ସ୍କୁଲ ଫି ଦେଇନପାରି ଛାତ୍ରୀଙ୍କ ଆତ୍ମହତ୍ୟା

ପରୀକ୍ଷା ଦେବାକୁ ବାରଣ କରିଥିଲେ ଶିକ୍ଷକ

ପଞ୍ଚକୁଳା: ସ୍କୁଲ୍‌ ଫି ଦେଇନପାରି ନିଜକୁ ଅପମାନିତ ବୋଧ କରି ହାଇଦ୍ରାବାଦ୍‌ର ମଲକାଜଗିରି ସ୍ଥିତ ‘ଜ୍ୟୋତି ହାଇସ୍କୁଲ୍‌’ର ଜଣେ ନବମ ଶ୍ରେଣୀ ଛାତ୍ରୀ ଆଜି ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଆଣିଛି। ଆତ୍ମହତ୍ୟା ପୂର୍ବରୁ ଛାତ୍ରୀ ଜଣକ ନିଜ ମା’ଙ୍କ ଉଦ୍ଦେଶ୍ୟରେ ଲେଖିିଥିବା ଚିଠିରୁ ଘଟଣା ସମ୍ପର୍କରେ ଜଣାପଡ଼ିଛି। ଅଭିଯୋଗ ପାଇ ପୁଲିସ ସଂପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ କିରାଣିଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସୂଚନାନୁଯାୟୀ, ଛାତ୍ରୀ କେ ସାଇ ଦୀପ୍ତି(୧୪)ଙ୍କ ବାପା ଜଣେ ଅଟୋ ଡ୍ରାଇଭର। ପରିବାରରେ ଆର୍ଥିକ ସଙ୍କଟ ଥିବା ହେତୁ ଝିଅ ପାଇଁ ୨,୦୦୦ ଟଙ୍କାର ସ୍କୁଲ୍‌ ଦରମା ସେ ଦେଇପାରିନଥିଲେ। ତେବେ ଏଥିପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷ ଦୀପ୍ତିଙ୍କୁ ପରୀକ୍ଷା ହଲ୍‌ରେ ବସାଇ ଦେଇନଥିଲେ। ଏପରିକି ଅନ୍ୟ ପିଲାଙ୍କ ଆଗରେ ଦୀପ୍ତିଙ୍କୁ ଶ୍ରେଣୀଗୃହରୁ ବାହାର କରିଦେଇଥିଲେ। ଏଥିରେ ମର୍ମାହତ ହୋଇ ଦୀପ୍ତି ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ବୋଲି ଜଣାଯାଇଛି। ଦୀପ୍ତି ଘରକୁ ଫେରିବା ସମୟରେ ଖୁବ୍‌ ବିଷାଦଗ୍ରସ୍ତ ଦେଖାଯାଉଥିଲେ ଏବଂ ଚିନ୍ତିତ ରହିଥିଲେ ବୋଲି ତାଙ୍କ ବଡ଼ ଭଉଣୀ ସାଇ ଲତା କହିଛନ୍ତି। ପରେ ଦୀପ୍ତି ଘର କବାଟ ବନ୍ଦ କରି ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିଲେ। କବାଟ ଭାଙ୍ଗି ପରିବାର ଲୋକେ ଦେଖିଲା ବେଳକୁ ସବୁ କିଛି ସରିଯାଇଥିଲା। ଝିଅର ପଢ଼ା ଟେବଲ୍‌ ଉପରେ ପଡ଼ିଥିବା ଚିଠିରେ ଦି’ ଧାଡ଼ି ଲେଖା ଯାହା ରହିଥିଲା, ‘ମୁଁ ଦୁଃଖିତ ମା’, ସେମାନେ ମୋତେ ପରୀକ୍ଷା ହଲ୍‌ରେ ବସେଇ ଦେଲେନି’।

ସମ୍ବନ୍ଧିତ ଖବର