ପାକିସ୍ତାନରେ କରୋନାଭାଇରସ୍‌ ଚିକିତ୍ସା ସୁବିଧା ନ ଥିବାରୁ ଶିକ୍ଷାର୍ଥୀମାନେ ଉହାନ୍‌ରେ ରହିବା ଉଚିତ: ପାକିସ୍ତାନୀ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରବିବାର ଦିନ ଚୀନ୍‌ସ୍ଥିତ ପାକିସ୍ତାନୀ ରାଷ୍ଟ୍ରଦୂତ ନାଗମାନା ହାସ୍‌ମି କହିଛନ୍ତି ଯେ ଅଭିନବ କରୋନାଭୂତାଣୁ ଦ୍ୱାରା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରାଇବାରେ ପାକିସ୍ତାନୀ ଡାକ୍ତରଖାନାରେ ସୁବିଧା ନ ଥିବାରୁ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ଉହାନ୍‌ରୁ ସ୍ଥାନାନ୍ତରଣ କରାଯିବ ନାହିଁ।

ଭାରତ ଏବଂ ଅନ୍ୟାନ୍ୟ ଦେଶର ସରକାର ଚୀନ୍‌ରେ ଥିବା ସେମାନଙ୍କର ନାଗରିକମାନଙ୍କୁ ସ୍ଥାନାନ୍ତରଣ କରୁଥିବା ଦେଖି ଉହାନ୍‌ରେ ଅଟକି ରହିଥିବା ପାକିସ୍ତାନୀ ଛାତ୍ରମାନେ ମଧ୍ୟ ସାହାଯ୍ୟ ପାଇଁ ସେମାନଙ୍କ ସରକାରଙ୍କୁ ନିବେଦନ କରୁଛନ୍ତି।

ପାକିସ୍ତାନର ଜିଓ ନିଉଜ୍‌ ରିପୋର୍ଟ ଅନୁସାରେ, ଏକ ସାକ୍ଷାତ୍‌କାରରେ ନାଗମାନା ହାସ୍‌ମି କହିଛନ୍ତି ଯେ କରୋନାଭାଇରସ୍‌ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରିବା ଲାଗି ଚୀନ୍‌ରେ ସର୍ବୋତ୍ତମ ଡାକ୍ତରୀ ସୁବିଧା ରହିଛି।

Image Source: AlZjeera

ହାସ୍‌ମି ପୁଣି କହିଛନ୍ତି ଯେ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ସରି ଆସୁଥିବାରୁ ଉହାନ୍‌ସ୍ଥିତ ପାକିସ୍ତାନୀ ଛାତ୍ରଛାତ୍ରୀମାନେ ଚିନ୍ତିତ ଅଛନ୍ତି। ପାକିସ୍ତାନ ଦୂତାବାସ ଏ ବିଷୟରେ ସଚେତନ ଅଛି। ଏ ବିଷୟରେ ସେମାନେ ହୁବେଇ ପ୍ରଦେଶରେ ଥିବା ଚୀନ୍‌ କର୍ତ୍ତୃପକ୍ଷଙ୍କ ସହ ସବୁବେଳେ କଥାବାର୍ତ୍ତା ହେଉଛନ୍ତି।

ସେ ଆହୁରି କହିଛନ୍ତି, ମୁଁ ଆମ ନାଗରିକମାନଙ୍କୁ ଭରସା ଦେଇ କହୁଛି ଯେ ତୁରନ୍ତ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ସମାଧାନ ଲାଗି ପାକିସ୍ତାନୀ ଦୂତାବାସ ଏବଂ ଚୀନ୍‌ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସମ୍ପ୍ରତି ହୁବେଇରେ କଟକଣା ଲାଗୁ କରାଯାଇଥିବାରୁ କାହାରିକୁ ଛଡ଼ା ଯାଉନାହିଁ। କଟକଣା ହଟିଯିବା ମାତ୍ରେ ଆମେ ପ୍ରଥମେ ସେଠାରେ ଥିବା ଆମ ଦେଶବାସୀଙ୍କୁ ଭେଟିବୁ।

ତୁରନ୍ତ ସ୍ଥାନାନ୍ତରଣ ଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ବାରମ୍ବାର ଅନୁରୋଧ କରିବା ପରେ ପାକିସ୍ତାନର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ କି, ସରକାର ସେମାନଙ୍କୁ ସ୍ଥାନାନ୍ତର କରିବେ ନାହିଁ।

ସମ୍ବନ୍ଧିତ ଖବର