟିଂ ହୋଇନାହିଁ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ କହିଛନ୍ତି ଯେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ‌ଦିଆଯାଇଛି। ଚଣ୍ଡୀଗଡ଼ ବିଶ୍ବବିଦ୍ୟାଳୟରେ ଏହି ଖବର ଶୁଣିବାକୁ ମିଳିବା ଦୁଃଖଦାୟକ ବୋଲି ସେ କହିଛନ୍ତି। ଆମ ଛାତ୍ରୀମାନେ ଆମର ଗୌରବ। ଦୋଷୀକୁ କଠୋର ଦଣ୍ଡ ମିଳିବ ବୋଲି ସେ କହିଛନ୍ତି। କୌଣସି ପ୍ରକାର ଗୁଜବକୁ ଧ୍ୟାନ ‌ନଦେବାକୁ ସେ ଅନୁରୋଧ କରିଛନ୍ତି। ସେହିଭଳି ପଞ୍ଜାବର ବିଦ୍ୟାଳୟ ଶିକ୍ଷା ମନ୍ତ୍ରୀ ହରଜୋତ ସିଂହ ବେନ୍ସ ଛାତ୍ରଛାତ୍ରୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଉକ୍ତ ଘଟଣାକୁ ଲଜ୍ଜାନକ କହିଥିଲେ ମଧ୍ୟ ଛାତ୍ରୀମାନଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର