ସହିଦ ଭଗତ ସିଂହ ଜୟନ୍ତୀ ପାଳିଲେ ବୋଲି କଲେଜରୁ ବିଦା ହେଲେ ଛାତ୍ରୀ

କୋଏମ୍ବାଟୁର: ତାମିଲନାଡୁର କୋଏମ୍ବାଟୁର ସରକାରୀ କଳା କଲେଜରେ ଏକ ଅଦ୍ଭୁତଜନକ ମାମଲା ଲୋକଲୋଚନକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ସହିଦ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବାରୁ ବିଦା ହେବାକୁ ପଡ଼ିଛି। କଲେଜରେ ଇତିହାସ ବିଷୟରେ ପ୍ରଥମ ଛାତ୍ରୀଙ୍କୁ ବହିଷ୍କାର କରାଯାଇଛି। କାରଣ ଛାତ୍ରୀ ଗତ ସେପ୍ଟେମ୍ବର ୨୮ରେ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିଥିଲେ।

ଅଭିଯୋଗ ଯେ, ସ୍ନାତ୍ତୋକତ୍ତର ଛାତ୍ରୀ ମାଳତୀ ବିନା ଅନୁମତିରେ କଲେଜ ପରସରରେ ସହିଦ ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିଥିଲେ। ମାଳତୀ କଲେଜ ଅଧ୍ୟକ୍ଷଙ୍କୁ ଯେତେବେଳେ ଅନୁମତି ମାଗିଥିଲେ, ସେ ମନା କରି ଦେଇଥିଲେ। ଅଧ୍ୟକ୍ଷ କହିଥିଲେ ବିଭାଗୀୟ ସ୍ତରୀୟ ଅନୁମତି ନିଅ। ଏହା ପରେ ଏଚଓଡିଙ୍କ ଛୁଟି ହେବା ପରେ ଛାତ୍ରୀ ଜଣଙ୍କ ଅନ୍ୟ ଜଣେ ଅଧ୍ୟାପକଙ୍କୁ ଭଗତ ଜୟନ୍ତୀ ପାଳନ କରିବାକୁ ଅନୁମତି ମାଗିଥିଲେ। ଏହା ପରେ ମଧ୍ୟ ଅନୁମତି ମିଳି ନଥିଲା।

ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ଠାରୁ ଅନୁମତି ନମିଳିବାରୁ ଛାତ୍ରଛାତ୍ରୀମାନେ ଭଗତ ସିଂହ ଜୟନ୍ତୀ ପାଳନ କରିଥିଲେ। ଛାତ୍ରୀଙ୍କୁ ପଠାଯାଇଥିବା ବହିଷ୍କାର ନୋଟିସରେ ଉଲ୍ଲେଖ ଅଛି ଯେ, ଅନୁମତି ଦିଆଯାଇ ନଥିଲେ ମଧ୍ୟ ମାଳତୀ ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ସହିତ ଭଗତ ଜୟନ୍ତୀ ପାଳନ କରିଛନ୍ତି। ଏଥି ପାଇଁ କଲେଜ ପରିସରରେ ଶାନ୍ତି ଭଙ୍ଗ ହୋଇଛି। ଏହି ମାମଲା ନେଇ କଲେଜ କର୍ତ୍ତୃପକ୍ଷ ଆଗାମୀ ଅକ୍ଟୋବର ୨୨ରେ ପଚରାଉଚରା କରିବ। ଏହା ପରେ ଛାତ୍ରୀଙ୍କୁ ବହିଷ୍କାର କରାଯିବା ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ। କଲେଜ ପରିସର ଲୋକତନ୍ତ୍ର ବିରୋଧରେ ବୋଲି ମାଲତୀ କହିଛନ୍ତି।

ସମ୍ବନ୍ଧିତ ଖବର