ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନେ ଏକ ସଂଯମ ଓ ସନ୍ତୁଳିତ ଜୀବନ ଧାରଣ କରିବା ଆବଶ୍ୟକ। ଜୀବନରେ ପ୍ରତିଦ୍ବନ୍ଦ୍ବିତାକୁ ସାଦରେ ଗ୍ରହଣ କରିବା ଆବଶ୍ୟକ କିନ୍ତୁ ଏହି ପ୍ରତିଦ୍ବନ୍ଦ୍ବିତା ସୁସ୍ଥ ଓ ସାକାରତ୍ମକ ହେବା ଆବଶ୍ୟକ ବୋଲି ଆଜି ୭ମ ବାର୍ଷିକ ପରୀକ୍ଷା ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। ଏହି ସହ ସେ ଅଭିଭାବକ ଓ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇକହିଛନ୍ତି ଯେ ପ୍ରତ୍ୟେକ ଘରେ ମୋବାଇଲ୍‌, ଟିଭି ଆଦି ଗେଜେଟ୍‌ର ବ୍ୟବହାରର ନିୟମ ନିର୍ଦ୍ଧାରଣ କରିବା ଆବଶ୍ୟକ। ଯେପରି ପ୍ରତ୍ୟେକ ଘରେ ‌ମୋବାଇଲ୍‌, ଟିଭି ଆଦି ଗେଜେଟ୍‌ ମୁକ୍ତ ସ୍ଥାନ ରଖିବା।

Advertisment

ଯେତେବେଳେ ନିଜ ପରିବାରର ସଦସ୍ୟଙ୍କ ସହ ଏକତ୍ରିତ ବସନ୍ତି, ଖାଇବା ସମୟରେ ମୋବାଇଲ୍‌ ଠାରୁ ନିଜକୁ ଦୂରେଇ ରଖିବା ଉଚିତ। କାରଣ ଏହି ସମୟରେ କଥାବାର୍ତା ପାଇଁ ମୋବାଇଲ୍‌ର ଆବଶ୍ୟକ ପଡ଼େନାହିଁ। ଏଭଳି କରିବା ଦ୍ବାରା ଏକ ଗୁଣାତ୍ମକ ପାରିବାରିକ ଜୀବନ ସୃଷ୍ଟି ହୋଇପାରିବ। ସେହିଭଳି ମୋବାଇଲ୍‌ର ପାସ୍‌କୋର୍ଡ ନିଜର ବାପା-ମାଙ୍କୁ ଜଣାଇବା ଉଚିତ। ଏହାଦ୍ବାରା ପରସ୍ପର ମଧ୍ୟରେ ବିଶ୍ବାସ ସୃଷ୍ଟି ହେବ। ମୋବାଇଲ୍‌ ଭଳି ଗେଜେଟ୍‌ର ରିଚାର୍ଜ ଭଳି ନିଜ ଶରୀରକୁ ମଧ୍ୟ ରିଚାର୍ଜ (ପୁନଃ ଶକ୍ତିଯୁକ୍ତ) କରିବା ଆବଶ୍ୟକ। ଉପଯୁକ୍ତ ନିଦ୍ରା ଦ୍ବାରା ଏହି ରିଚାର୍ଜ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ଚାପ ପରିଚାଳନା ସମ୍ପର୍କରେ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ବିଦ୍ୟାର୍ଥୀମାନେ ତିନିପ୍ରକାର ଚାପର ଶିକାର ହୋଇଥାନ୍ତି। ସେଗୁଡ଼ିକ ହେଲା, ପ୍ରତିଦ୍ବନ୍ଦ୍ବିତାମୂଳକ, ଅଭିବାବକଙ୍କ ଦ୍ବାରା ଓ ଆତ୍ମସୃଷ୍ଟ। ଆତ୍ମସୃଷ୍ଟ ଚାପ ଦ୍ବାରା ‌ବିଦ୍ୟାର୍ଥୀମାନେ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିପାରିନ୍ତିନାହିଁ। ଏଣୁ ଛୋଟଛୋଟ ଲକ୍ଷ୍ୟ ସ୍ଥାପନ ଓ ଏହାର ପୂରଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ଗତ ୬ ବର୍ଷ ଧରି ଏଭଳି ପରୀକ୍ଷା ପେ ଚର୍ଚ୍ଚା ଆୟୋଜନ କରାଯାଉଛି। ସୋମବାର ପ୍ରଗତି ମୈଦାନର ଭାରତ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ପାଇଁ ରେକର୍ଡ ୨.୨୬ କୋଟି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ମାଇଗଭ୍‌ ୱେବ୍‌ସାଇଟ୍‌ ଜରିଆରେ ପଞ୍ଜୀକରଣ କରିଥିଲେ।