ବିସ୍କୁଟ୍ ପାଇଁ ଛାତ୍ରକୁ ପିଟି ପିଟି ମାରିଦେଲେ ସହପାଠୀ

ଡେରାଡୁନ : ସପ୍ତମ ଶ୍ରେଣୀର ଜଣେ ଛାତ୍ର ଗୋଟିଏ ଦୋକାନରୁ ବିସ୍କୁଟ ପ୍ୟାକେଟ୍ ଚୋରି କଲା ବୋଲି ତାକୁ ପିଟି ପିଟି ମାରି‌େ‌ଦଲେ। ଉତ୍ତରାଖଣ୍ଡ ଡେରାଡୁନର ଏକ ବୋର୍ଡିଂ ସ୍କୁଲରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମାରିଛନ୍ତି ‌େସହି ସ୍କୁଲର ଦୁଇ ବରିଷ୍ଠ ଛାତ୍ର। ହତ୍ୟାକାଣ୍ଡକୁ ଚାପିବା ଲାଗି ସ୍କୁଲ କର୍ତ୍ତୃପକ୍ଷ ପିଲାର ଶବକୁ ସ୍କୁଲ ପରିସରରେ ‌ପୋତିଦେଲେ। ଘଟଣା ପ୍ରଘଟ ହେବାପରେ ପୁଲିସ ଦୁଇ ଜଣ ଛାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

ଏହି ଛାତ୍ର ହତ୍ୟାକାଣ୍ଡ ମାର୍ଚ୍ଚ ୧୦ରେ ହୋଇଥିଲେ ମଧ୍ୟ ଉତ୍ତରାଖଣ୍ଡର ଶିଶୁ ଅଧିକାର ସୁରକ୍ଷା କମିସନଙ୍କ ହସ୍ତକ୍ଷେପ ପରେ ହିଁ ମାମଲା ପଦାକୁ ଆସିଥିବା ଜଣାପଡିଛି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ ଛାତ୍ରମାନେ ବାହାରକୁ ବୁଲିଯାଇଥିବା ବେଳେ ୧୨ ବର୍ଷର ଉକ୍ତ ଛାତ୍ର ଜଣକ ବିସ୍କୁଟ ଚୋରି କରିଥିବା ଜଣେ ଦୋକାନୀ ଅଭିଯୋଗ କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରମାନଙ୍କୁ ଦଣ୍ଡ ସ୍ବରୂପ ବାହାରକୁ ଯିବାକୁ ଆଉ ଅନୁମତି ଦେଇ ନଥିଲେ। ଫଳରେ ଉପର ଶ୍ରେଣୀର ଛାତ୍ରମାନେ ଉକ୍ତ ଛାତ୍ରଙ୍କୁ ସଂଘବଦ୍ଧ ହୋଇ କ୍ରିକେଟ ବ୍ୟାଟ୍‌ ଏବଂ ଵିକେଟରେ ବାଡ଼େଇଥିଲେ। ଏହାପରେ ତାକୁ ଥଣ୍ଡା ପାଣିରେ ଗାଧୋଇ ଖାଇବାକୁ ଦେଇଥିଲେ। ‌ସେ ଖାଉଥିବା ବେଳେ ତାକୁ କ୍ୟାଣ୍ଟି‌ନରେ ଛାଡ଼ି ପଳାଇଥିଲେ। ତେବେ ଖାଇବା ସମୟରେ ଉକ୍ତ ଛାତ୍ର ବାନ୍ତି କରିବାରୁ ତାକୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ଘଟଣା ବିଷୟରେ ପୁଲିସକୁ ନଜଣାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରର ଶବକୁ ପୋତିଦେବା ଭଳି ସଂଗୀନ ଅପରାଧ କରି ଘଟଣାଟିକୁ ଚପାଇଦେବାକୁ ଚେଷ୍ଟା କରିଥିଲେ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ମଙ୍ଗଳବାର ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହି ମାମଲାରେ ଦୁଇ ଛାତ୍ର, ବିଦ୍ୟାଳୟ ପରିଚାଳକ, ୱାର୍ଡନ ଏବଂ ଖେଳ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି I

ସମ୍ବନ୍ଧିତ ଖବର