ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଲୁଚ‌ାଇ ହରଡ଼ଘଣାରେ ନୋଇଡା ସ୍କୁଲ

ପୁଲିସକୁ ନ ଜଣାଇ ଗୁପ୍ତ ଭାବେ ଶବଦାହ

ନୋଇଡା: ନୋଇଡାର ଏକ ଆବାସିକ ବାଳିକା ହାଇସ୍କୁଲ‌ରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ଲୁଚା‌ଇ ହରଡ଼ଘଣାରେ ପଡ଼ିଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ଜୁଲାଇ ୩ ତାରିଖରେ ଶ୍ରେଣୀଗୃହରେ ଫ୍ୟାନ୍‌ରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା। ତେବେ ସ୍କୁଲ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପୁଲିସକୁ ନ ଜଣାଇ ଗୁପ୍ତ ଭାବେ ଶବଦାହ କରିଦେଇଥିଲେ। ତେବେ ଆତ୍ମହତ୍ୟା କରିଥିବା ଛାତ୍ରୀ ନିକଟରୁ ଏକ ସୁଇସାଇଡାଲ ନୋଟ୍‌ ଜବତ ହୋଇଛି।

ତାର କେହି ସାଙ୍ଗ ନଥିଲେ ଏବଂ ଜୀବନ ପ୍ରତି ଘୃଣା ଆସିଯାଇଥିଲା ବୋଲି ନୋଟ୍‌ରେ ଉଲ୍ଲେଖ ରହିଛି। ତେବେ ସ୍କୁଲ କର୍ତ୍ତୃପକ୍ଷ କାହିଁକି ଏବଂ କେଉଁ ପରିସ୍ଥିତିରେ ପୁଲିସ ଏବଂ ଛାତ୍ରୀର ଅଭିଭାବକଙ୍କୁ ନ ଜଣାଇ ଗୁପ୍ତ ଭାବେ ଶବଦାହ କରିଦେଲେ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ନେଇ ମୃତ ଛାତ୍ରୀର ବାପା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଝିଅକୁ ଗୋଟିଏ ଶ୍ରେଣୀ ଗୃହ ମଧ୍ୟରେ ବନ୍ଦୀ କରି ରଖି ଦେଇଥିଲେ ଏବଂ ମାନସିକ ଅବସାଦ ଯୋଗୁଁ ଝିଅ ଆତ୍ମହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ନୋଇଡା ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର