ଚାଟ୍‌ଜିପିଟି ବ୍ୟବହାର କରି ଉତ୍ତର ଲେଖି ଧରାପଡ଼ିଲେ ଛାତ୍ର

ନୂଆଦିଲ୍ଲୀ : ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରଛାତ୍ରୀମାନେ ନୂଆକରି ଉଦ୍ଭାବନ ହୋଇଥିବା ପ୍ରଯୁକ୍ତି ଚାଟ୍‌ଜିପିଟି ଗତ କିଛିମାସ ହେଲା ବ୍ୟବହାର କରୁଛନ୍ତି। କେବଳ ଯେ ପରୀକ୍ଷା ନୁହେଁ, ବିଦ୍ୟାଳୟରେ ଘରୁ କରି ଆଣିବା ପାଇଁ ଦିଆଯାଉଥିବା ପ୍ରଶ୍ନର ଉତ୍ତର ଲେଖିବା ବେଳେ ମଧ୍ୟ ଛାତ୍ରଛାତ୍ରୀମାନେ ଚାଟ୍‌ଜିପିଟି ବ୍ୟବହାର କଲେଣି। ଜଣେ ସପ୍ତମ ଶ୍ରେଣୀର ଛାତ୍ରର ଏଭଳି କାର୍ଯ୍ୟ ସାମ୍ନାକୁ ଆସିଛି। ଇଂରାଜୀ ବିଷୟରେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଲେଖିବା ସମୟରେ ଅର୍ଜୁନ ନାମକ ଏହି ପିଲାଜଣକ ଏଆଇର ଉପଯୋଗ କରିଛି।

ଉଦ୍ୟୋଗୀ ତଥା ୱାଲନଟ୍‌ ସିଇଓ ରୋଶନ ପଟେଲ ସାମାଜିକ ଗଣମାଧ୍ୟମ ଟ୍ବିଟରରେ ଏହାକୁ ସେୟାର କରିବା ପରେ ଘଟଣା ସାମ୍ନାକୁ ଆସିଛି। ଏଥିସହିତ ଛାତ୍ରଜଣକ ଲେଖିଥିବା ପ୍ରଶ୍ନର ଉତ୍ତରର ଫଟୋ ମଧ୍ୟ ରୋଶନ ପୋଷ୍ଟ କରିଛନ୍ତି। ରୋଶନ ଲେଖିଛନ୍ତି ମୋ ସଂପର୍କୀୟ ଅର୍ଜୁନ ଇଂରାଜୀ ‌ହୋମୱାର୍କ କରିବା ସମୟରେ ଚାଟ୍‌ଜିପିଟି ବ୍ୟବହାର କରିଛି। ତେବେ ଛାତ୍ରଜଣକ ସିଧାସଳଖ ଏଆଇର ଉତ୍ତର ଲେଖିଦେଇଥିଲେ। ସେଥିରେ ଇଂରାଜୀରେ ଉଲ୍ଲେଖ ଥିଲା ଯେ ଆଜ୍‌ ଆନ୍‌ ଏଆଇ ଲାଙ୍ଗୁଏଜ୍‌ ମଡେଲ, ଆଇ ଡୋନ୍ଟ ହାବ୍‌ ପର୍ସନାଲ ଏକ୍ସପେଟେସନସ ଅର୍ ଓପିନିଅନସ। ଏହି ବାକ୍ୟକୁ ଉତ୍ତରରୁ ବାଦ୍ ଦେବାକୁ ଛାତ୍ରଜଣକ ଭୁଲିଯାଇଛି। ଏଥିସହିତ ଛାତ୍ରଜଣକ ଅନ୍ୟ ଏକ ସ୍ଥାନରେ ଏଭଳି ଏକ ଜଟିଳ ଶବ୍ଦ ଲେଖିଛି ଯାହା କି ଜଣେ ସପ୍ତମ ଶ୍ରେଣୀ ଛାତ୍ରଠାରୁ ଆଶା କରାଯାଇ ନପାରେ।

ରୋଶନ ଏହି ଟ୍ବିଟ୍ କରିବା ପରେ ସାମାଜିକ ଗଣମାଧ୍ୟମରେ ଏହା ଉପରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହାକୁ ୧.୨ ନିୟୁତ ଲୋକ ଦେଖିବା ସହିତ ୪୦୦୦ରୁ ଅଧିକ ଲାଇକ୍ ମିଳିଛି।

ସମ୍ବନ୍ଧିତ ଖବର