ମାର୍କ ପାଇଁ ଶିକ୍ଷକ ଓ କିରାଣିଙ୍କୁ ଗଛରେ ବାନ୍ଧି ପିଟିଲେ ଛାତ୍ର, ଭିଡିଓ ଭାଇରାଲ

ରାଞ୍ଚି: ଝାଡ଼ଖଣ୍ଡର ଦୁମକାଠାରେ ଥିବା ଏକ ଆଦିବାସୀ ଆବାସିକ ବିଦ୍ୟାଳୟର କେତେକ ଛାତ୍ର ବିଦ୍ୟାଳୟର ଗଣିତ ଶିକ୍ଷକ ଓ କିରାଣିଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବାର ଏକ ଭିଡିଓ ଭାଇରାଲ ହୋଇଛି। ଦୋଷ ହେଲା ସେମାନେ ପ୍ରାକ୍ଟିକାଲ ପରୀକ୍ଷାରେ ଏହି ଛାତ୍ରମାନଙ୍କୁ କମ୍ ମାର୍କ ଦେଇଥିଲେ। ଗୋପିକାନ୍ଦର ଥାନା ଅନ୍ତର୍ଗତ ସରକାରୀ-ପରିଚାଳିତ ବିଦ୍ୟାଳୟରେ ସୋମବାର ଏହି ଘଟଣା ଘଟିଛି। ମାଡ଼ ଖାଇଥିବା ଶିକ୍ଷକ ଜଣକ ହେଉଛନ୍ତି ସୁମନ କୁମାର ଏବଂ କିରାଣି ଜଣକ ହେଉଛନ୍ତି ସୋନେରାମ ଚୌରେ। ପ୍ରାକ୍ଟିକାଲ ପରୀକ୍ଷାରେ ମାର୍କକୁ ନେଇ କେତେକ କ୍ରୁଦ୍ଧ ଛାତ୍ର ଏହି କାଣ୍ଡ ଘଟାଇଥିଲେ। ଖବର ପାଇ ଗୋପିକାନ୍ଦର ବିଡିଓ ଅନନ୍ତ ଝା ଓ ଥାନାଧିକାରୀ ନିତ୍ୟାନନ୍ଦ ଭୋକ୍ତା ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲେ। ଅପରପକ୍ଷେ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ଜାଣିଶୁଣି କମ୍ ମାର୍କ ଦିଆଯାଇଛି, ଯାହାଫଳରେ ୧୧ ଜଣ ଛାତ୍ର ୯ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଛନ୍ତି। ମୋଟ ୩୬ ଜଣ ପିଲା ପରୀକ୍ଷା ଦେଇଥିଲେ। ପିଲାମ‌ାନେ ଯେତେବେଳେ ତାଙ୍କ ପ୍ରାକ୍ଟିକାଲ ପେପର ଦେଖିବାକୁ ଚାହିଲେ ପ୍ରିନ୍ସିପାଲ କୁଆଡ଼େ ଖାତା ଦେଖାଇବାକୁ ମନା କଲେ। ତା’ପରେ ସେମାନେ କିରାଣିଙ୍କ ପାଖକୁ ଗଲେ। ସେ ବି ଖାତା ଦେଖାଇବାକୁ ମନା କଲେ। ତେବେ ଘଟଣା ଯାହା ବି ହେଉ ନା କାହିଁକି ଶିକ୍ଷକଙ୍କୁ ଗଛରେ ବାନ୍ଧି ପିଟିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଶିକ୍ଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର